ବାର୍ଡ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ! ନମୁନା ପଠାଗଲା ପୁଣେ

ପୁରୀ ଜିଲ୍ଲାରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ତେବେ ସ୍ପଷ୍ଟ କରିଛନ୍ତି, ରିପୋର୍ଟ ନଆସିବା ଯାଏଁ, ତାଙ୍କୁ ଆକ୍ରାନ୍ତ ବୋଲି କହିହେବ ନାହିଁ।

Representational Image

  • Published: Wednesday, 28 August 2024
  • , Updated: 28 August 2024, 01:50 PM IST

କୁକୁଡ଼ାରୁ କୁକୁଡ଼ାକୁ ବାର୍ଡ ଫ୍ଲୁ ବ୍ୟାପୁଥିବା ବେଳେ ଏବେ ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ତେବେ ସ୍ପଷ୍ଟ କରିଛନ୍ତି, ରିପୋର୍ଟ ନଆସିବା ଯାଏଁ, ତାଙ୍କୁ ଆକ୍ରାନ୍ତ ବୋଲି କହିହେବ ନାହିଁ। ।

ସଂପୃକ୍ତ ବ୍ୟକ୍ତିଙ୍କ ନମୁନା, ପୁଣେସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ରିପୋର୍ଟ ଆସିବାକୁ ପାଖାପାଖି ୭ ଦିନ ଲାଗିବ । ଏବେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଅନ୍ୟପଟେ ବାର୍ଡ ଫ୍ଲୁ ଦ୍ୱାରା ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଗତକାଲି ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ପୁରୀ ଜିଲ୍ଲା ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଳୁ ଚିହ୍ନଟ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ଆଜି ମନ୍ତ୍ରୀ ଅନୌପଚାରିକ ଭାବେ କହିଛନ୍ତି ସେ ଭୁଲରେ ଲକ୍ଷଣ ଦେଖାଯାଇଥିବା ବଦଳରେ ପଜିଟିଭ୍ ଚିହ୍ନଟ ହୋଇଥିବା କହିଥିଲେ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଏବେ କୁକୁଡ଼ାଙ୍କ ଶରୀରରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରୁଛନ୍ତି। ଏପରି ସମୟରେ କୁକୁଡ଼ା ଫାର୍ମରେ କାମ କରୁଥିବା ତଥା ନିଜ ଘରେ କୁକୁଡ଼ା ରଖୁଥିବା ଲୋକଙ୍କ ସାମ୍ପଲ ସଂଗ୍ରହ କରାଯାଉଛି। ଏପରି କୁକୁଡ଼ା ଫାର୍ମରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଥଣ୍ଡା ଲକ୍ଷଣ ଥିବା ବେଳେ ତାଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। ତାହାକୁ RMRC ପଠାଯାଇଛି। ସେଠାରୁ ତାହାକୁ ପୁଣେ ପଠାଯାଇଛି । ରିପୋଟ ଆସିବାକୁ ୭ ଦିନ ଲାଗିବ । ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ଏଯାଏ ରିପୋର୍ଟ ହସ୍ତଗତ ହୋଇ ନ ଥିବାରୁ ଆମେ କିଛି ବି ସିଦ୍ଧାନ୍ତରେ ଉପନୀତ ହୋଇ ପାରିବୁନି।

 ତେବେ ପୁରୀ ଜିଲ୍ଲା  ପିପିଲି ଅଞ୍ଚଳରେ ବ୍ୟାପିଥିବା ବାର୍ଡ ଫ୍ଲୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ସିଡିଏମ୍ଓ ଡାକ୍ତର ରୂପଭାନୁ ମିଶ୍ର । ସେ କହିଛନ୍ତି,  ମନୁଷ୍ୟକୁ  ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ନେଇ କୌଣସି ରିପୋର୍ଟ ତାଙ୍କ ନିକଟକୁ ଆସିନାହିଁ । ଲୋକମାନେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ । ଯେଉଁମାନେ ଘଟଣାସ୍ଥଳକୁ ଯାଇଛନ୍ତି, ସେମାନଙ୍କୁ ପ୍ରତିଷେଧକ ଔଷଧ ଦିଆଯାଉଛି । 

ସୂଚନାଯୋଗ୍ୟ,ଏବେ ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପରାମର୍ଶ ଦେଉଛି ପ୍ରାଣୀ ସଂପଦ ବିଭାଗ। ହେଲେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଫାର୍ମ ମାଲିକ।

କେମିତି ଜାଣିବେ ଯେ ମଣିଷ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛି କି ?

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଅନୁଯାୟୀ ,  ବାର୍ଡ ଫ୍ଲୁ ଏକ ସାମୟିକ ଓ ଭୂତାଣୁ ଜନିତ ରୋଗ। ଏହା H5N1 ଭୂତାଣୁ ଯୋଗୁଁ ହେଉଛି। ଏହା କୁକୁଡ଼ାରୁ କୁକୁଡ଼ାକୁ ଶୀଘ୍ର ବ୍ୟାପିଥାଏ। କୁକୁଡ଼ାରୁ ମଣିଷଙ୍କୁ ବିଳମ୍ବରେ ବ୍ୟାପିଥାଏ। ତେଣୁ ବାର୍ଡ ଫ୍ଲୁକୁ ନେଇ ଲୋକମାନେ ଚିନ୍ତିତ ହେବା ଅନୁଚିତ। ତେବେ ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରୁଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ତେବେ ଜାଣିରଖନ୍ତୁ ଏହାର ଲକ୍ଷଣ

  • ରୋଗୀଙ୍କୁ ପ୍ରଥମେ ଜ୍ୱର ହେବା ସହ ତଣ୍ଟି ଦରଜ ହୁଏ।
  • ପରେ ନିମୋନିଆ ହେବାର ଆଶଙ୍କା ବି ରହିଛି। 
  •  ସଂକ୍ରମିତ ପକ୍ଷୀକୁ ଛୁଇଁବା ଦ୍ୱାରା ଏବଂ ସଂକ୍ରମିତ ପକ୍ଷୀର ଲାଳ ଓ ମଳ ସଂସ୍ପର୍ଶରେ ଆସିଲେ ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିଥାଏ।

Related story