Advertisment

୩ ଦିନ ହେଲା ବାରିପଦାରୁ ଗଡ଼ୁନି ଘରୋଇ ବସ୍‌, ଆଜି ଗଡ଼ିଲା ୧୪ ସରକାରୀ ବସ୍‌

ବାରିପଦାକୁ ଜିଲ୍ଲା ବାହାରୁ ଅନ୍ୟାନ୍ୟ ବସ୍ ଚଳାଚଳ କରୁଥିବା ବେଳେ କେବଳ ବାରିପଦାର ବସ୍ ମାଲିକମାନେ ଚଳାଚଳକୁ ବନ୍ଦ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus

Bus

ଆଜିକୁ ୩ ଦିନ ହେବ ବାରିପଦାରୁ ଗଡ଼ୁନି ଘରୋଇ ବସ୍। ବାରିପଦା ବସଷ୍ଟାଣ୍ଡରୁ କୌଣସି ଘରୋଇ ବସ୍ ଚାଲୁନଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଆଜି ୧୪ଟି ସରକାରୀ ବସ୍‌ ଚଲାଇଛି। ଖୋଦ୍ ମୟୂରଭଞ୍ଜ ଆରଟିଓ ବସ୍ ଷ୍ଟାଣ୍ଡରେ ଉପସ୍ଥିତ ରହି ଗାଡ଼ି ଚଳାଚଳକୁ ଅନୁଧ୍ୟାନ କରିଛନ୍ତି। ପରେ ଆହୁରି କିଛି ସରକାରୀ ବସ୍ ଆଣି ଚଳାଚଳ ପାଇଁ ଯୋଜନା କରାଯାଇଥିବା କହିଛନ୍ତି ଆରଟିଓ।

Advertisment

ବସ୍‌ ଟାଇମିଂକୁ ନେଇ ଗତ ଶୁକ୍ରବାର ରାତିରେ ବାରିପଦା ବସ୍‌ଷ୍ଟାଣ୍ଡରେ ବସ୍‌ ମାଲିକଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀରୁ ୧୦ ଜଣ ଆହତ ହୋଇଛନ୍ତି। ଗତକାଲି ପୁଲିସ୍ ୪ ଜଣ ବସ୍ ମାଲିକଙ୍କ ସହ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଲିକମାନେ ଗିରଫ ହୋଇଥିବାରୁ ବାରିପଦା ବସ୍ ମାଲିକମାନେ ବସ୍ ଚଳାଚଳ ବନ୍ଦ କରିଛନ୍ତି। ସମସ୍ୟା ସମାଧାନ ପାଇଁ ଗତକାଲି ଉଦ୍ୟମ କରାଯାଇଥିଲା। କିନ୍ତୁ କିଛି ଲାଭ ହୋଇ ନଥିଲା। 

ବାରିପଦାକୁ ଜିଲ୍ଲା ବାହାରୁ ଅନ୍ୟାନ୍ୟ ବସ୍ ଚଳାଚଳ କରୁଥିବା ବେଳେ କେବଳ ବାରିପଦାର ବସ୍ ମାଲିକମାନେ ଚଳାଚଳକୁ ବନ୍ଦ କରିଛନ୍ତି। ତେବେ ଆଜିଠାରୁ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଥିବାରୁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। 

Advertisment

ଅନ୍ୟପକ୍ଷରେ ବାରିପଦା ବସ୍‌ଷ୍ଟାଣ୍ଡରୁ ଆଜି ସନ୍ଧ୍ୟା ସୁଦ୍ଧା ଘରୋଇ ବସ୍‌ ଗଡ଼ିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବସ୍ ମାଲିକ ସଂଘ ସମ୍ପାଦକ। ବେତନଟୀରେ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। 

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି। 

Osrtc