Advertisment

‘ଆଲୋଚନା ସକାରାତ୍ମକ ହୋଇଛି, କିନ୍ତୁ ଧର୍ମଘଟ ପ୍ରତ୍ୟାହୃତ ହୋଇନି’

ବୈଠକ ସଫଳ ହୋଇ ନ ଥିଲେ ବି ଆଲୋଚନା ସକାରାତ୍ମକ ହୋଇଥିବା ବସ୍‌ ସଂଘ ପକ୍ଷରୁ କୁହାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Bus

Bus

ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ନିମନ୍ତେ ଡାକରା ଦେଇଛି ବସ୍ ମାଲିକ ସଂଘ। ଏହା ପୂର୍ବରୁ ଆଜି ସିଏମ୍ଓ-ବସ୍ ମାଲିକ ସଂଘ ବୈଠକ ବସିଛି। ବୈଠକ ସଫଳ ହୋଇ ନ ଥିଲେ ବି ଆଲୋଚନା ସକାରାତ୍ମକ ହୋଇଥିବା ବସ୍‌ ସଂଘ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲିଠୁ ଡାକରା ଦିଅଯାଇଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟକୁ ବନ୍ଦ କରିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ସଂଘ କହିଛି। 

Advertisment

ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ସିଏମ୍ଓ-ବସ୍ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ଦୀର୍ଘ ସମୟ ଚାଲିଥିଲେ ବି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରି ନ ଥିବା ଜଣାଯାଇଛି।

ବୈଠକ ପରେ ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି। ସରକାର ଆମ ଦାବି ଶୁଣିବା ସହ ସେଗୁଡ଼ିକ ଯଥାର୍ଥ ବୋଲି କହିଛନ୍ତି । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ।

Advertisment

ଏଥିସହ ସେ କହିଛନ୍ତି, ଆଲୋଚନା ସମ୍ପର୍କରେ ଆମେ ଅପରାହ୍ନ ୩ଟାରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ହେବାକୁ ଥିବା ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେଣୁ ଏବେ ବି ଆମ ଆନ୍ଦୋଳନ ନିଷ୍ପତ୍ତି ବଳବତ୍ତର ରହିଛି।

‘ଲକ୍ଷ୍ମୀ ବସ୍’ ଚଳାଚଳକୁ ବିରୋଧ

ଗ୍ରାମାଞ୍ଚଳରେ ପରିବହନ ସେବା ସୁଗମ କରିବା ଓ ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ‘ଲକ୍ଷ୍ମୀ ବସ୍’ ଯୋଜନା ଆଣିଛନ୍ତି। 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ଅନୁସାରେ ସମସ୍ତ ପଞ୍ଚାୟତ, ବ୍ଳକ୍ ହେଡକ୍ୱାର୍ଟର, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ରାଜଧାନୀକୁ ବସ୍ ଯୋଗେ ସଂଯୋଗ କରାଯିବ। ଏଥିରେ ଏକ ହଜାର ବସ ଗଡ଼ିବ। ଗ୍ରାମାଞ୍ଚଳରେ ପରିବହନ ସେବା ସୁଗମ କରିବା ଓ ମହିଳା ସଶକ୍ତୀକରଣ ପାଇଁ ଏହି ସ୍କିମ୍ କରିଛନ୍ତି ସରକାର । ଚାଷୀଙ୍କ କୃଷିଜାତ ଦ୍ରବ୍ୟକୁ ଉତ୍ପାଦନ ସ୍ଥଳରୁ ଗନ୍ତବ୍ୟ ସ୍ଥାନକୁ ନେବା ଲାଗି ବ୍ୟବସ୍ଥା ରହିଛି। ଲକ୍ଷ୍ମୀ ଯୋଜନାରେ ମିଶନ ଶକ୍ତି ମହିଳାମାନେ ରକ୍ଷଣାବେକ୍ଷଣ ଭଳି କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

‘ଲକ୍ଷ୍ମୀ ବସ୍’ ଚଳାଚଳକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଧର୍ମଘଟ ଧମକ ଦିଆଯାଇଛି। ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡ଼ିବାକୁ ଥିବା ବସ୍‌ ଭିତରେ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକୁ ସାମିଲ କରିବା ଓ ମୋ ବସ୍‌ ଅର୍ବାନ ଏରିଆ ଛଡ଼ା ଅନ୍ୟ କୌଣସି ଅଞ୍ଚଳକୁ ନ ଚଲାଇବା ପାଇଁ ସଂଘ ପକ୍ଷରୁ ଦାବି ହୋଇଥିଲା। ଏହାଛଡ଼ା ସଂଘର ଆହୁରି ବହୁ ଦାବି ଥିବା ବେଳେ ତାହାକୁ ରାଜ୍ୟ ସରକାର ଅଣଦେଖା କରୁଥିବାରୁ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆସନ୍ତାକାଲିଠୁ ଧର୍ମଘଟ ହେଲେ ସେଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍‌ଗୁଡ଼ିକ ବି ସାମିଲ୍‌ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Bhubaneswar