ବିଜେପି ସରକାର ଆଣିଲେ ନୂଆ ଅବକାରୀ ନୀତି: ଖୋଲିବନି ନୂଆ ମଦ ଦୋକାନ, ବାରରେ ଗୀତ ବାଜିବ, ନୃତ୍ୟ ମନା

ପ୍ରତିବର୍ଷ ମଦ ଲାଇସେନ୍ସଧାରୀଙ୍କ ପାଇଁ ବୃଦ୍ଧି ପାଉଥିବା ଏମଜିକ୍ୟୁ (ସର୍ବନିମ୍ନ ପରିମାଣ ଗ୍ୟାରେଂଟି)କୁ ଚଳିତବର୍ଷ ବୃଦ୍ଧି କରାଯିବ ନାହିଁ ।

Representational Image

  • Published: Friday, 30 August 2024
  • , Updated: 30 August 2024, 10:17 PM IST

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି । ସେପ୍ଟେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ ଶେଷପର୍ଯ୍ୟନ୍ତ ଏହି ଅବକାରୀ ନୀତି ସମଗ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ଅବଧି ମଧ୍ୟରେ ରାଜ୍ୟରେ କୌଣସି ପ୍ରକାରର ନୂଆ ମଦ ଦୋକାନ ଖୋଲିପାରିବ ନାହିଁ ବୋଲି ନୂଆ ଅବକାରୀ ନୀତିରେ ଉଲ୍ଲେଖ ରହିଛି ।

ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ପହିଲାରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅବଧି ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରାଯାଇଛି । ଏଥିରେ ବେଆଇନ ମଦ କାରବାରକୁ ରୋକିବା ଓ ମଦ୍ୟପାନ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ସର୍ତ୍ତ ରଖାଯାଇଛି।

ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ବିଦେଶୀ ଠିପି ବନ୍ଦ ମଦ ଦୋକାନ, ଦେଶୀ ମଦ ଦୋକାନ ଓ ଅନ୍ ସପ୍ ମଦଦୋକାନ ଖୋଲାଯିବ ନାହିଁ । କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ(ରିନ୍ୟୁଆଲ) ହୋଇନଥିବା ୫୭ଟି ଅନସପ୍ ମଦଦୋକାନର ପୁନଃ ନବୀକରଣ ମଧ୍ୟ କରାଯିବ ନାହିଁ ।

ପ୍ରତିବର୍ଷ ମଦ ଲାଇସେନ୍ସଧାରୀଙ୍କ ପାଇଁ ବୃଦ୍ଧି ପାଉଥିବା ଏମଜିକ୍ୟୁ (ସର୍ବନିମ୍ନ ପରିମାଣ ଗ୍ୟାରେଂଟି)କୁ ଚଳିତବର୍ଷ ବୃଦ୍ଧି କରାଯିବ ନାହିଁ ।

ମଦ ବାରଗୁଡ଼ିକରେ କେବଳ ସଙ୍ଗୀତ ପରିବେଷଣର ଅନୁମତି ମିଳିବ । କିନ୍ତୁ ସେଠାରେ ନୃତ୍ୟ ପରିବେଷଣ ପାଇଁ ଅନୁମତି ଦିଆଯିବ ନାହିଁ ।

ଗ୍ରାମାଂଚଳରେ କେବଳ ଥ୍ରୀ-ଷ୍ଟାର ଓ ତା’ଠୁ ଅଧିକ ବର୍ଗର ହୋଟେଲ ବ୍ୟତୀତ ଅନ୍ୟ କୌଣସି ନୂଆ ଅନ୍ ସପ୍ ଖୋଲାଯିବାର ବ୍ୟବସ୍ଥା କରାଯାଇ ନାହିଁ।

ଏସବୁ ବ୍ୟତୀତ ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରଇଛନ୍ତି । ବେଆଇନ ମଦ କାରବାରକୁ ରୋକିବା ଓ ଚଢ଼ାଉ ଜୋରଦାର କରିବା ନିମନ୍ତେ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀମାନଙ୍କୁ ତାଲିମ ଓ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବେଆଇନ ଓ ଚୋରା ମଦକାରବାର ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।

Related story