JP
ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଛି ଓଏଏସ୍ ସଂଘ । ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏପଟେ ବିଜେପି ନେତା ଶ୍ରୀ ପ୍ରଧାନଙ୍କ ଗିରଫକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ବିଜେପି ଏହି ଘଟଣାରେ ତାଙ୍କୁ ସିଧାସଳଖ ସମର୍ଥନ ଦେଉନଥିଲେ ମଧ୍ୟ ପ୍ରଶାସନିକ ଅଚଳାବସ୍ଥା ଏଡ଼ାଇବା ପାଇଁ ଦଳ ତରଫରୁ ପ୍ରୟାସ ହୋଇଥିବା ଜଣାପଡ଼ିଛି ।
ବିିଜେପି ନେତା ଶ୍ରୀ ପ୍ରଧାନ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳ ସଭାପତି ମନମୋହନ ସାମଲଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରି ନିଜ ଘରକୁ ଫେରିଯିବା ପରେ ସେ ଆତ୍ମସର୍ମପଣ କରିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅନ୍ୟପକ୍ଷରେ ଆଜି ଅପରାହ୍ନରେ ରାଜ୍ୟ ଓଏଏସ୍ ସଂଘ ପୁଣିଥରେ ଜରୁରୀକାଳୀନ ବୈଠକ ଡାକି ଜରୁରୀ ଓ ନିସର୍ତ୍ତ ୩ଦଫା ଦାବି ମାନି ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ସଚିବଙ୍କୁ ଦାବିପତ୍ର ଦେଇଛି ଯେଉଁଥିରେ ଶ୍ରୀ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ତାଙ୍କର ଗିରଫ ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିôବାରୁ ତାହା ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।
ବିଜେପି ଅଫିସରୁ ଘରକୁ ଫେରିଗଲେ ଜଗନ୍ନାଥ ପ୍ରଧାନ
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଡ଼ିତ କର୍ପୋରେଟର ଅରୂପ ନାରାୟଣ ରାଉତଙ୍କ ଓ ଅନ୍ୟ ୪ଜଣଙ୍କୁ ପୁଲିସ ଗିରଫ କରିବା ପରେ ବିଜେପି ମଧ୍ୟ ସେମାନଙ୍କୁ ଦଳରୁ ନିଲମ୍ବନ କରିସାରିଛି । ତେବେ ଏହି ଘଟଣାରେ ଶ୍ରୀ ପ୍ରଧାନଙ୍କୁ ମାଷ୍ଟରମାଇଣ୍ଡ ବୋଲି ଅଭିହିତ କରି ଓଏଏସ୍ ସଂଘ ଓ ବିଏମସି କର୍ମଚାରୀମାନେ ଦାବି କରିଆସୁଛନ୍ତି । ଗତ ଦୁଇଦିନ ଧରି ରାଜ୍ୟବ୍ୟାପୀ ପ୍ରଶାସନିକ ଅଚଳାବସ୍ଥା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଆଶ୍ୱାସନା ସହ ୫ଜଣଙ୍କ ଗିରଫ ସତ୍ତ୍ୱେ ଓଏଏସ୍ ସଂଘ ନିଜ ଜିଦରେ ଅଟଳ ରହି ଶ୍ରୀ ପ୍ରଧାନଙ୍କ ଗିରଫ ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ରାଜ୍ୟରେ ଏଭଳି ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ବିଜେପି ପକ୍ଷରୁ ଏହି ଘଟଣାରେ ଉଭୟ ପକ୍ଷର ସମ୍ମାନ ରକ୍ଷା ଭଳି ଉପାୟ ଖୋଜାଯାଇଛି । ବିଜେପି ଏହି ଘଟଣାରେ ନିଜର ଭୁବନେଶ୍ୱର ସେଂଟ୍ରାଲ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ସିଧାସଳଖ ସମର୍ଥନ ଦେଇନଥିଲେ ମଧ୍ୟ ତାଙ୍କୁ ରାଜ୍ୟ ମୁଖ୍ୟାଳୟକୁ ଡକାଇ ଘଟଣା ସମ୍ପର୍କରେ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚୁରା କରିଥିବା ଜଣାପଡ଼ିଛି ।
ଶ୍ରୀ ପ୍ରଧାନ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ ରାଜ୍ୟ ସଭାପତି ଡାକିଥିଲେ, ତାଙ୍କୁ ଘଟଣା ସମ୍ପର୍କରେ ଅବଗତ କଲି । ଆମ ପରିବାରର କଥା । ଯାହା କହିବା କଥା କହିଛି । ଏବେ ମୁଁ ଘରକୁ ଯାଉଛି ।” ଶ୍ରୀ ପ୍ରଧାନଙ୍କ ଏହି ଦୁଇପଦ କଥା ଓ ତାଙ୍କର ଦମ୍ଭୋକ୍ତି ପରେ ସେ ଗିରଫ ହେବା ଅବା ଆତ୍ମସର୍ମପଣ କରିବା ଭଳି ପ୍ରତୀତ ହେଉନଥିବା ସାଧାରଣରେ ଚର୍ଚ୍ଚା । ଅବଶ୍ୟ ଦଳ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିବୃତ୍ତି ଆସି ନାହିଁ । ମାତ୍ର ଏହି ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଜେପି ନିଜର କର୍ପୋରେଟର ଶ୍ରୀ ରାଉତଙ୍କ ସମେତ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲା । ଏହି ସମସ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ସାରିଛି ।
ବିଜେପି ଅଫିସ୍ ଆସିବା ଆଗରୁ ଜଗନ୍ନାଥ ପ୍ରଧାନଙ୍କ ସୋସିଆଲ ମିଡିଆ ପୋଷ୍ଟ
ରାଜ୍ୟରେ ଦୁଇଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୀତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି । ମୁଁ ଆଗରୁ କହିଛି, ଏବେବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି । ରାଜ୍ୟରେ ପ୍ରଶାସନିକ ଅଚଳାବସ୍ତା ଆଡ଼କୁ ଗତି କରୁଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଓ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି । ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ପରେ ଜଗନ୍ନାଥ ତାଙ୍କ ସୋସିଆଲ ମିଡିଆରେ ଲେଖିଥିଲେ ଯେ “ଗୋଟିଏ ହାତରେ ତାଳି ବାଜେନି...ଜୟ ଜଗନ୍ନାଥ’ ଲେଖିଥିଲେ ।
ଖାରବେଳ ନଗର ଥାନାରେ ବ୍ୟାପକ ସୁରକ୍ଷା
ଜଗନ୍ନାଥ ପ୍ରଧାନ ଗିରଫ ହେବେ ନା ଆତ୍ମସର୍ମପଣ କରିବେ ତାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ଶ୍ରୀ ପ୍ରଧାନ ରାଜ୍ୟ ବିଜେପି ମୁଖ୍ୟାଳୟକୁ ଆସିବା ପରେ ଅଚାନକ ଖାରବେଳ ନଗର ଥାନାର ସୁରକ୍ଷା ବଢ଼ାଇ ଦିଆଯାଇଥିଲା । ସେଠାରେ ବ୍ୟାପକ ପୁଲିସ ମୁତୟନ ହେବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତି ଯୋଗୁ ଶ୍ରୀ ପ୍ରଧାନଙ୍କ ପାଇଁ ଏଭଳି ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶ୍ରୀ ପ୍ରଧାନ ନିଜ ଘରକୁ ଫେରିବା ପରେ ତାଙ୍କ ଗିରଫ ଅବା ଆତ୍ମସର୍ମପଣ ଚର୍ଚ୍ଚା ଉପରେ ଏବେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅନ୍ୟପକ୍ଷରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଓଏଏସ୍ ଅଫିସର ରତ୍ନାକର ସାହୁ ଆଜି ନିଜ ଅଫିସରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/JP_1751463719.jpg)