Advertisment

୧୪ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ, ଦେଲେ ଅଧ ଏକର ଜାଗା

ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ମୌଜାରେ ଯାଦବ ଭବନ ନିର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମି ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
Loka Seva Bhavan

Loka Seva Bhavan

ସାଧାରଣ ନିର୍ବାଚନର ତାରିଖ ଘୋଷଣାର ମାତ୍ର ୪ଘଣ୍ଟା ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିର ଏହା ଶେଷ କ୍ୟାବିନେଟ୍ ବୈଠକ । ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ମୌଜାରେ ଯାଦବ ଭବନ ନିର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମି ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଶେଖରପୁରଠାରେ ଯାଦବ ଭବନ ନର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମିର ପ୍ରିମିୟମ ବାବଦକୁ ୫.୦୬କୋଟି ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ସେହିପରି ରାଜ୍ୟରେ ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିଳ୍ପାନୁଷ୍ଠାନର ଚାହିଦା ଦୂରଣ କରିବା ପାଇଁ ୬ଟି ନୂଆ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ, ଟ୍ରାନ୍ସମିଶନ୍ ଲାଇନ ନିର୍ମାଣ, ସବଷ୍ଟେସନ ଅଟୋମେସନ ସିଷ୍ଟମ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେଥିପାଇଁ ରାଜ୍ୟରେ ନୂତନ ଭାବେ ସ୍ଥାପନ ହେବାକୁ ଥିବା ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପାରାଦୀପ ପ୍ଲାଷ୍ଟିକ ପାର୍କ, ଅନୁଗୋଳ ଆଲୁମିନିୟମ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ, ନେଉଳପୋଇ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଓ କାର୍ଯ୍ୟକ୍ଷମ ପରିବହନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ୬ଟି ନୂଆ ଗ୍ରୀଡ୍ ଷ୍ଟେସନ ନିର୍ମାଣ ହେବ ।

Advertisment

ଏହି ପର୍ଯ୍ୟାୟରେ ମୋଟ ୧୮୪୫.୭୬କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ୩୦ ପ୍ରତିଶତ ଅର୍ଥାତ ୫୫୩.୭୩କୋଟି ଟଙ୍କା ଅଂଶଧନ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ବାକି ୭୦ ପ୍ରତିଶତ ଅର୍ଥାତ୍ ୧୨୯୨.୦୩କୋଟି ଟଙ୍କାକୁ ଓପିଟିସିଏଲ୍ ନିଜସ୍ୱ ସୂତ୍ରରୁ ବହନ କରିବ । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୫ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭-୨୮ ମସିହା ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପରିବହନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓପିଟିସିଏଲ୍ ଦ୍ୱାରା ରାଜ୍ୟ ସରକାରଙ୍କ ୩୦ ପ୍ରତିଶତ ଅଂଶଧନ ସହାୟତାରେ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୧ଟି ନୂଆ ଓ ସୁଦୃଢ଼ୀକରଣ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମୋଦନ ପ୍ରଦାନ କରିଛନ୍ତି।

ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରର ପୁନର୍ଗଠନ ଓ ୧୧୩ଟି ନୂଆ ପଦବୀ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି କ୍ୟାଡ଼ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଣିକି ନିଜ ଚାକିରି କାଳ ମଧ୍ୟରେ ୩ଟି ପଦୋନ୍ନତିର ସୁବିଧା ମିଳିପାରିବ । ଏହି କ୍ୟାଡ଼ରରେ ପଦବୀ ସଂଖ୍ୟା ୪୦୪୫ରୁ ୪୧୬୮କୁ ବୃଦ୍ଧି କରାଗଲା ।

ଓଡ଼ିଶା ଗ୍ରାଣ୍ଟ-ଇନ-ଏଡ ୨୦୧୪ରେ ପୁଣିଥରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଫଳରେ ବେସରକାରୀ କଲେଜ, ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଅନୁଦାନ ନିୟମ-୨୦୧୪ ଅଧୀନରେ ଶିକ୍ଷାଗତ ପଛୁଆ ଜିଲ୍ଲା ଯୋଗ୍ୟତା ଆକଳନ କରିବା ପାଇଁ ଜନଗଣନା-୨୦୧୧ ପରିବର୍ତ୍ତେ ଜନଗଣନା ୨୦୦୧କୁ ଗ୍ରହଣ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଫଳରେ ୯୧ଜଣ  ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କୁ ଅତିରିକ୍ତ ୫.୧୫କୋଯି ଟଙ୍କା ବାର୍ଷିକ ବ୍ୟୟ କରିବାକୁ ପଡ଼ିବ ।

ଆଜି କ୍ୟାବିନେଟ୍ ବୈଠକ ପରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଆଜିର କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଦେଇଥିବା ଗତ ୫ବର୍ଷରେ ରାଜ୍ୟର ବିକାଶ ସମ୍ପର୍କିତ ବିବୃତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Cabinet Meeting