Proposed Bypass
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି । ଦୀର୍ଘଦିନର ଦାବିକୁ ପୂରଣ କରି କେନ୍ଦ୍ର କ୍ୟାବିନେଟ୍ ଆଜି ୮୩୦୭.୭୪କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିମି ଲମ୍ବ ୬ଲେନ୍ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଏହା ଖୋର୍ଦ୍ଧାର ରାମେଶ୍ୱରରୁ ଚୌଦ୍ୱାରର ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ ଓ ଏହା ଭୁବନେଶ୍ୱର ରିଙ୍ଗରୋଡ୍ ବା ବାଇପାସ୍ ଭାବେ ପରିଚିତ ହେବ । ଏହି ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀ ବିଶେଷକରି ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭିଡ଼ କମାଇବା ସହ ସହଜ ଜୀବନଯାପନକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ।
ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଓ ଲାଭ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଭୁବନେଶ୍ୱର ବାଇପାସ୍ ବା କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ(ସିଆରଆରଆର) ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ରିଙ୍ଗ୍ ରୋଡ୍ ରାମେଶ୍ୱରଠାରୁ ଚୌଦ୍ୱାରର ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ, ଯାହା ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ସହରର ଜନଗହଳିପୂର୍ଣ୍ଣ ରାସ୍ତାଗୁଡ଼ିକୁ ବାଇପାସ୍ କରି ଭାରି ବାଣିଜ୍ୟିକ ଯାନବାହାନର ଯାତାୟତ ଚାପ ହ୍ରାସ କରିବ । ଏହା ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ଅଧୀନରେ ନିର୍ମାଣ ହେବ । ଏହି ରିଙ୍ଗରୋଡ୍ କାର୍ଯ୍ୟକ୍ଷମ ହେଲେ ଟ୍ରାଫିକ ଜାମ୍ ହ୍ରାସ ପାଇବ, ମାଲ ପରିବହନର ଦକ୍ଷତା ବୃଦ୍ଧି ପାଇବ ଓ ଲଜିଷ୍ଟିକ୍ସ ଖର୍ଚ୍ଚ କମିବ । ଏହା ଓଡ଼ିଶା ତଥା ପୂର୍ବ ଭାରତର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ସାମାଜିକ-ଅର୍ଥନୈତିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ ।
ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍-୫୫, ଏନଏଚ୍-୫୭ ଓ ଏନଏଚ-୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ-୬୫)କୁ ଏହି ରିଙ୍ଗରୋଡ୍ ସଂଯୋଗ କରିବ । ଯାହା ଓଡ଼ିଶାରେ ଅର୍ଥନୈତିକ, ସାମାଜିକ ଓ ଲଜିଷ୍ଟିକ୍ସ ନୋଡଗୁଡ଼ିକୁ ସହଜ ସଂଯୋଗ ପ୍ରଦାନ କରିବ । ଏହା ୧୦ଟି ଅର୍ଥନୈତିକ ନୋଡ୍, ୪ଟି ସାମାଜିକ ନୋଡ୍ ଓ ୫ଟି ଲଜିଷ୍ଟିକ୍ସ ନୋଡକୁ ସଂଯୋଗ କରିବ । ଏହା ସହିତ, ଭୁବନେଶ୍ୱର ରେଳ ଷ୍ଟେସନ, ଭୁବନେଶ୍ୱର ବିମାନବନ୍ଦର, ଏକ ପ୍ରସ୍ତାବିତ ମଲ୍ଟି-ମୋଡାଲ ଲଜିଷ୍ଟିକ୍ସ ପାର୍କ ଏବଂ ପୁରୀ ଓ ଅସ୍ତରଙ୍ଗ ବନ୍ଦର ସହିତ ମଲ୍ଟି-ମୋଡାଲ ସଂଯୋଗ ସ୍ଥାପନ କରିବ ।
ରୋଜଗାର ସୁଯୋଗ ଓ ପରିବେଶଗତ ଲାଭ
ଏହି ପ୍ରକଳ୍ପ ପ୍ରାୟ ୭୪.୪୩ ଲକ୍ଷ ପର୍ସନ-ଡେ ପ୍ରତ୍ୟକ୍ଷ ରୋଜଗାର ଓ ୯୩.୦୪ ଲକ୍ଷ ପର୍ସନ-ଡେ ପରୋକ୍ଷ ରୋଜଗାର ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି । ଏହା ସହରୀ ପ୍ରଦୂଷଣ ହ୍ରାସ କରିବ, କାରଣ ଭାରୀ ଯାନବାହାନଗୁଡ଼ିକ ସହର ମଧ୍ୟଭାଗରୁ ବାଇପାସ୍ ହେବ । ଏହି ରିଙ୍ଗ୍ ରୋଡ୍ ନିର୍ମାଣ ଶେଷ ହେଲେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ସହରୀ ଜନଗହଳି ହ୍ରାସ ପାଇବ ତଥା ବ୍ୟବସାୟ, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755615182.jpg)