Advertisment

ଭରତପୁର ଥାନା କାଣ୍ଡକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ, କହିଲେ - କାହିଁକି ବନ୍ଧା ହୋଇ ନାହାନ୍ତି ଅଭିଯୁକ୍ତ ?

ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପୁଲିସ୍‌ ଅଧିକାରୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Bijay Patnaik

Bijay Patnaik

ଭରତପୁର ଥାନାରେ ଘଟିଥିବା ଜଘନ୍ୟ କାଣ୍ଡକୁ ନେଇ ପ୍ରବଳ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପୁଲିସ୍‌ ଅଧିକାରୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ସରକାର ୫ ହଜାର ଟଙ୍କା ଦେଇ ମହିଳାଙ୍କୁ ସଶକ୍ତ କରୁଥିବା କହୁଥିବା ବେଳେ ଅନ୍ୟ ପଟେ ଥାନା ହାଜତରେ ନିର୍ଯାତନାର ଶିକାର ମହିଳାଙ୍କୁ କାହିଁକି ନ୍ୟାୟ ମିଳୁନି ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଭରତପୁର ଥାନାରେ ଯେଉଁ ଜଘନ୍ୟ କାଣ୍ଡ ଘଟିଲା ସେଥିରେ ପୁଲିସ୍‌ ଅଫିସର ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା କଥା ଅଭିଯୋଗ ହେଉଛି। ଏନେଇ ଏକ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ କାହିଁକି ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଗିରଫ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଯଦି ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଦୁଇ ଜଣଙ୍କୁ ଗିରଫ କରାଗଲା, ତେବେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଉନି? ସେମାନଙ୍କୁ ଗିରଫ କରିବାକୁ ଆଉ କ’ଣ ତଥ୍ୟ ଦରକାର ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।

Advertisment

ଏଥିସହ ପୁଲିସ୍‌ ମାଡ଼ରେ ସମ୍ପୃକ୍ତ ଯୁବତୀ ଲହୁଲୁହାଣ ହୋଇଥିବା ବେଳେ କେଉଁ ଡାକ୍ତର ତାଙ୍କ ପରୀକ୍ଷା କରିଥିଲେ ଓ ସେ ନିଜ ରିପୋର୍ଟରେ କ’ଣ ଦର୍ଶାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ଯଦି ଡାକ୍ତର ନିଜ ରିପୋର୍ଟରେ ହେରଫେର କରିଛନ୍ତି, ତେବେ ତାଙ୍କ ବିରୋଧରେ କ’ଣ ଆକ୍ସନ ନିଆଯାଇଛି ବୋଲି ବି ସେ ପ୍ରଶ୍ନ ଉଠାଇଛନ୍ତି।

ଗୋଟିଏ ପଟେ ମହିଳାଙ୍କୁ ୫ ହଜାର ଦେଇ ସଶକ୍ତୀକରଣ କରାଯାଉଥିବା ଡେଙ୍ଗୁରା ପିଟାଯାଉଛି, ଅପରପକ୍ଷେ ଥାନାରେ ମାଡ଼ ମରାଯାଉଛି। ଅମାନୁଷିକ ଭାବେ ଜଣେ ଯୁବତୀଙ୍କ ଛାତିକୁ ଗୋଇଠା ମରାଯାଇଛି ହେଲେ ଏଥିରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଘଟଣାର ୫ ଦିନ ପରେ ବି ଗିରଫ କରାଯାଉନି।

ତୁରନ୍ତ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତଦନ୍ତ ସାରି ସେମାନଙ୍କୁ ବହିଷ୍କାର ନ କଲେ ଲୋକଙ୍କ ଭରସା ଆଉ ପୁଲିସ୍‌ ଉପରେ ରହିବ ନାହିଁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

ରୋଡ ରୋମିଓଙ୍କ ଦୁର୍ବ୍ୟବହାର ଘଟଣାରୁ ଏହି ମାମଲା ଆରମ୍ଭ ହୋଇଥିଲା। ହେଲେ ୫ ଦିନ ହେଲାଣି ସେମାନଙ୍କୁ କାହିଁକି ଗିରଫ କରାଯାଇନି? ମାମଲା କ୍ରାଇମବ୍ରାଞ୍ଚକୁ ଯିବା ପରେ ପୁଲିସ୍‌ର ସେମାନଙ୍କୁ ଗିରଫ କରିବାକୁ ମନେ ପଡ଼ିଲା କି ବୋଲି ସେ କହିଛନ୍ତି।

ରାଜଧାନୀରେ ଏବେ ରୋଡ ରୋମିଓଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସେମାନେ ରାତି ଅଧରେ ମଦ ପିଇ ବହୁ କାଣ୍ଡ ଘଟାଉଛନ୍ତି। ତେଣୁ ମହିଳାମାନେ ରାଜଧାନୀରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡ଼ୁଛି। ରାତିରେ ପାଟ୍ରୋଲିଂ ପାଇଁ ଯଥେଷ୍ଟ ପୁଲିସ୍‌ କର୍ମଚାରୀ ନାହାନ୍ତି, ତା’ ହେଲେ ସରକାର କ’ଣ କରୁଛନ୍ତି।

ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର କୋଟି ଖର୍ଚ୍ଚ କରିବାକୁ ସରକାର ପ୍ରସ୍ତୁତ, ହେଲେ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ କ’ଣ ଅର୍ଥର ଅଭାବ ରହିଛି। ପୁଲିସ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ, ପିସିଆର ଭ୍ୟାନ୍‌ ପାଇଁ କ’ଣ ପଇସା ନାହିଁ। ଯଦି ସରକାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ସେମାନଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ନୁହନ୍ତି, ତେବେ ସେପରି ସରକାର କାହିଁକି କ୍ଷମତାରେ ବସିଛନ୍ତି।

ଏଥିସହ ପୁଲିସ୍‌ ପାଇଁ ଡ୍ରେସକୋଡ ଅଛି କି ନାହିଁ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ଡିଜି ପୁଲିସ୍‌ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି। ପୁଲିସ୍‌ ଅଫିସର ହାଫପ୍ୟାଣ୍ଟ, ନାଇଟି, ବ୍ୟାନିୟନ ପିନ୍ଧି ଥାନାରେ ବସିବାର ନିର୍ଦ୍ଦେଶ ଅଛି କି? କେଉଁଠି ଥାନା ଅଧିକାରୀ ରାଉଣ୍ଡ ନେକ୍‌ ଟି- ସାର୍ଟ ପିନ୍ଧୁଛନ୍ତି ତ କେଉଁଠି ଛିଟ ସାର୍ଟ ପିନ୍ଧୁଛନ୍ତି। ହେଲେ ବିନା ୟୁନିଫର୍ମରେ ବୁଲୁଥିବାରୁ ସେମାନେ ଥାନା କର୍ମଚାରୀ ନା ଅଭିଯୋଗକାରୀ ସ୍ପଷ୍ଟ ହୋଇପାରୁନି।

ୟୁନିଫର୍ମ ପୁଲିସ୍‌ର ପରିଚୟ। ବିନା ୟୁନିଫର୍ମରେ ଫୁଲିସ୍‌ ଅଫିସର ବୁଲିବା ପରମ୍ପରା ଗତ କିଛି ବର୍ଷ ହେଲା ଆରମ୍ଭ ହୋଇଛି। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର ବୋଲି ସେ ଦାବି କରିଛନ୍ତି।

Bhubaneswar Bijay Patnaik