Advertisment

କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍‌’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
Lok Seva Bhawan

Lok Seva Bhawan

Advertisment

ରାଜ୍ୟରେ କ୍ୟାବିନେଟ୍ ବୈଠକ କେବେ ବସିବ, କେଉଁ ସମ୍ଭାବ୍ୟ ପ୍ରସଙ୍ଗ ଆଲୋଚନା ପାଇଁ ଆସିବ ତାହା ଜାଣିବା ବିଗତ କିଛିବର୍ଷ ଧରି ନା କେବଳ ଗଣମାଧ୍ୟମ ବରଂ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ପାଇଁ ଦୁରୂହ ବ୍ୟାପାର ଥିଲା। ବିଜେଡି ସରକାର ଅମଳରୁ କ୍ୟାବିନେଟ୍ ବୈଠକର ସମୟ ଓ ଏଜେଣ୍ଡାକୁ ନେଇ ଚାଲି ଆସିଥିବା ଢାଂଚାରେ ପ୍ରାୟ ୧୦ମାସ ପରେ ବ୍ରେକ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର।

Advertisment

କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍‌’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କ୍ୟାବିନେଟ୍ ବୈଠକ ପାଇଁ ଅତିକମରେ ୫ଦିନ ପୂର୍ବରୁ ନୋଟିସ୍ ଦେବା, ୩ଟି କାର୍ଯ୍ୟଦିବସ ପୂର୍ବରୁ ମେମୋରାଣ୍ଡମକୁ ସଂସଦୀୟ ବ୍ୟାପାରକୁ ପଠାଇବା, ଏଜେଣ୍ଡାକୁ ୨ଦିନ ପୂର୍ବରୁ ମନ୍ତ୍ରୀମାନଙ୍କ ନିକଟକୁ ପଠାଯିବା ଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇ ସରକାର ସିଧାସଳଖ କ୍ୟାବିନେଟ୍ ବୈଠକ ପ୍ରସଙ୍ଗରେ ସଚିବମାନଙ୍କ ମନମୁଖୀ କାରବାର ଉପରେ ରୋକ୍ ଲଗାଇଛନ୍ତି।

ସଚିବମାନଙ୍କୁ ଚେତାଇଲା ସଂସଦୀୟ ବ୍ୟାପାର ବିଭାଗ

ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗତ ୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରୁଲସ୍ ଅଫ ବିଜିନେସର ତୃତୀୟ ଖଣ୍ଡର ପ୍ରାବଧାନ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ କ୍ୟାବିନେଟ୍ ବୈଠକର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁଚାରୁ ଓ ଗଣତାନ୍ତ୍ରିକ ପଦ୍ଧତିରେ କଡ଼ାକଡ଼ି ଅନୁପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଯାହାକି କ୍ୟାବିନେଟ୍ ବୈଠକର ପରିଚାଳନାକୁ ଆହୁରି ପ୍ରଭାବଶାଳୀ କରିବ ତଥା ସାଧାରଣ ଲୋକଙ୍କ ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଇଛି।

Advertisment

ସର୍ବନିମ୍ନ ୫ଦିନ ପୂର୍ବରୁ କ୍ୟାବିନେଟ୍ ବୈଠକ ପାଇଁ ବୁଲିବ ନୋଟିସ୍‌

କ୍ୟାବିନେଟ୍ ବୈଠକ ବସିବାର ଅତିକମରେ ୫ଦିନ ପୂର୍ବରୁ ନୋଟିସ୍ ଜାରି ହେବ ଓ ଜରୁରୀ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମତିରେ ଏହି ସମୟସୀମାକୁ କୋହଳ କରାଯିବ। ସେହିପରି କ୍ୟାବିନେଟ ବୈଠକରେ ସ୍ଥାନ ପାଇବାକୁ ଥିବା ପ୍ରସ୍ତାବ(ମେମୋରାଣ୍ଡମ)କୁ ଅତି କମ୍‌ରେ ୩ଟି କାର୍ଯ୍ୟଦିବସ ପୂର୍ବରୁ(ସନ୍ଧ୍ୟା ୫ଟାସୁଦ୍ଧା) ସଂସଦୀୟ ବ୍ୟାପାର ବିଭାଗ ପାଖରେ ଅନ୍ୟ ବିଭାଗମାନେ ଦାଖଲ କରିବେ। ଉଦାହରଣ ସ୍ୱରୂପ ଯଦି ବୈଠକ ୭ତାରିଖରେ ବସିବାର ଥିବ ତା’ହେଲେ ୪ତାରିଖ ଅପରାହ୍ନ ୫ଟା ସୁଦ୍ଧା ଅବା ୪ତାରିଖ ଛୁଟିଥିଲେ ୩ତାରିଖ ସୁଦ୍ଧା ଜମା କରାଯିବ।

କୌଣସି ଜରୁରୀ ପ୍ରସ୍ତାବ ଥିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂସଦୀୟ ବ୍ୟାପାର ବିଭାଗ ପାଖରେ ମେମୋରାଣ୍ଡମ ଦାଖଲ କରିବାକୁ ପଡ଼ିବ। ସେହିପରି ରୁଲସ ଅଫ ବିଜିନେସ୍ ତୃତୀୟ ଖଣ୍ଡର ନିୟମ-୨୧ ଅନୁଯାୟୀ କ୍ୟାବିନେଟ୍ ଆଗରେ କୌଣସି ପ୍ରସ୍ତାବ ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲେ, ସମ୍ପୃକ୍ତ ବିଭାଗ ଏକ ମେମୋରାଣ୍ଡମ ପ୍ରସ୍ତୁତ କରିବ, ଯେଉଁଥିରେ ବିଷୟର ମୁଖ୍ୟ ତଥ୍ୟ ଓ ନିଷ୍ପତ୍ତି ବିନ୍ଦୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ଏହି ମେମୋରାଣ୍ଡମ ଓ ଆବଶ୍ୟକୀୟ ଦସ୍ତାବିଜକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ କ୍ୟାବିନେଟ୍ ସଚିବ(ମୁଖ୍ୟସଚିବ)ଙ୍କୁ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହିଁ କ୍ୟାବିନେଟ୍ ଏଜେଣ୍ଡା ଓ ମେମୋରାଣ୍ଡମର କପିକୁ ବୈଠକ ବସିବାର ଦୁଇଟି କାର୍ଯ୍ୟଦିବସ ପୂର୍ବରୁ(ସକାଳ ସାଢ଼େ ୧୦ଟା ସୁଦ୍ଧା) ସମସ୍ତ ମନ୍ତ୍ରୀମାନଙ୍କ ନିକଟକୁ ପଠାଯିବ। ଏସବୁ ବ୍ୟତୀତ ରୁଲସ୍ ଅଫ ବିଜିନେସର ନିୟମ ୨୧ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା ସର୍କୁଲାରରେ ସ୍ଥାନ ପାଇନଥିବା କୌଣସି ବିଷୟ ଏଜେଣ୍ଡାରେ ସ୍ଥାନ ପାଇବ ନାହିଁ।

ମନ୍ତ୍ରୀମାନଙ୍କୁ କହିବାକୁ ମିଳିବ ସୁଯୋଗ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହିଁ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ବୈଠକରେ ସାମିଲ ମନ୍ତ୍ରୀମାନଙ୍କୁ ନିଜର ମତ ରଖିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବେ। ଆଉ ବିଭାଗୀୟ ସଚିବମାନେ କେବଳ ନିଜ ବିଭାଗ ସମ୍ପର୍କିତ ଏଜେଣ୍ଡା ଉପରେ ମତ ରଖିବା ପାଇଁ କ୍ୟାବିନେଟ୍ ବୈଠକ ବସିଥିବା ହଲକୁ ଆସି ନିଜର ମତ ରଖି ସେଠାରୁ ପ୍ରସ୍ଥାନ କରିବେ। ଅବଶ୍ୟ ବୈଠକ ନସରିବା ପର୍ଯ୍ୟନ୍ତ ତାଙ୍କୁ ନିକଟସ୍ଥ ଅଲଗା କକ୍ଷରେ ଅପେକ୍ଷା କରିବାକୁ ପଡ଼ିବ। ଏସବୁ ବ୍ୟବସ୍ଥା ଯଦିଓ ପୁରୁଣା ଓ ରୁଲସ୍ ଅଫ ବିଜିନେସରେ ରହିଛି ତଥାପି ବିଜେଡି ସରକାର ସମୟରେ ଏହା ପାଳନ କରାଯିବାରେ ବ୍ୟତିକ୍ରମ ରହିଥିଲା। ଯେଉଁଥିପାଇଁ ମନ୍ତ୍ରୀମାନଙ୍କ ଉପରେ ସଚିବମାନେ ଅଧିକ ପ୍ରଭାବ ବିସ୍ତାର କରୁଥିଲେ ଓ କ୍ୟାବିନେଟ୍ ଏଜେଣ୍ଡାକୁ ବୁଝିବା ଅବା ଜାଣିବା ମଧ୍ୟ ମନ୍ତ୍ରୀମାନଙ୍କ ପକ୍ଷେ ସମ୍ଭବପର ହୋଇପାରୁନଥିଲା।

ମୋହନ ସରକାରରେ ଚାଲିଥିଲା ସମାନ ବ୍ୟବସ୍ଥା

ରାଜ୍ୟରେ କ୍ୟାବିନେଟ୍ ବୈଠକ କେବେ ବସିବ, କେଉଁ ଏଜେଣ୍ଡା ସ୍ଥାନ ପାଇବ ସେସବୁ ଆଗୁଆ ଜାଣିବା ମଧ୍ୟ ବର୍ତ୍ତମାନର ମୋହନ ସରକାରର ଅଧିକାଂଶ ମନ୍ତ୍ରୀମାନଙ୍କ ପକ୍ଷେ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି। ଏପରିକି କ୍ୟାବିନେଟ୍ ବୈଠକ ବସିବାର ହିଁ କିଛି ଘଣ୍ଟା ପୂର୍ବରୁ ଉପସ୍ଥାପନ ହେବାକୁ ଥିବା ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଯାହାକି ସିଧାସଳଖ ସଚିବ ତଥା ପ୍ରଶାସନିକ କଳର ମନମୁଖୀ କାରବାରକୁ ଦର୍ଶାଉଛି।

ତେବେ ବିଳମ୍ବରେ ହେଲେ ମଧ୍ୟ ସରକାର ଏହାପରେ ଆଖିଦୃଶିଆ ପଦକ୍ଷେପ ନେଇ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ କରିବା ଏବଂ ମନ୍ତ୍ରୀମାନଙ୍କୁ ଆଗୁଆ ଅବଗତ କରାଇବା ସହ ସେମାନଙ୍କୁ ନିଜ ବିଭାଗର ଏଜେଣ୍ଡାକୁ କ୍ୟାବିନେଟ୍ ବୈଠକରେ ଉପସ୍ଥାପନ କରିବାର ମାର୍ଗ ପ୍ରଶସ୍ତ କରାଇଛନ୍ତି।

କ୍ୟାବିନେଟ୍ ବ୍ୟବସ୍ଥାର ମର୍ଯ୍ୟାଦା ପୁନଃସ୍ଥାପିତ ହୋଇଛି: ମନ୍ତ୍ରୀ

ସଂସଦୀୟ ବ୍ୟାପାର ବିଭାଗର ଏହି ନିର୍ଦ୍ଦେଶନାମା ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ମନ୍ତ୍ରିମଣ୍ଡଳ ବ୍ୟବସ୍ଥାର ମର୍ଯ୍ୟାଦା ପୁନଃସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା କୌଣସି ବିଷୟ ଏଜେଣ୍ଡାରେ ସ୍ଥାନ ପାଇବ ନାହିଁ। ୭୨ ଘଂଟା ପୂର୍ବରୁ ମନ୍ତ୍ରୀମାନଙ୍କୁ ଅଧ୍ୟୟନ ପାଇଁ ପ୍ରସ୍ତାବ ପଠାଯିବ, ଯାହା ଗୁଣାତ୍ମକ ଆଲୋଚନା ଓ ନିଷ୍ପତ୍ତିକୁ ସହଜ କରିବ। ପୂର୍ବରୁ ବିଭାଗୀୟ ସଚିବମାନେ ବିଷୟ ଉପସ୍ଥାପନ କରୁଥିଲେ, କିନ୍ତୁ ଏବେ ବିଭାଗୀୟ ମନ୍ତ୍ରୀମାନେ ନିଜେ ଉପସ୍ଥାପନ କରୁଛନ୍ତି। ପୂର୍ବ ସରକାର ଗଣତାନ୍ତ୍ରିକ ନେତୃତ୍ୱକୁ ଗୌଣ କରିଥିଲା, କିନ୍ତୁ ଏବେ ଏହା ବଦଳିଛି।”

ସେହିପରି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ପୂର୍ବ ସରକାରର ୨୪ ବର୍ଷର ଶାସନ ଅହଙ୍କାରୀ ଥିଲା ଓ ଗଣତନ୍ତ୍ରକୁ ନଷ୍ଟ କରିଥିଲା। ନୂତନ ସରକାର ଲୋକଙ୍କ ସରକାର। ଏବେ ମନ୍ତ୍ରୀମାନେ ବୈଠକରେ ସମସ୍ତ ବିଷୟ ଉପସ୍ଥାପନ କରୁଛନ୍ତି। ମନ୍ତ୍ରୀମାନେ ବିଭାଗୀୟ ବିଷୟରେ ବିସ୍ତୃତ ଜ୍ଞାନ ରଖି ବୈଠକ ପୂର୍ବରୁ ଅଧ୍ୟୟନ କରୁଛନ୍ତି। ପୂର୍ବରୁ ବୈଠକ ୧୦-୧୫ ମିନିଟରେ ସରୁଥିଲା, କିନ୍ତୁ ଏବେ ନିର୍ବାଚିତ ପ୍ରତିନିଧିଙ୍କ ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରି ଯୋଜନା ପ୍ରଣୟନ କରାଯାଉଛି।”

Odisha Bjp Mohan Charan Majhi Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe