ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି

ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି  ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।

Manash Mangraj

ମାନସ ମଙ୍ଗରାଜ ଓ ପତ୍ନୀ ଗାୟତ୍ରୀ (ଫାଇଲ ଫଟୋ)

Ordigital Desk
  • Published: Friday, 21 March 2025
  • , Updated: 21 March 2025, 03:58 PM IST

ରାତିରେ ସଂସ୍ଥା ଖୋଲନ୍ତୁ । ସକାଳେ ସରକାରଙ୍କ ମୂଲ୍ୟବାନ ସମ୍ପତ୍ତିକୁ ଲିଜ୍ ଆକାରରେ ଶାଗମାଛ ଦରରେ ନେଇଯାଆନ୍ତୁ । ସରକାର ବି ବିନା ଯାଂଚରେ ସବୁ ନୀତିନିୟମକୁ ଫୁ’କରି ମୂଲ୍ୟବାନ ସମ୍ପତ୍ତିକୁ ମଧ୍ୟ ଟେକି ଦେବେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବିଜେଡି ଶାସନକାଳରେ ଓଡ଼ିଶାରେ ଏଭଳି ଚିତ୍ରକୁ ନିଜ ପତ୍ନୀଙ୍କ ପାଇଁ ବାସ୍ତବ ରୂପାୟନ କରାଇବାରେ ସକ୍ଷମ ହୋଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି  ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।

ଏହି ସରକାରୀ ସମ୍ପତ୍ତିରୁ ଦୈନିକ ସର୍ବନିମ୍ନ ପ୍ରାୟ ୫୦ହଜାର ଟଙ୍କାର ଉପାର୍ଜନ ହେଉଥିବାବେଳେ ଗାୟତ୍ରୀଙ୍କ ସଂସ୍ଥାକୁ ମାସିକ ପ୍ରାୟ ୧ଲକ୍ଷ ଟଙ୍କାରେ ଟେକି ଦିଆଯାଇଛି । ମାନସ ଓ ତାଙ୍କ ପତ୍ନୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବିଜେଡି ଶାସନରେ ପ୍ରଶାସନିକ କଳ କେଉଁସ୍ତରକୁ ଯାଇ ବେଆଇନ କାର୍ଯ୍ୟ କରିପାରେ ତାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ୨୦୦୯ ମସିହାରେ ନିଜର ମୋଟ୍ ସମ୍ପତ୍ତିର ପରିମାଣ ମାତ୍ର ୪୦ଲକ୍ଷ ଟଙ୍କା ଥିବା ଓ ତାଙ୍କ ମୁଣ୍ଡରେ ୭୦ଲକ୍ଷ ଟଙ୍କାର ଋଣବୋଝ ଥିବା ମାନସଙ୍କର ୨୦୨୨ ମସିହା ବେଳକୁ ନାଟକୀୟ ଢଙ୍ଗରେ ସମ୍ପତ୍ତିର ପରିମାଣ ୧୯୪୬% ବୃଦ୍ଧି ପାଇଥିଲା,ଯାହାକି ମାନସ ନିଜେ ମଧ୍ୟ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି । ବିଜେଡିରେ ୨୦୧୮ ମସିହା ଏପ୍ରିଲରେ ମାନସଙ୍କ ଆନୁଷ୍ଠାନିକ ଏଂଟ୍ରି ପରେ ତାଙ୍କର ସମ୍ପତ୍ତି ପରିମାଣରେ ଯେଭଳି ଆଖିଦୃଶିଆ ବୃଦ୍ଧି ହୋଇଛି, ଲାଗୁଛି ସତେଯେମିତି ତାଙ୍କୁ ସମ୍ପତ୍ତି ଆହରଣ କରିବାର ‘କୁହୁକବାଡ଼ି’ ମିଳିଯାଇଥିଲା ।

ନିଜର ଧରମଶ୍ୱଶୁର ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଓ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ହୋଇ ମାନସ ନିଜର ପତିଆରା ବଳରେ ସରକାରୀ କଳକୁ ପ୍ରଭାବିତ କରି ବ୍ରହ୍ମପୁର ସହରଠାରୁ ମାତ୍ର ୫୦କିମି ଦୂରରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରାଜ୍ୟ ପର୍ଯ୍ୟଟନ ବିଭାଗର ‘ତପ୍ତପାଣି ପାନ୍ଥନିବାସ’କୁ ମାସିକ ମାତ୍ର ପ୍ରାୟ ୧ଲକ୍ଷ ଟଙ୍କା ଲିଜ୍ ଦରରେ ପତ୍ନୀ ଗାୟତ୍ରୀବାଳାଙ୍କ ନାଁରେ କରାଇ ନେଇଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟଘେରା ଏହି ପାନ୍ଥନିବାସରେ ମୋଟ ୧୧ଟି ବିଳାସପୂର୍ଣ୍ଣ କଟେଜ୍ ଓ ରୁମ୍ ରହିଛି ତଥା ପର୍ଯ୍ୟଟକଙ୍କ ଭିଡ଼ ସର୍ବଦା ରହୁଛି । ଏହି ପାନ୍ଥନିବାସର ଲିଜ୍ ନେବା ପାଇଁ ବଡ଼ଧରଣର ଟେଣ୍ଡର ଫିକ୍ସିଂ ହୋଇଥିବା ଏବଂ ଏଥିରେ ମାନସଙ୍କ ପତ୍ନୀ ଓ ତାଙ୍କ ସହଯୋଗୀଙ୍କ ସମ୍ପୃକ୍ତିର ସନ୍ଦେହ କରାଯାଉଛି । ବର୍ତ୍ତମାନର ବିଜେପି ସରକାର ଏହା ଜାଣି ମଧ୍ୟ କାହିଁକି ନିରବ ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

କେମିତି ହାତେଇଲେ ଶାଗମାଛ ଦରରେ ସରକାରୀ ସମ୍ପତ୍ତି?

ତଥ୍ୟ ଅନୁସାରେ, କରୋନା ମହାମାରୀକୁ ନେଇ ସମଗ୍ର ଦେଶ ଆତଙ୍କିତ ଥିବାବେଳେ  ‘ତପ୍ତପାଣି ପାନ୍ଥନିବାସ’ର ପରିଚାଳନା ପିପିପି ମୋଡରେ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୨୦ ସେପ୍ଟେମ୍ବର ୧ତାରିଖରେ ଟେଣ୍ଡର ଡକାଯାଇଥିଲା । ମାନସଙ୍କ ଖାସ୍ ବ୍ୟକ୍ତି ଯେପରି ଏହି ଟେଣ୍ଡର ନେବେ ସେଭଳି ମଧ୍ୟ ଗଳାବାଟ ସରକାରୀସ୍ତରରେ ହୋଇଥିବା ଜଳଜଳ ଜଣାପଡ଼ୁଛି । ଯୋଜନା ମୁତାବକ, ୨୦୨୦ ନଭେମ୍ବର ୨୪ତାରିଖରେ ଓଟିଡିସିର ଏହି ପାନ୍ଥନିବାସର ୩୦ବର୍ଷିଆ ଲିଜ୍ କୋରାପୁଟସ୍ଥିତ ‘ହୋଟେଲ ଆଲିଶାନ’କୁ ଟେକି ଦେବା ପାଇଁ ଏହାର ସ୍ୱତ୍ତାଧିକାରୀ ଦିଗପହଣ୍ଡି ଅଂଚଳର ନିରଞ୍ଜନ ସାମନ୍ତରାୟଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ‘ଲେଟର ଅଫ ଆୱାର୍ଡ’ ପ୍ରଦାନ କଲା । ଆଉ ୨୦୨୧ ଜାନୁୟାରୀ ୮ତାରିଖରେ ଏହି ‘ହୋଟେଲ ଆଲିଶାନ’ର  ସ୍ୱତ୍ତାଧିକାରୀ ଶ୍ରୀ ସାମନ୍ତରାୟ ଓ ତତକାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବ ମଧ୍ୟରେ ‘ତପ୍ତପାଣି ପାନ୍ଥନିବାସ’ର ୩୦ବର୍ଷିଆ ପରିଚାଳନା ନେଇ ମଧ୍ୟ ଲିଜ୍ ଚୁକ୍ତି ସ୍ୱାକ୍ଷରିତ ହେଲା ।

ଏହି ଚୁକ୍ତି ଅନୁସାରେ ଶ୍ରୀ ସାମନ୍ତରାୟଙ୍କ ‘ହୋଟେଲ ଆଲିଶାନ’ ବାର୍ଷିକ ୧୨.୧୧ଲକ୍ଷ ଟଙ୍କା(ପ୍ରତିବର୍ଷ ୧୦% ବୃଦ୍ଧି) ହିସାବରେ ୩୦ବର୍ଷିଆ ଲିଜରେ ‘ତପ୍ତପାଣି ପାନ୍ଥନିବାସ’ର ପରିଚାଳନା କରିବ । ଆଉ ‘ଅପ୍ ଫ୍ରଣ୍ଟଫି’(ପ୍ରାୟ ୧.୩୦କୋଟି ଟଙ୍କା)କୁ ମଧ୍ୟ ସେ ୪ଟି କିସ୍ତିରେ ସରକାରଙ୍କୁ ଦେବେ । ଯାହାର କିସ୍ତି ଏବେବି ବକେୟା ରହିଥିବା ଜଣାପଡ଼ିଛି । ସରକାର ନିଜର ମୂଲ୍ୟବାନ ସମ୍ପତ୍ତିକୁ କିଭଳି ଜଣେ ବ୍ୟକ୍ତିଙ୍କୁ ଟେକି ଦେବାକୁ ବ୍ୟାକୁଳ ଥିଲେ ତାହା ଏସବୁରୁ ସ୍ପଷ୍ଟ ପ୍ରମାଣିତ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ବିଶାଳ ଅଂଚଳରେ ପରିବ୍ୟାପ୍ତ ‘ତପ୍ତପାଣି ପାନ୍ଥନିବାସ’ର ୧୧ଟି ବିଳାସପୂର୍ଣ୍ଣ ରୁମ, ରେଷ୍ଟୁରାଂଟ ଓ ଅନ୍ୟାନ୍ୟ ସୁବିଧାରୁ ଦୈନିକ ଆୟ ହାରାହାରି ସର୍ବନିମ୍ନ ପ୍ରାୟ ୫୦ରୁ ୭୦ହଜାର ଟଙ୍କାର ଆୟ ହେବାର ଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ଏହାକୁ ମାସିକ ପ୍ରାୟ ୧ଲକ୍ଷ ଟଙ୍କାରେ ଟେକି ଦିଆଗଲା । ହୋଟେଲ ଆଲିଶାନ୍ ଓ ମାନସଙ୍କ ପତ୍ନୀଙ୍କ ସଂସ୍ଥା ‘ଗାୟତ୍ରୀ ରିସୋର୍ଟସ’କୁ ଏଂଟ୍ରି ଦେବା ପାଇଁ ଲାଭରେ ଚାଲିଥିବା ସଂସ୍ଥାକୁ ଏଭଳି ଶାଗମାଛ ଦରରେ ଏହି ବ୍ୟକ୍ତିଙ୍କୁ ଟେକି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ମାନସଙ୍କ ପତ୍ନୀ ଗାୟତ୍ରୀଙ୍କ ଏଂଟ୍ରି ଓ ଷଡ଼ଯନ୍ତ୍ରର ଗନ୍ଧ

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ‘ତପ୍ତପାଣି ପାନ୍ଥନିବାସ’ର ୩୦ବର୍ଷିଆ ଲିଜ୍ ‘ହୋଟେଲ ଆଲିଶାନ’କୁ ଦେବା ପାଇଁ ୨୦୨୧ ଜାନୁୟାରୀ ୮ତାରିଖରେ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହେଲା ସେପର୍ଯ୍ୟନ୍ତ ମାନସଙ୍କ ପତ୍ନୀଙ୍କ ମାଲିକାନାରେ ‘ଗାୟତ୍ରୀ ରିସୋର୍ଟସ’ ଜନ୍ମ ନେଇନଥିଲା ବୋଲି ଜଣାପଡ଼ିଛି । ଗାୟତ୍ରୀ ରିସୋର୍ଟସ’ର ସ୍ୱତ୍ତ୍ୱାଧିକାରିଣୀ ସାଜି ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡାଙ୍କୁ ଏହି ‘ତପ୍ତପାଣି ପାନ୍ଥନିବାସ’ର ମାଲିକାନା(୩୦ବର୍ଷିଆ ଲିଜ୍‌) ଦେବାକୁ ଏଭଳି ସୁନିୟୋଜିତ ଷଡ଼ଯନ୍ତ୍ରର ଗନ୍ଧ ବାରି ହୋଇପଡ଼ୁଛି । । କୋରାପୁଟସ୍ଥିତ ‘ହୋଟେଲ ଆଲିଶାନ’ର ସ୍ୱତ୍ତ୍ୱାଧିକାରୀ ନିରଞ୍ଜନ ସାମନ୍ତରାୟ ୨୦୨୧ ଜୁଲାଇ ୨୦ତାରିଖରେ ତତକାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରୁ ମାନସଙ୍କ ପତ୍ନୀଙ୍କ ଏଂଟ୍ରି ପାଇଁ ଏଭଳି ରଣନୀତି ହୋଇଥିବା ଜଳଜଳ ଦିଶୁଛି । ଶ୍ରୀ ସାମନ୍ତରାୟ ଦର୍ଶାଇଛନ୍ତି ଯେ, ‘ତପ୍ତପାଣି ପାନ୍ଥନିବାସ’ର ପରିଚାଳନା ପାଇଁ ତାଙ୍କ ‘ହୋଟେଲ ଆଲିଶାନ୍ ’ ସହ ୨୦୨୦ ନଭେମ୍ବର ୯ତାରିଖରେ ଯୌଥ ରାଜିନାମା କରିଥିବା ଦିଗପହଣ୍ଡି ଅଂଚଳର ‘ଲକ୍ଷ୍ମୀ ଏଂଟରପ୍ରାଇଜେସ୍‌’ ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁ  ଆବଶ୍ୟକ ପୁଞ୍ଜିସଂଗ୍ରହ କରିବାରେ ଅସମର୍ଥତା ପ୍ରକାଶ କରି ଏହି ଯୌଥ ରାଜିନାମାରୁ ଓହରି ଯାଇଛି ।

ତା’ବଦଳରେ ‘ଗାୟତ୍ରୀ ରିସୋର୍ଟସ’ ସହ ‘ହୋଟେଲ ଆଲିଶାନ’ ଆଉ ଏକ ଯୌଥ ରାଜିନାମା କରିଛି । ତପ୍ତପାଣି ପାନ୍ଥନିବାସର ପରିଚାଳନା ପାଇଁ ୨୦୨୧ ଜୁଲାଇ ୫ତାରିଖରେ ଏହି ଯୌଥ ରାଜିନାମା-ସ୍ପେଶାଲ ପର୍ପସ ଭେଙ୍କିଲ୍ (ଏସପିଭି) ସ୍ୱାକ୍ଷରିତ ହୋଇଛି । ସେଥିରେ ଗାୟତ୍ରୀଙ୍କ ସଂସ୍ଥା ୪୯% ଓ ନିରଞ୍ଜନଙ୍କ ହୋଟେଲ ୫୧% ଅଂଶୀଦାର ରହିବେ ବୋଲି ସରକାରଙ୍କୁ ଅବଗତ କରାଯାଇଛି । ଯାହାକୁ ମଧ୍ୟ ରାଜ୍ୟ ସରକାର ସଙ୍ଗେସଙ୍ଗେ ସ୍ୱୀକାର କରିନେଇଥିବା ଜଣାପଡ଼ିଛି ।  ଯେଉଁ ଢଙ୍ଗରେ ଗାୟତ୍ରୀ ରିସୋଟର୍ସର ଏଂଟ୍ରି ହେଲା ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ‘ତପ୍ତପାଣି ପାନ୍ଥନିବାସ’ର ମାଲିକାନା ନିଜ ପାଖରେ ରଖିବାକୁ ମାନସ ସୁନିୟୋଜିତ ଢଙ୍ଗରେ ଚାପ ପକାଇ ସେଥିରେ ସଫଳ ହୋଇଛନ୍ତି ।

ଚର୍ଚ୍ଚିତ ‘ଗାୟତ୍ରୀ ରିସୋର୍ଟସ’

ଗାୟତ୍ରୀ ରିସୋର୍ଟସର ସ୍ୱତ୍ତ୍ୱାଧିକାରିଣୀ ଭାବେ ୨୦୨୧ ଜୁଲାଇ ୧୦ତାରିଖରେ ଜିଏସଟି ପଞ୍ଜିକରଣ ପ୍ରମାଣପତ୍ର ହାସଲ କରିଛନ୍ତି ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା । ଅର୍ଥାତ୍ ଜିଏସଟି ନମ୍ବର ପାଇବାର ୫ଦିନ ପୂର୍ବରୁ ଗାୟତ୍ରୀ ରିସୋର୍ଟସ ଓ ହୋଟେଲ ଆଲିଶାନ ମଧ୍ୟରେ ଯୌଥ ରାଜିନାମା ସ୍ୱାକ୍ଷରିତ ହୋଇସାରିଥିଲା । ଏହି ଯୌଥ ରାଜିନାମାରେ ବିଜେଡିର ପ୍ୟାନେଲିଷ୍ଟ ଅମିତ୍ କୁମାର ମଲ୍ଲିକ ମଧ୍ୟ ସାକ୍ଷୀ ପଡ଼ିଛନ୍ତି । ତେବେ ‘ଗାୟତ୍ରୀ ରିସୋଟର୍ସ’ର ନାଁ ଗନ୍ଧ ଆଗରୁ ନଥିବାବେଳେ ତା’ର ଆବଶ୍ୟକ ଯାଂଚ କରିବାକୁ  ସରକାରୀସ୍ତରରେ ସାମାନ୍ୟତମ ଉଦ୍ୟମ ମଧ୍ୟ ହୋଇନାହିଁ,ଆଉ ସବୁକିଛି ଆଖିବୁଜି ଦିଆଯାଇଛି । ଗାୟତ୍ରୀ ରିସୋର୍ଟସର ଠିକଣା ମଧ୍ୟ ମାନସଙ୍କ ଅନ୍ୟ କମ୍ପାନୀଗୁଡ଼ିକ ଭଳି ଖଣ୍ଡିଗିରିର ଘାଟିକିଆ ଅଂଚଳରେ ରହିଛି । ଅର୍ଥାତ୍ ରାତାରାତି ସଂସ୍ଥା ଗଢ଼ାହେଲା, ସକାଳେ ରାଜିନାମା ହେଲା, ଆଉ ୧୦ଦିନ ନପୁରୁଣୁ ସରକାର ବି ଦେଇଦେଲେ ଗ୍ରୀନ୍ ସିଗନାଲ ବୋଲି ଚର୍ଚ୍ଚା ହେଉଛି । ଏହି ତପ୍ତପାଣି ପାନ୍ଥନିବାସର ପରିଚାଳନା ପାଇଁ ଗାୟତ୍ରୀ ରିସୋର୍ଟସ ସହ ଯୌଥ ରାଜିନାମାକୁ ଯଥାର୍ଥ ଦର୍ଶାଇବାକୁ ‘ହୋଟେଲ ଆଲିଶାନ’ ପକ୍ଷରୁ ଦାଖଲ ଦସ୍ତାବିଜରେ ଗାୟତ୍ରୀଙ୍କ ସମ୍ପତ୍ତି (ନେଟୱର୍ଥ)ର ବିବରଣୀ ପ୍ରମାଣପତ୍ର ମଧ୍ୟ ଦିଆଯାଇଛି ।

ଯାହାକୁ ଶହୀଦନଗର ଅଂଚଳର ଏକ ଚାଟାର୍ଡ ଫାର୍ମ ପ୍ରମାଣୀକୃତ କରାଇଛି । ତେବେ ‘ଲକ୍ଷ୍ମୀ ଏଂଟରପ୍ରାଇଜେସ’ ଓହରିଯିବା ପରେ ମଧ୍ୟ ‘ହୋଟେଲ ଆଲିଶାନ’କୁ କାହିଁକି ଏଭଳି ଅହେତୁକ ଅନୁକମ୍ପା ଦେଖାଇ ପୁଣିଏକ ସହଯୋଗୀ (ରାତାରାତି ଗଢ଼ାଯାଇଥିବା ଗାୟତ୍ରୀ ରିସୋର୍ଟସ) ଖୋଜିବାର ସୁଯୋଗ ଦିଆଗଲା ଓ ତାକୁ ସରକାରୀସ୍ତରରେ ଅନୁମୋଦନ କରାଗଲା ତାହା ବି ସନ୍ଦେହଘେରରେ । ଏହାଛଡ଼ା ଟେଣ୍ଡର ପ୍ରକ୍ରିୟାରେ ‘ହୋଟେଲ ଆଲିଶାନ’କୁ ଚୟନବେଳେ ଆବଶ୍ୟକ ପାରଦର୍ଶିତା ଅବଲମ୍ବନ କରାଯାଇନଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏବେ ଏହି ତପ୍ତପାଣି ପାନ୍ଥନିବାସର ପରିଚାଳନା ‘ତପ୍ତପାଣି ସ୍ପ୍ରିଙ୍ଗ ରିସୋର୍ଟସ ପ୍ରାଇଭେଟ୍ ଲିମିଟେଡ୍‌’ କରୁଛି । ଆଉ ଏହି କମ୍ପାନୀର ନିର୍ଦ୍ଦେଶକ ଭାବେ ନିରଞ୍ଜନ ସାମନ୍ତରାୟ ଓ ତାଙ୍କ ଭାଇ ପ୍ରଦୀପ ସାମନ୍ତରାୟ ଅଛନ୍ତି । ଗାୟତ୍ରୀ ପଣ୍ଡା ଏହି କମ୍ପାନୀରେ ନଥିଲେ ମଧ୍ୟ କମ୍ପାନୀର ଠିକଣା ଓ ମାନସଙ୍କ ଘରର ଠିକଣା ସମାନ ରହିଛି । ଗାୟତ୍ରୀଙ୍କ ସଂସ୍ଥା ଓ ନିରଞ୍ଜନଙ୍କ ହୋଟେଲ ମଧ୍ୟରେ ଥିବା ଯୌଥ ମାଲିକାନାକୁ ବେଶ୍ ଗୋପନ ରଖିବାକୁ ମଧ୍ୟ ପର୍ଯ୍ୟଟନ ବିଭାଗ ବେଶ୍ କରସତ କରି ଟେଣ୍ଡର ଦସ୍ତାବିଜକୁ ମଧ୍ୟ ନିଜ ବିଭାଗୀୟ ପୋର୍ଟାଲରୁ ଗାଏବ କରିଦେଇଛି।

ବିଜେପି ସରକାର ଜାଣି ମଧ୍ୟ ନିରବ ବସିଛନ୍ତି

ବିଜେଡି ସରକାର ଅମଳରେ ହୋଇଥିବା ଏହି ସବୁ କେଳେଙ୍କାରୀ ବିଷୟରେ ବର୍ତ୍ତମାନର ବିଜେପି ସରକାର ଅବଗତ ଅଛନ୍ତି । ମାତ୍ର ୯ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କିମ୍ବା ଏଭଳି ଦୁର୍ନୀତି ଓ ଜାଲିଆତିରେ ସମ୍ପୃକ୍ତ ଅଫିସର ଓ ନେତାମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଆଗ୍ରହ ଦେଖାଇନାହାନ୍ତି । ଯଦିଓ ଗତ ମାର୍ଚ୍ଚ ୧ତାରିଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଏସବୁ କେଳେଙ୍କାରୀ ବିଷୟରେ ଅବଗତ ଥିବାର ସନ୍ଦେଶ ଦେଇଛନ୍ତି । ଶ୍ରୀମତୀ ପରିଡ଼ା କହିଥିଲେ ଯେ, ପୂର୍ବ ସରକାରରେ ଶାଗମାଛ ଦରରେ ପର୍ଯ୍ୟଟନର ବହୁ ସାଇଟକୁ ଦଳୀୟ କର୍ମୀଙ୍କୁ ଦିଆଯାଇଛି । କାହାକୁ ୪୦ବର୍ଷ ତ କାହାକୁ ୮୦ବର୍ଷ ଲିଜ୍ । ଜଣେ ବ୍ୟକ୍ତିର ପ୍ରଚାରପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ପଇସା ବଂଟାଯାଉଥିଲା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।

ତେବେ ସରକାର ଯଦି ଏହି ‘ତପ୍ତପାଣି ପାନ୍ଥନିବାସ’ ଟେଣ୍ଡର ସହ ଜଡ଼ିତ ଦସ୍ତାବିଜକୁ ଯାଂଚ କରିବେ କିଭଳି ସରକାରୀସ୍ତରରେ ଜାଲିଆତି ଓ ଦୁର୍ନୀତି ହୋଇଛି ତଥା ନିଜର ରାଜନୀତିକ ପତିଆରା ଦେଖାଇ ମାନସଙ୍କ ପତ୍ନୀ ଏହି ମୂଲ୍ୟବାନ ସମ୍ପତ୍ତିକୁ ଶାଗମାଛ ଦରରେ ହାତେଇଛନ୍ତି ତାହା ପଦାକୁ ଆସିବା ସହ ଟେଣ୍ଡର ଫିକ୍ସି ଷଡ଼ଯନ୍ତ୍ରର ମଧ୍ୟ ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ।

Related story