ଭାରତମାଳା ପରିଯୋଜନାରେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ୪୧୫କିମି ଲମ୍ବର ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇୱେ(ଉପକୂଳ ରାଜପଥ) ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) କର୍ତ୍ତୃପକ୍ଷ ଏହି ଉପକୂଳ ରାଜପଥ ନିର୍ମାଣ ପାଇଁ ୨୦୨୨ ଜୁଲାଇ ୨୯ତାରିଖରେ ଡାକିଥିବା ସମସ୍ତ ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ପ୍ରଶାସନିକ କାରଣରୁ ଏହି ଟେଣ୍ଡର ବାତିଲ କରାଗଲା ବୋଲି ଜୁଲାଇ ୩୧ତାରିଖରେ ଏନଏଚଏଆଇ କର୍ତ୍ତୃପକ୍ଷ କହିଥିବାବେଳେ ଗତ ଜୁଲାଇ ୨୭ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ରାଜ୍ୟସଭାରେ ଲିଖିତ ଉତ୍ତର ଓ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଟେଣ୍ଡରକୁ ବାତିଲ କରାଯିବା ପରେ ଏହି ପ୍ରକଳ୍ପ ହେବକି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।
ସୂଚନା ଅନୁସାରେ, ଏନଏଚଏଆଇର ଓଡ଼ିଶା ଶାଖା ଜେନେରାଲ ମ୍ୟାନେଜର(ଟେକନିକାଲ) ଅଶ୍ୱିନୀ କୁମାର ରାଏଙ୍କ ଦ୍ୱାରା ଜୁଲାଇ ୩୧ତାରିଖରେ ଜାରି ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଉପକୂଳ ରାଜପଥ ନିର୍ମାଣ ପାଇଁ ୨୦୨୨ ଜୁଲାଇ ୨୯ତାରିଖରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରିଛନ୍ତି । ଏହି ଉପକୂଳ ରାଜପଥ ପ୍ରକଳ୍ପର ରାମେଶ୍ୱରରୁ ପୁରୀ(୦-୪୭.୦୫୦କିମି) ରାସ୍ତା, ପୁରୀରୁ କାକଟପୁର(୪୭.୦୫୦କିମିରୁ ୯୧.୬୦୦କିମି) ଓ ଏରସମାରୁ ରତନପୁର (୧୩୪.୪୦୦କିମିରୁ ୧୭୭.୦୭୦କିମି)ର ୪ଥାକିଆ ରାସ୍ତା ନିର୍ମାଣ ପାଇଁ ୩ଟି ଭିନ୍ନ ଭିନ୍ନ ଟେଣ୍ଡର ୨୦୨୨ ଜୁଲାଇ ୨୯ତାରିଖରେ ଏନଏଚଏଆଇ କର୍ତ୍ତୃପକ୍ଷ ଆହ୍ୱାନ କରିଥିଲେ । କିନ୍ତୁ ଏହି ୩ଟି ଯାକ ଟେଣ୍ଡରକୁ ଗତ ୫ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୩୧ତାରିଖରେ ରଦ୍ଦ କରିଦେଇଛନ୍ତି। ପ୍ରଶାସନିକ କାରଣରୁ ଏହି ଟେଣ୍ଡରଗୁଡ଼ିକୁ ରଦ୍ଦ କରାଯାଇଥିବା ନେଇ ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଜୁଲାଇ ୨୭ତାରିଖରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଯେ, ରାମେଶ୍ୱର(ଟାଙ୍ଗୀ)ରୁ ରତନପୁର ଓ ରତନପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ବିଭାଗୀୟ ମଞ୍ଜୁରୀ ମିଳିନି । ତେଣୁ ଏହି ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆଗୁଆ ଆକଳନ କରିବା ଅପରିପକ୍ୱ ହେବ ।
ଉଳ୍ଲେଖଯୋଗ୍ୟ, ଏହି ଉପକୂଳ ରାଜପଥ ପ୍ରକଳ୍ପର ପ୍ରାୟ ୩ଥର ଡିଜାଇନ୍ ବଦଳିବା ପରେ ୨୦୨୧ ମସିହାରେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଥିଲା । ତେବେ ନକ୍ସା-୩ରେ ଉପକୂଳ ରାଜପଥ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ(ଜାତୀୟ ରାଜପଥ-୧୬)ରୁ ବାହାରି ଚିଲିକା କଡ଼େକଡ଼େ ବ୍ରହ୍ମଗିରି-ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ୱର-ଦୀଘ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡ଼ିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାମେଶ୍ୱର(ଟାଙ୍ଗୀ)ରୁ ରତନପୁର ପର୍ଯ୍ୟନ୍ତ ମୋଟ ୧୭୭କିମି ରାସ୍ତାକୁ ୪ଟି ଭାଗରେ ବିଭକ୍ତ କରି ଏନଏଚଏଆଇ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିଲେ । କେବଳ ଜଗତସିଂହପୁର ଜିଲ୍ଲାରେ ବିବାଦ ଲାଗି ରହିବାରୁ କାକଟପୁରରୁ ଏରସମା(୯୧.୬୦୦କିମିରୁ ୧୩୪.୪୦୦କିମି) ପର୍ଯ୍ୟନ୍ତ ରାସ୍ତାର ଟେଣ୍ଡର ନଡାକି ଅନ୍ୟ ୩ଟିର ଟେଣ୍ଡର ଡାକିଥିଲେ । ଏହି ଟେଣ୍ଡର ଡକାଯିବା ସହ ସ୍ଥାନ ଚିହ୍ନଟ କରାଯାଇ ହଳଦିଆ ଖୁଣ୍ଟ ମଧ୍ୟ ପୋତା ଯାଇଥିଲା । କିନ୍ତୁ ଅଚାନକ ଏହି ଟେଣ୍ଡରକୁ ଏନଏଚଏଆଇ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି । ରତନପୁରରୁ ଦୀଘା(୧୭୦କିମି) ପରବର୍ତ୍ତୀ ସମୟରେ କରିବାର କାର୍ଯ୍ୟକ୍ରମ ରହିଥିଲା ।
ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୧୫ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଓଡ଼ିଶାରେ ଭାରତମାଳା ପରିଯୋଜନା ଅନ୍ତର୍ଗତ ଉପକୂଳ ରାଜପଥ ନିର୍ମାଣର ଘୋଷଣା କରିଥିଲେ । ଏପରିକି ୨୦୧୪-୨୦୧୮ ମସିହା ମଧ୍ୟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଗଡ଼କରୀ ସୂଚନା ଦେବାବେଳେ ମଧ୍ୟ ଏହି ଉପକୂଳ ରାଜପଥ କଥା ଦୋହରାଇଥିଲେ । ଏହି ରାଜପଥ ୬ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଛୁଇଁଥାନ୍ତା । ଏହି ୪୧୫କିମି ଲମ୍ବ ଉପକୂଳ ରାଜପଥ ପ୍ରକଳ୍ପରେ ୩୭ଟି ବଡ଼ ବ୍ରିଜ୍ ଓ ୧୩୦ଟି କ୍ଷୁଦ୍ର ବ୍ରିଜ୍ ଓ ୫ଟି ଆରଓବି ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ସମୁଦ୍ର ଉପକୂଳ ଅଂଚଳରେ ଅର୍ଥନୀତି,ପର୍ଯ୍ୟଟନ ଅଧିକ ପ୍ରୋତ୍ସାହନ ମିଳିଥାନ୍ତା ଓ ଲୋକଙ୍କୁ ବିକଳ୍ପ ରୋଜଗାର ମଧ୍ୟ ମିଳିପାରିଥାନ୍ତା । ଏହି ପ୍ରକଳ୍ପ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ ଅପରେସନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା ।
ତେବେ, ଏହି ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ରଦ୍ଦ କରିଦିଆଯିବା ପରେ ଉକ୍ତ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ପ୍ରକଳ୍ପ ହେବ କି ନାହିଁ ତାହା ମଧ୍ୟ ସନ୍ଦେହଘେରରେ । ଏ ଦିଗରେ ରାଜ୍ୟର ସାଂସଦ ଓ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସ୍ୱର ଉତ୍ତୋଳନ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।