Advertisment

କେହି କାହାକୁ ଦେଖିପାରୁ ନାହାନ୍ତି, ତଥାପି ପରସ୍ଫରକୁ ଦେଇଛନ୍ତି ମନ

ପଲାସାରେ ଆୟୋଜିତ ଶିବର ପରେ ମିନତୀ ଓ ଚନ୍ଦନ ନିଜ ନିଜ ଘରକୁ ଫେରିଥିଲେ। କିଛି ଦିନର ନୀରବତା ପରେ ଉଭୟ କଥା ହୋଇଥିଲେ। ପ୍ରଥମେ ଭଲ ବନ୍ଧୁ ବା ସାଙ୍ଗ ହିସାବରେ ଉଭୟ କଥା ହେଉଥିଲେ।

Ganjam

Ganjam

Advertisment

କେହି କାହାକୁ ଠିକ୍‌ରେ ଦେଖିପାରୁ ନାହାନ୍ତି। ତଥାପି ପରସ୍ପରକୁ ଦେଇବସିଛନ୍ତି ମନ। ଶେଷରେ ପରିବାର ଲୋକଙ୍କ ସହମତିରେ ୩ ବର୍ଷର ପ୍ରେମ ସମ୍ପର୍କ ଆଜି ନେଇଛି ବିବାହର ରୂପ। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବେଦିରେ ପଡ଼ିଛି ହାତ ଗଣ୍ଠି। ଆଉ ପ୍ରେମିକ ଓ ପ୍ରେମିକାରୁ ବନିଛନ୍ତି ପତି ପତ୍ନୀ। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଦୁଷ୍ଟିବାଧିତ ପ୍ରେମି ଯୁଗଳଙ୍କ ନିଆରା ବିବାହ।

Advertisment

ସାନଖେମୁଣ୍ଡି ବ୍ଲକ୍‌ ଛଣମେରି ପଞ୍ଚାୟତ ମଣିଦେଇପେଣ୍ଠ ଗାଁର ନିରଞ୍ଜନ ସାହୁଙ୍କ ଝିଅ ହେଉଛନ୍ତି ମିନତୀ ସାହୁ। ଜନ୍ମରୁ ଦୃଷ୍ଟିବାଧିତ। ଦୁନିଆକୁ ଦେଖିପାରୁ ନାହାନ୍ତି। ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିନ୍ତୁ ଆର୍ଥିକ ଅନଟନ ଯୋଗୁ ଝିଅକୁ ଅଧିକ ପଢ଼ାଇ ପାରିଲେନାହିଁ। ଆଜକୁ ୫ ବର୍ଷ ତଳେ ଆନ୍ଧ୍ରପ୍ରଦେଶର ପଲାସାରେ ଆୟୋଜିତ ଭିନ୍ନକ୍ଷମ ଶିବିର। ସେଥିରେ ଭାଗ ନେଇଥିଲେ ମିନତୀ। ସେଠାରେ ତାଙ୍କ ସହ କଟକ ସାଲେପୁର ଅଞ୍ଚଳର ଚନ୍ଦନ ମଲ୍ଲିକଙ୍କ ଭେଟ ହୋଇଥିଲା। ଚନ୍ଦନ ମଧ୍ୟ ଜଣେ ଦୃଷ୍ଟିବାଧିତ। ପ୍ରଥମ ଭେଟରେ ଉଭୟ ପରସ୍ପରକୁ ଚିହ୍ନି ଥିଲେ। ତା’ପରେ ଫୋନ୍‌ ନମ୍ୱର ଦିଆନିଆ ହୋଇଥିଲେ।

ପଲାସାରେ ଆୟୋଜିତ ଶିବର ପରେ ମିନତୀ ଓ ଚନ୍ଦନ ନିଜ ନିଜ ଘରକୁ ଫେରିଥିଲେ। କିଛି ଦିନର ନୀରବତା ପରେ ଉଭୟ କଥା ହୋଇଥିଲେ। ପ୍ରଥମେ ଭଲ ବନ୍ଧୁ ବା ସାଙ୍ଗ ହିସାବରେ ଉଭୟ କଥା ହେଉଥିଲେ। ଧୀରେ ଧୀରେ ଚୁପ୍‌ ଚାପ୍‌ କଥାବାର୍ତ୍ତା କେତେବେଳେ ପ୍ରେମରେ ରୂପ ନେଲା କେହି ଜାଣିପାରିଲେ ନାହିଁ। ଉଭୟେ ମୋବାଇଲ୍‌ରେ ଭାବ ଦିଆନିଆ ହେଲେ। ପରବର୍ତ୍ତୀ ସମୟରେ ଉଭୟ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ସହମତି ପ୍ରକାଶ କରିଥିଲେ। ତା’ପରେ କଥା ଆଗକୁ ବଢ଼ିଥିଲା। ଉଭୟ ପରିବାର ଦେଖା ସାକ୍ଷାତ ହୋଇଥିଲେ।

Advertisment

ଆଜି ହେଉଛି ଶୁକ୍ରବାର। ମିନତୀ ଓ ଚନ୍ଦନଙ୍କ ବିବାହ। ସେଥିପାଇଁ ବଧୂ ବେଶରେ ସଜେଇ ହୋଇଥିଲେ ମିନତୀ। ଆଉ ବର ବେଶରେ ବନ୍ଧୁ ବାନ୍ଧବଙ୍କ ସହ ନୀଳକଣ୍ଠେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ଚନ୍ଦନ। ପୂରୋହିତଙ୍କ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ମଣ୍ଡପ। ବେଦୀରେ ବସିଥିଲେ ଚନ୍ଦନ ଓ ମିନତୀ। ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ବାହାଘର। ମିନତୀଙ୍କ ସିନ୍ଥିରେ ସିନ୍ଦୂର ଦେଇ ପତ୍ନୀ ରୂପେ ଗ୍ରହଣ କଲେ ଚନ୍ଦନ। ଆଉ ଦୀର୍ଘ ୩ ବର୍ଷର ନୀରବ ପ୍ରେମ ନେଲା ବିବାହର ରୂପ। ବାହାଘର ପରେ ଶ୍ୱଶୁର ଘରେ ଅଛନ୍ତି ଚନ୍ଦନ। ତାଙ୍କ ପରିବାର ଲୋକେ ସାଲେପୁର ଫେରି ଆସିଛନ୍ତି। ପରେ ବିଧି ବିଧାନ ଅନୁସାରେ ପତ୍ନୀ ମିନତୀଙ୍କୁ ଧରି ନିଜ ଘରକୁ ଚନ୍ଦନ ଫେରିବେ ବୋଲି ଜଣାପଡ଼ିଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ନାରାୟଣ ପାଢ଼ୀ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe