Advertisment

ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ

ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ ବୋଲି କହିଛନ୍ତି ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus

Bus

ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସରକାର ଲିଖିତି ପ୍ରତିଶ୍ରୁତି ନଦେବାରୁ ମାଲିକ ସଂଘ ବସ୍ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସେ କହିଛନ୍ତି।  

Advertisment

ସେ କହିଛନ୍ତି, ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ। ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ। 

ଘରୋଇ ବସ୍ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଆସନ୍ତାକାଲିଠାରୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ହଇରାଣ ହେବ। ଦଶହରା ପାଇଁ ଆସନ୍ତାକାଲିଠାରୁ ସ୍କୁଲ୍‌ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଯେଉଁ ଲୋକମାନେ ଗାଁକୁ ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଥିଲେ, ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ଆଗୁଆ ସିଟ୍ ବୁକ୍ କରିଥିଲେ। କିନ୍ତୁ ବସ୍‌ ଧର୍ମଘଟ ଖବର ସମସ୍ତଙ୍କୁ ନିରାଶ କରିଛି। 

Advertisment

ଧର୍ମଘଟ କଥା ଶୁଣି ଆଜି ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡକୁ ଦଉଡୁଛନ୍ତି ଯାତ୍ରୀ। ଦୂରଦୂରାନ୍ତ ଯିବାକୁ ଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ ମୁହାଁ ହୋଇଛନ୍ତି।  ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ କଟକର ନେତାଜୀ ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ଘରକୁ ପଳାଇ ଯିବାକୁ ବ୍ୟଗ୍ର ହୋଇପଡୁଛନ୍ତି ଯାତ୍ରୀ। ଟିକେଟ ଖଣ୍ଡେ ପାଇବାକୁ କାକୁତିମିନତି ହେଉଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ବସ୍‌ଷ୍ଟାଣ୍ଡରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୂଜା ଛୁଟି ଥିବାରୁ ଘରକୁ ପଳାଇ ଯିବାକୁ ସବୁ ଯାତ୍ରୀ ଚେଷ୍ଟା କରୁଛନ୍ତି। 

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ କରୁଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଗତକାଲି ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଥିଲା। ତେବେ ଆଜି ସକାଳେ CMO ସହିତ ବସ୍ ମାଲିକ ସଂଘର ଆଲୋଚନା 
ହୋଇଥିଲା। ହେଲେ ଏହା ‍ବିଫଳ ହୋଇଥିଲା। ତେଣୁ ଆନ୍ଦୋଳନ ନିଷ୍ପତ୍ତିରେ ଅଟଳ ରହିଛି ବସ୍ ମାଲିକ ସଂଘ। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି। ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି।

Bus Strike