/odisha-reporter/media/post_attachments/uploadimage/library/16_9/16_9_0/DR_1739359254.jpg)
DR
ପ୍ରକାଶ ପାଇଛି ଖଣି ମାଲିକ ଇଂ ଦୀପ୍ତିରଂଜନ ପଟ୍ଟନାୟକ ବା ଡିଆର ପଟ୍ଟନାୟକଙ୍କ ଜୀବନୀ- `ଡିଅର୍ ଡି ଆର୍’। ଏହି ବହିରେ ଏକଦା ଓଡ଼ିଶାର ମୋଷ୍ଟ ପାଓ୍ବାରଫୁଲ ମ୍ୟାନ ଥିବା ଭି କେ ପାଣ୍ଡିଆନ୍ଙ୍କ ଉପରେ ଉଲ୍ଲେଖ ରହିଛି।
ବିଜେଡି ସରକାର ସମୟରେ ‘ସମ୍ବାଦ’ ଖବରକାଗଜ ପ୍ରକାଶ କରୁଥିବା ଇଷ୍ଟର୍ନ ମିଡିଆ ଗ୍ରୁପ୍ ଉପରେ କିଭଳି ଇଓଡବ୍ଲ୍ୟୁ ଚଢ଼ଉ ହୋଇଥିଲା ଓ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଗ୍ରୁପର ଅଧ୍ୟକ୍ଷ ପଦ ଛାଡ଼ିବାକୁ ସର୍ତ୍ତ ରଖାଯାଇଥିଲା ତା’ର ଖୁଲାସା କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଭାଇ ଇଞ୍ଜିନିୟର ଦୀପ୍ତିରଂଜନ ପଟ୍ଟନାୟକ। ଡିଆରଙ୍କ ଅନୁସାରେ- ସୌମ୍ୟରଂଜନଙ୍କ ସରଳତା ତାଙ୍କୁ ଜଣେ ସଫଳ ବ୍ୟବସାୟୀ କରିପାରିନାହିଁ।
ସୌମ୍ୟରଂଜନ ବାସ୍ତବତାକୁ କମ ଦେଖନ୍ତି। ସେ ସବୁବେଳେ ବିଭିନ୍ନ ଦଳରେ ରହି ମୁହଁ ଖୋଲି ବିବାଦରେ ଛନ୍ଦି ହୋଇପଡ଼ନ୍ତି। ବିଶେଷକରି ବିଜେଡି ସରକାରଙ୍କ ବିରୋଧରେ ତାଙ୍କର ସ୍ବର ଉତ୍ତୋଳନ ତାଙ୍କୁ ବେଶି କ୍ଷତିଗ୍ରସ୍ତ କରାଇଥିଲା। ସରକାରୀ କଳ ତାର ସମସ୍ତ ବଳ ପ୍ରୟୋଗ କଲା ସୌମ୍ୟରଞ୍ଜନଙ୍କୁ ଚୁପ୍ କରାଇବା ଲାଗି। ସୌମ୍ୟରଂଜନ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ପଦ ଛାଡ଼ିବା ପରେ ମଧ୍ୟ ଏ ବିବାଦ ଥମିଲା ନାହିଁ।
ପାଣ୍ଡିଆନ୍ ମହାଶୟ ସିଧାସଳଖ ସର୍ତ୍ତ ରଖିଲେ ସମ୍ବାଦକୁ ଅନ୍ୟ କାହାକୁ ହସ୍ତାନ୍ତର କରିଲେ ହିଁ ରକ୍ଷା। ନଚେତ୍ ପରିମାଣ ଭୋଗିବାକୁ ପ୍ରସ୍ତୁତ ରୁହ। ଏପରିକି ସରକାରୀ ଦଳ ପୁଞ୍ଜି ଲଗାଣକାରୀଙ୍କୁ ମଧ୍ୟ ଯୋଗାଡ଼ କରି ସାରିଥିଲେ। ତେବେ ଆଉ ଗୋଟିଏ ରିହାତି ତା’ ମଧ୍ୟରେ ଥିଲା। ଯଦି ଡିଆର ତାହାର ଏକାବନ ପ୍ରତିଶତ ଭାଗିଦାରୀ ହୁଅନ୍ତି, ତେବେ ସରକାରୀ କଳର ସାହାଯ୍ୟ ରହିବ। ଡିଆରଙ୍କୁ ଏ ପଦରେ ଅବସ୍ଥାପିତ କରିବା ମଧ୍ୟ ଗୋଟିଏ ଦୃଷ୍ଟିରୁ ସୌମ୍ୟରଂଜନଙ୍କ ନିମନ୍ତେ ନିରାପଦ ଥିଲା।‘ ଏଥିପାଇଁ ଡିଆର କମ୍ପାନୀର ପ୍ରାୟ 51% ସେୟାର ବାବଦରେ ଦେଢ଼ ଶହ କୋଟି ଟଙ୍କା ଦେଇଥିଲେ।
ରାଜ୍ୟରେ ଗୋଟିଏ ପାରିବାରିକ ମିଡିଆ ହାଉସକୁ ଶୀର୍ଷ ସ୍ତରକୁ ନେବାରେ `ସମ୍ବାଦ’ର ନାଁ ଥିବାବେଳେ, ଏହାକୁ ଏକ ନମ୍ବର କରିବାରେ ତିନି ଜଣଙ୍କ ଅବଦାନ ଥିଲା ବୋଲି ପୁସ୍ତକରେ କହିଛନ୍ତି ଡିଆର ପଟ୍ଟନାୟକ। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ସୌମ୍ୟରଂଜନଙ୍କ ଦୁଇ ଭାଇ ନିରଂଜନ ପଟ୍ଟନାୟକ ଓ ଖୋଦ୍ ଦୀପ୍ତିରଂଜନ ପଟ୍ଟନାୟକ। ଦୀପ୍ତିରଂଜନ କିଭଳି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପରିବେଶ ଦେଇ ଗତି କରି ଖଣିର ମାଲିକ ହୋଇ ଧନୀ ହୋଇପାରିଥିଲେ ତାହା ଦର୍ଶାଇଛନ୍ତି ଲେଖକ ଡ. ସଂଜୟ ହାତୀ।
ଭୁବନେଶ୍ୱରରେ ଏକ ଷ୍ଟାର ହୋଟେଲରେ ଇଂ. ଦୀପ୍ତିରଂଜନ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ ଉତ୍ସବ ଆୟୋଜନ କରିଥିଲେ ତ୍ରିବେଣୀ ଆର୍ଥ ମୁଭର୍ସର ଏମଡି ଇଂ. ବି. ପ୍ରଭାକରନ। ଦୀର୍ଘ ବର୍ଷ ତଳୁ ପ୍ରଭାକରନଙ୍କ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀ ଡିଆର ପଟ୍ଟନାୟକଙ୍କ ଖଣି ସହ ଅନେକ ଖଣିରୁ ଖଣିଜ ପଦାର୍ଥ ଉତ୍ତୋଳନର ଦାୟିତ୍ବ ନେଇଥିବାବେଳେ ଏକଦା ପାଣ୍ଡିଆନଙ୍କ ପାଖ ଲୋକ ଥିଲେ ବୋଲି କୁହାଯାଏ। ସରକାର ବଦଳି ନଥିଲେ, ପ୍ରଭାକରନ୍ ଓ ଡିଆରଙ୍କ ଭୂମିକା ଏତେ ସ୍ପଷ୍ଟ ହୋଇପାରିଥାନ୍ତା କି ନାହିଁ ସେ ନେଇ ସନ୍ଦେହ ରହିଛି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
