Advertisment

‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର : ୫ବର୍ଷରେ ଖର୍ଚ୍ଚ ହେବ ୧୪୨୩କୋଟି ଟଙ୍କା

ଏହି ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫ଲକ୍ଷ ୪୭ହଜାର ୮୩୭ଜଣ ଗୋପାଳକଙ୍କ ଆୟ ବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିରେ ମଈଁଷି ପାଳନ ପାଇଁ ୬୩୩୭ଜଣ ଚାଷୀଙ୍କୁ ୧୧୦.୨୩କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

Cabinet Meeting

Cabinet Meeting

Advertisment

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଗୋପାଳନକାରୀଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ ହେବ । ଆଜି ଏହି ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ୫ବର୍ଷ ମଧ୍ୟରେ ଏହି ଯୋଜନାରେ ୧୪୨୩.୪୭କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଛି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକ ପରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ  କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫ଲକ୍ଷ ୪୭ହଜାର ୮୩୭ଜଣ ଗୋପାଳକଙ୍କ ଆୟ ବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିରେ ମଈଁଷି ପାଳନ ପାଇଁ ୬୩୩୭ଜଣ ଚାଷୀଙ୍କୁ ୧୧୦.୨୩କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ଗୋପାଳନ ଯୋଜନାରେ ୩୧୫୦୦ ଚାଷୀଙ୍କୁ ଦୃଷ୍ଟିରେ ରଖି ୪୭୬କୋଟି ଟଙ୍କା, ଗୋସମ୍ପଦ ବୀମା ଯୋଜନାରେ ୩ଲକ୍ଷ ଚାଷୀଙ୍କ ପାଇଁ ୧୮୭.୪୨କୋଟି ଟଙ୍କା, ବାଛୁରୀ ପାଳନ ଯୋଜନାରେ ୭୫ହଜାର ଚାଷୀଙ୍କ ପାଇଁ ୨୧୬.୦୯କୋଟି ଟଙ୍କା, ଓମଫେଡକୁ ସହାୟତା ବାବଦରେ ୨୫.୫୨କୋଟି ଟଙ୍କା, କୃତ୍ରିମ ପ୍ରଜନନ ପାଇଁ ୪୧.୧୦କୋଟି ଟଙ୍କା, ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମଗୁଡ଼ିକର ସୁଦୃଢ଼ୀକରଣ ପାଇଁ ୨୦୦.୬୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ତୃଣ ଉତ୍ପାଦନ କ୍ଷେତ୍ରରେ ୫ବର୍ଷ ମଧ୍ୟରେ ୫ଲକ୍ଷ ଚାଷୀ ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

ସେହିପରି ଓଡ଼ିଶା ହାଇକୋର୍ଟଙ୍କ ବାସଗୃହ ପାଇଁ କଟକର ସିଡିଏ ସେକ୍ଟର-୧୩ ର ୧୦ଏକର ପରିମିତ ଅଂଚଳରେ ୫୫୦ଟି ବାସଗୃହ ନିର୍ମାଣ ପାଇଁ ଆଇରନ୍ ଟ୍ରିଙ୍ଗାଲ ଲିଃ ନାମକ ଠିକା ସଂସ୍ଥାର ୨୨୦.୪୦କୋଟି ଟଙ୍କାର ଟର୍ଣ୍ଣକି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । ଏହି ୫୫୦ଟି ବାସଗୃହ ମଧ୍ୟରେ ୨୦୦ଟି ଟାଇପ-ଡି ଓ ୩୫୦ଟି ଟାଇପ-ଇ କ୍ୱାର୍ଟର୍ସ ନିର୍ମାଣ ସମେତ କମ୍ୟୁନିଟ ହଲ୍ ଓ ଖେଳପଡ଼ିଆ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ୩୦ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

‘ସରକାରୀ ପରିସଂଖ୍ୟାନ ସମ୍ପର୍କୀୟ ତଥ୍ୟ ପ୍ରସାରଣ ନୀତି-୨୦୨୪’କୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନୀତି ଦ୍ୱାରା ତଥ୍ୟର ଗୁଣବତ୍ତା ଓ ଉପଭୋକ୍ତା ନିୟୋଜନକୁ ବୃଦ୍ଧି କରାଯାଇପାରିବ । ଯାହାକି ନୀତି ନିର୍ଦ୍ଧାରଣକାରୀ, ଯୋଜନା ପ୍ରଣୟନକାରୀ, ଗବେଷକ ଇତ୍ୟାଦିଙ୍କ ଦ୍ୱାରା ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାକୁ ସହାୟକ ହେବ ।

ଓଡ଼ିଶା ସୁପ୍ରିମୋ ଜୁଡିସିଆଲ ସର୍ଭିସ ଓ ଓଡ଼ିଶା ଜୁଡିସିଆଲ ସର୍ଭିସ ନିୟମ-୨୦୦୭କୁ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ନୂତନ ଅପରାଧିକ ଆଇନ ପ୍ରଣୟନ ଯଥା- ଦି ଭାରତୀୟ ନ୍ୟାୟ ସଂହିତା ୨୦୨୩, ଦି ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଦି ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପରିପ୍ରେକ୍ଷୀରେ ଜୁଡିସିଆଲ ଅଫିସରମାନଙ୍କର ନୈତିକ ଓ ଆଇନଗତ କର୍ତ୍ତବ୍ୟ, କୋର୍ଟ ପରିଚାଳନା ଓ ପ୍ରଶାସନିକ ଦକ୍ଷତାକୁ ଆଲୋକିତ କରିବା ପାଇଁ ରାଜ୍ୟର ଏହି ଦୁଇଟି ନିୟମରେ ସଂଶୋଧନର ଆବଶ୍ୟକତା ରହିଛି । ବିଧାନସଭା ଅଧିବେଶନର ସତ୍ରାବସାନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Cabinet Meeting Mukhyamantree Kamadhenu Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe