ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଆଜି ବିଏମସି ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ହତ୍ୟାକାଣ୍ଡର ଶିକାର ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ସୁପରଭାଇଜର ଚାକିରି ଦେବା ପାଇଁ ନିଷ୍ପତ୍ତି ହୋଇଛି । ସହଦେବ ଯେଉଁ ସଫେଇ ଏଜେନ୍ସୀରେ କାର୍ଯ୍ୟ କରୁଥିଲେ ସେହି ଏଜେନ୍ସିରେ ତାଙ୍କ ପତ୍ନୀଙ୍କୁ ନିଯୁକ୍ତି ମିଳିବ ।
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ବୁଧବାର ସକାଳେ ସହଦେବଙ୍କୁ ହତ୍ୟା କରାଯିବା ପରେ ସଫେଇ କର୍ମଚାରୀମାନେ ବିଏମସି ଅଫିସ ଘେରାଉ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସହଦେବଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ୪ଦଫା ଦାବିରେ ଆନ୍ଦୋଳନ କରିଥିବା ସଫେଇ କର୍ମଚାରୀଙ୍କ ସହ ଆଜିି ବିଏମସି ମେୟର ଶ୍ରୀମତୀ ଦାସ ଆଲୋଚନା କରିବା ପରେ ଦୁଇଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହୋଇଥିଲା । ସଫେଇ କର୍ମଚାରୀମାନେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ, ସହଦେବଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ, ତାଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଥିଲେ । ତେବେ ସରକାରଙ୍କ ବିନା ଅନୁମତିରେ ବିଏମସି ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ବିଏମସି କିଭଳି ନିଷ୍ପତ୍ତି ନେଲା ତାକୁ ନେଇ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।