Attack
ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କାର୍ଯ୍ୟରତ ଅତିରିକ୍ତ କମିଶନର ବରିଷ୍ଠ ଓଏଏସ୍ ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଘଟଣାରେ ପୁଲିସ ଜଣେ କର୍ପୋରେଟରଙ୍କ ସମେତ ମୋଟ ୩ଜଣଙ୍କୁ ଗିରଫ କରିଥିବାବେଳେ ଏହାପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ଜନପଥରେ ରାସ୍ତାରୋକ ହୋଇଥିଲା । ପୁଲିସ ସହ ଧସ୍ତାଧସ୍ତି ପରେ ବିଜେଡି କର୍ମୀମାନଙ୍କୁ ପୁଲିସ ସେଠାରୁ ଉଠାଇ ନେଇଛି ଓ ରାସ୍ତା ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଅତିରିକ୍ତ କମିଶନର ଶ୍ରୀ ସାହୁ ନିଜ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିବାବେଳେ ୬ରୁ ୭ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଘୋଷାଡ଼ି ନେଇ ମୁହଁକୁ ଗୋଇଠା ମାରିବା ସହ ଅମାନବୀୟ ଢଙ୍ଗରେ ମାଡ଼-ଗାଳି ସହ ରକ୍ତାକ୍ତ କରିଦେଇଥିଲେ । ତାଙ୍କୁ ସେଠାରୁ ଜବରଦସ୍ତି ଏକ ଗାଡ଼ିକୁ ଟାଣି ନେଇ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ନେତାଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ ।
ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲେ । ଏନେଇ ବିଏମସି ଅତିରିକ୍ତ କମିଶନର ଶ୍ରୀ ସାହୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିବାବେଳେ ବିଏମସିର କର୍ମଚାରୀମାନେ ଏହି ଆକ୍ରମଣର ପ୍ରତିବାଦରେ ଧାରଣାରେ ବସିଥିଲେ । ପରେ ବିଜେଡିର କର୍ମୀ ଓ କର୍ପୋରେଟରମାନେ ସନ୍ଧ୍ୟାରେ ପହଂଚି ଜନପଥରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ସହ ସେମାନଙ୍କର ଗଡ଼ଫାଦରଙ୍କୁ ଗିରଫ ନିମନ୍ତେ ଦାବି କରିଥିଲେ ।
ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପୁଲିସ ପ୍ରୟାସ କରିଥିବାବେଳେ ବିଜେଡି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେବା ପାଇଁ ବିଜେଡିର ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଓ ଅନନ୍ତ ନାରାୟଣ ଜେନାଙ୍କ ସମେତ ମେୟର ସୁଲୋଚନା ଦାସ ଓ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ । ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେବାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।
ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୩ଜଣଙ୍କୁ ଗିରଫ କରିଛି । ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶୀଷ ପ୍ରଧାନଙ୍କୁ ପୁଲିସ ଗିରଫ କରିଥିବାବେଳେ ଅଧିକ ସଂଖ୍ୟକ ଗିରଫ ହୋଇପାରେ ବୋଲି ସୂଚନା ଦେଇଛି । ତେବେ ବିଜେଡି ନେତାମାନେ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଜଣେ ବିଜେପି ନେତାଙ୍କ ଗିରଫ ଦାବି କରୁଥିବା ଜଣାପଡ଼ିଛି ।
ଏହି ଘଟଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କହିଥିବା ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଯେଉଁ ରାଜନୀତିକ ନେତା ଏହି ସମସ୍ତ ଘଟଣାର ଷଡ଼ଯନ୍ତ୍ର କରିଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନବୀନ ଦାବି କରିଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ନିରାପଦ ନଥିବାବେଳେ ରାଜ୍ୟରେ ସାଧାରଣ ଲୋକେ ସରକାରଙ୍କଠୁ କିଭଳି ଆଇନଶୃଙ୍ଖଳା ଆଶା କରିବେ ବୋଲି କହିଛନ୍ତି । ସରକାରଙ୍କ ପ୍ରତି ଆସ୍ଥା ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନବୀନ ଆଶାବ୍ୟକ୍ତ କରିବା ସହ ପୂର୍ବତନ ରାଜ୍ୟପାଳଙ୍କ ପୁଅକୁ ଯେଭଳି ଛାଡ଼ିଦେଲେ ସେଭଳି କଲେ ଓଡ଼ିଶାବାସୀ କଦାପି କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ।
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଆଇନ ତା’ବାଟରେ କାର୍ଯ୍ୟ କରିବ ବୋଲି କହିଛନ୍ତି । ବିଜେପି କିମ୍ବା ସରକାର ଏପରି କାର୍ଯ୍ୟ ଓ ବିଚାରଧାରା ସହ କୌଣସି ରୂପେ ସଂଶ୍ଲୀଷ୍ଟ ନୁହଁନ୍ତି ଓ ପ୍ରୋତ୍ସାହନ କରନ୍ତି ନାହିଁ । କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ କାର୍ଯ୍ୟ । ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ବିରୋଧରେ ଆବଶ୍ୟକୀୟ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଅତ୍ୟନ୍ତ ଆବଶ୍ୟକ । କାର୍ଯ୍ୟରତ ଅଧିକାରୀମାନେ ନିଜର କାର୍ଯ୍ୟ ନିଷ୍ଠା ଓ ସାହସ ସହ କରୁଥିବାରୁ ସାଧୁବାଦ ଜଣାଉଛି । ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ ।
ସେହିପରି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, “ମୋ’ ଦୃଷ୍ଟରେ ରତ୍ନାକର ସାହୁ ଖରାପ ଅଫିସର ନୁହଁନ୍ତି । କେବଳ କଥାବାର୍ତ୍ତାରେ କିଛି ସମସ୍ୟା ଥାଇପାରେ ବୋଲି କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Attack_1751295016.jpg)