ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଚାଷୀଙ୍କଠୁ ଧାନ ସଂଗ୍ରହ ପ୍ରକ୍ରିୟାରେ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଂଟନ କରାଯାଇଛି । ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଅବା ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହି ସରକାରଙ୍କ ନିମନ୍ତେ ଏକକ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରିବେ । ଏହାସହିତ ଚଳିତ ଖରିଫ ଋତୁରୁ ଧାନ ବିକ୍ରିବେଳେ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଓ ଚାଷୀମାନଙ୍କ ଟୋକନ୍ ଅବଧିକୁ ଜିଲ୍ଲାପାଳମାନେ ମଧ୍ୟ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ରାଜ୍ୟର ବିଜେପି ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଚଳିତ ଖରିଫ ଋତୁରୁ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବୋନସ୍ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ ଓ ପାରଦର୍ଶୀ କରି ବିଗତ ଦିନରେ ଚାଲିଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଳିତବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଅତିରିକ୍ତ ଦିଆଯାଉଛି । ସେଥିପାଇଁ ଚାଷୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ରହିଛି । ତେଣୁ ଧାନସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଅବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ସେମାନେ ସରକାରଙ୍କ ପାଇଁ ୱାନପଏଂଟ କଣ୍ଟାକ୍ଟ ଭାବେ କାର୍ଯ୍ୟ କରିବେ । ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଧାନ ବିକ୍ରି ପାଇଁ ସମସ୍ତ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ । ସେମାନେ ଯେପରି ବିନା ଅସୁବିଧାରେ ନିଜର ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଜିଲ୍ଲାପାଳମାନଙ୍କର ଦାୟିତ୍ୱ ଓ ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟୋକେନ୍ ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକେନ୍ ଅବଧିକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଗତ ସରକାରରେ ଚାଷୀଙ୍କ ଟୋକେନ୍ ଅବଧି ସମାପ୍ତ ହୋଇଯିବା ଯୋଗୁ ସେମାନେ ଧାନ ବିକ୍ରିରେ ସମସ୍ୟା ହେଉଥିଲା । ଧାନର କଟନୀ-ଛଟନୀ ବନ୍ଦ କରିବା ପାଇଁ ଚାଷୀମାନେ ଯେପରି କେବଳ ଏଫଏକ୍ୟୁ ମାନର ଧାନକୁ ମଣ୍ଡିକୁ ଆଣିବେ ସେଥିପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ତେଣୁ ଚାଷୀମାନଙ୍କ ହ୍ୱାଟସଅପ୍ ଗ୍ରୁପରେ ସେମାନଙ୍କୁ ବାରମ୍ବାର ଏ ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ ମଣ୍ଡିରେ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା ହୋଇଛି । ଛୋଟମଣ୍ଡିରେ ମାନ୍ୟୁଆଲ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା ମଧ୍ୟ କରାଯିବ । ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ କ୍ୱାଲିଟି ଆନାଲିସିଷ୍ଟ ଓ ସୁପରଭାଇଜର ନିୟୋଜିତ ହେବେ । ଓଡ଼ିଶାରେ ଧାନର ମୂଲ୍ୟ ବୃଦ୍ଧି ପାଇଥିବାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଧାନ ଆସିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳମାନେ ସବୁ ସୀମାବର୍ତ୍ତୀ ଅଂଚଳରେ ଏନଫୋର୍ସମେଂଟ ସ୍କ୍ୱାର୍ଡ ନିୟୋଜନ ପାଇଁ ବ୍ୟବସ୍ଥା କରିଛନ୍ତି । ସିସିଟିଭି ଓ ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ୁଥିବା ମୁଖ୍ୟ ରାସ୍ତାଗୁଡ଼ିକର ୨୪ଘଂଟିଆ ମନିଟରିଂ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି ।
ବୈଠକର ନିଷ୍ପତ୍ତି ଅନୁସାରେ ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡି ପରିଚାଳନା ଅଧିକାରୀ ରହିବେ । ପ୍ରତି ୪-୫ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭାଇଜର ରହିବେ । ଗୋଟିଏ ସେଂଟ୍ରାଲ ଡ୍ୟାସବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ତଦାରଖ କରାଯିବ । କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି ।
ଆଜିର ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମେତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ମଧ୍ୟ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହୋଇଥିଲେ ।