Advertisment

ବିଜେଡି ନେତାଙ୍କ ପଥର କ୍ୱାରୀ; ବିରୋଧରେ କଲେ ମିଳୁଛି ହତ୍ୟା ଧମକ!

କାସିଆ ପାହାଡ଼ରେ ଥିବା ପଥର କ୍ୱାରୀର ଲିଜଧାରୀ ହେଉଛନ୍ତି ବିଜେଡି ନେତା ବେଣୁଧର ପ୍ରଧାନ। ଯିଏ ଭାପୁର ବ୍ଲକର ଉପାଧ୍ୟକ୍ଷ ଅଛନ୍ତି। ଯାହାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ଅଛନ୍ତି ବ୍ଲକ ଅଧ୍ୟକ୍ଷ।

Nayagarh

Nayagarh

Advertisment

ଚାଲିଛି ଖଣି ମାଫିଆଙ୍କ ଅରାଜକତା। ମୁହଁ ଖୋଲିଲେ ବାହାର କରୁଛନ୍ତି ଖଣ୍ଡା-ଭୁଜାଲି। ପ୍ରତିବାଦ କଲେ ମାରିଦେବାକୁ ଦେଉଛନ୍ତି ଧମକ। ବିଜେଡିର ଅଖଣ୍ଡ କ୍ଷମତାର ଛତ୍ରଛାୟା ତଳେ ରହି ରାଜୁତି ଚଳାଇଛନ୍ତି ପଥର ଖଣି ମାଫିଆ। ଏ କାହାଣୀ ନୟାଗଡ଼ ଜିଲ୍ଲା ଭାପୁର ତହସିଲ୍‌ ଅନ୍ତର୍ଗତ ନିମାଣୀ ପଞ୍ଚାୟତର। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜିଲ୍ଲାପ୍ରଶାସନ ସବୁ ଜାଣି ଚୁପ୍‌ ବସିଛି। ଏନେଇ ପ୍ରଶ୍ନ କଲେ ଚିରାଚରିତ ଢ଼ଙ୍ଗରେ ଜିଲ୍ଲାପାଳ କହୁଛନ୍ତି ତଦନ୍ତ ଚାଲିଛି।

Advertisment

ଗାଁକୁ ଲାଗିଛି କାସିଆ ପାହାଡ଼। ଯେଉଁଠି କାୟା ମେଲାଇଛି ନୟାଗଡ଼ ଜିଲ୍ଲା ବୃହତ ଖଣି। ଏହି ପଥର କ୍ୱାରୀରେ ଅନବରତ ଚାଲିଛି ଖନନ କାର୍ଯ୍ୟ। ନା ଦିନ ନା ରାତି। ଅହରହ ବୁହା ଚାଲିଛି ପଥର। ଜନବସତି ଅଞ୍ଚଳରେ ଦୌଡୁଥିବା ହାଇୱା ଚକା ତଳେ କେତେ ଜୀବନ ଗଲାଣି, ତାହାର ହିସାବ କାହା ପାଖରେ ନାହିଁ। ବର୍ଷକର ଦାନାପାଣିର ଠିକଣା ସାଜିଥିବା ଚାଷଜମି, ଘରଦ୍ୱାର ଅବସ୍ଥା ନକହିବା ଭଲ। ଏହି ପଥର କ୍ୱାରୀ ଯୋଗୁ ନିମାଣି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ସତେ ଯେମିତି ରୁନ୍ଧି ହୋଇଯାଇଛି ଜନଜୀବନ। ଶେଷରେ ଲୋକଙ୍କ ନିଷ୍ପତ୍ତି, ଏହି କ୍ୱାରୀ ବନ୍ଦ ନହେଲେ ନିର୍ଣ୍ଣାୟକ ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଲାଇବେ।

ତଥ୍ୟ କହୁଛି, କାସିଆ ପାହାଡ଼ରେ ଥିବା ପଥର କ୍ୱାରୀର ଲିଜଧାରୀ ହେଉଛନ୍ତି ବିଜେଡି ନେତା ବେଣୁଧର ପ୍ରଧାନ। ଯିଏ ଭାପୁର ବ୍ଲକର ଉପାଧ୍ୟକ୍ଷ ଅଛନ୍ତି। ଯାହାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ଅଛନ୍ତି ବ୍ଲକ ଅଧ୍ୟକ୍ଷ। ତେଣୁ ଲୋକଙ୍କ ଅଭିଯୋଗ, ବିଜେଡିର ଛତ୍ରଛାୟାରେ ରହି ବେଣୁଧର ବର୍ଷ ବର୍ଷ ଧରି ଲୁଟି ଆସୁଛନ୍ତି ପଥର କ୍ୱାରୀ। ଜଙ୍ଗଲ ଜମିରେ ବେଆଇନ ରାସ୍ତା କରିବା ସହ ଅନୁମତି ସ୍ଥାନରୁ ମାତ୍ରାଧିକ ଉତ୍ତୋଳନ କରୁଛନ୍ତି। ଯେଉଁଥିରେ ରହିଛି ବୃହତ୍ତ ବୃତଙ୍ଗ ପ୍ରକଳ୍ପର ସଂରକ୍ଷିତ ଜଙ୍ଗଲ ଜମି।

Advertisment

୨୦୧୭ ମସିହାରେ ସେହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଆଚ୍ଛାଦିତ ଥିଲା। ହେଲେ ୨୦୨୪ରେ ପୂରା ଜଙ୍ଗଲ ଜମିରେ ରାସ୍ତା ତିଆରି କରି ଉତ୍ତୋଳନ କରାଯାଇଛି କ୍ୱାରୀ। ଯାହାର ଖୋଲା ଉଲଂଘନ ଦର୍ଶାଇ ନୟାଗଡ଼ ଜିଲ୍ଲାପାଳ, ଖଣି ଅଧିକାରୀ ଏବଂ ପିସିସିଏଫଙ୍କୁ ଚିଠି ଲେଖିଥିଲେ ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। ଗତ ଫେବୃୟାରୀ ୩ ତାରିଖରେ ଏହି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ନୟାଗଡ଼ ବନ ବିଭାଗ ଓ ଭାପୁର ତହସିଲ ପକ୍ଷରୁ ମିଳିତ ତଦନ୍ତ ସହ ଜଙ୍ଗଲ ଜମି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି, ୫ ମାସ ହୋଇଗଲା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

ଏ ନେଇ ଜିଲ୍ଲାପାଳ ସ୍ୱଧାଦେବ ସିଂହ କହୁଛନ୍ତି, ଖଣି ଅଧିକାରୀଙ୍କୁ ଅବଗତ କରାଯାଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏଠି ପ୍ରଶ୍ନ ଉଠୁଛି, ସବୁ ଜାଣିଶୁଣି କାହିଁକି ଏଯାଏଁ ଆକ୍ସନ ନେଇନି ଜିଲ୍ଲା ପ୍ରଶାସନ? କ୍ଷମତାରେ ଥିବା ବିଜେଡି ନେତା ବୋଲି ସାତ ଖୁଣ ମାଫ୍‌ ନା କୌଣସି ଅଦୃଶ୍ୟ ଶକ୍ତି ଚାପ ପଡୁଛି ପ୍ରଶାସନ ଉପରେ? ଏବେ ବଦଳିଛି ସରକାର। ବଦଳୁଛି ବ୍ୟବସ୍ଥା। ଅପେକ୍ଷା, ଖଣି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଥିବା ବିଜେପି ସରକାର ଏହି ପଥର କ୍ୱାରୀ ବିରୋଧରେ କି ଆକ୍ସନ ନେଉଛନ୍ତି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe