Advertisment

‘କୋଷ୍ଟାଲ ହାଇୱେ’ ପ୍ରକଳ୍ପର ସବୁ ଟେଣ୍ଡର ବାତିଲ: ପ୍ରକଳ୍ପକୁ ନେଇ ଅନିଶ୍ଚିତତା ବଢ଼ିଲା

ଏନଏଚଏଆଇର ଓଡ଼ିଶା ଶାଖା ଜେନେରାଲ ମ୍ୟାନେଜର(ଟେକନିକାଲ) ଅଶ୍ୱିନୀ କୁମାର ରାଏଙ୍କ ଦ୍ୱାରା ଜୁଲାଇ ୩୧ତାରିଖରେ ଜାରି ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଉପକୂଳ ରାଜପଥ ନିର୍ମାଣ ପାଇଁ ୨୦୨୨ ଜୁଲାଇ ୨୯ତାରିଖରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରିଛନ୍ତି ।

NH

NH

Advertisment

ଭାରତମାଳା ପରିଯୋଜନାରେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ୪୧୫କିମି ଲମ୍ବର ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇୱେ(ଉପକୂଳ ରାଜପଥ) ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) କର୍ତ୍ତୃପକ୍ଷ ଏହି ଉପକୂଳ ରାଜପଥ ନିର୍ମାଣ ପାଇଁ  ୨୦୨୨ ଜୁଲାଇ ୨୯ତାରିଖରେ ଡାକିଥିବା ସମସ୍ତ ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ପ୍ରଶାସନିକ କାରଣରୁ ଏହି ଟେଣ୍ଡର ବାତିଲ କରାଗଲା ବୋଲି ଜୁଲାଇ ୩୧ତାରିଖରେ ଏନଏଚଏଆଇ କର୍ତ୍ତୃପକ୍ଷ କହିଥିବାବେଳେ ଗତ ଜୁଲାଇ ୨୭ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ରାଜ୍ୟସଭାରେ ଲିଖିତ ଉତ୍ତର ଓ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଟେଣ୍ଡରକୁ ବାତିଲ କରାଯିବା ପରେ ଏହି ପ୍ରକଳ୍ପ ହେବକି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Advertisment

ସୂଚନା ଅନୁସାରେ, ଏନଏଚଏଆଇର ଓଡ଼ିଶା ଶାଖା ଜେନେରାଲ ମ୍ୟାନେଜର(ଟେକନିକାଲ) ଅଶ୍ୱିନୀ କୁମାର ରାଏଙ୍କ ଦ୍ୱାରା ଜୁଲାଇ ୩୧ତାରିଖରେ ଜାରି ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଉପକୂଳ ରାଜପଥ ନିର୍ମାଣ ପାଇଁ ୨୦୨୨ ଜୁଲାଇ ୨୯ତାରିଖରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରିଛନ୍ତି । ଏହି ଉପକୂଳ ରାଜପଥ ପ୍ରକଳ୍ପର ରାମେଶ୍ୱରରୁ ପୁରୀ(୦-୪୭.୦୫୦କିମି) ରାସ୍ତା, ପୁରୀରୁ କାକଟପୁର(୪୭.୦୫୦କିମିରୁ ୯୧.୬୦୦କିମି) ଓ ଏରସମାରୁ ରତନପୁର (୧୩୪.୪୦୦କିମିରୁ ୧୭୭.୦୭୦କିମି)ର ୪ଥାକିଆ ରାସ୍ତା ନିର୍ମାଣ ପାଇଁ ୩ଟି ଭିନ୍ନ ଭିନ୍ନ ଟେଣ୍ଡର ୨୦୨୨ ଜୁଲାଇ ୨୯ତାରିଖରେ ଏନଏଚଏଆଇ କର୍ତ୍ତୃପକ୍ଷ ଆହ୍ୱାନ କରିଥିଲେ । କିନ୍ତୁ ଏହି ୩ଟି ଯାକ ଟେଣ୍ଡରକୁ ଗତ ୫ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୩୧ତାରିଖରେ ରଦ୍ଦ କରିଦେଇଛନ୍ତି। ପ୍ରଶାସନିକ କାରଣରୁ ଏହି ଟେଣ୍ଡରଗୁଡ଼ିକୁ ରଦ୍ଦ କରାଯାଇଥିବା ନେଇ ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଜୁଲାଇ ୨୭ତାରିଖରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଯେ, ରାମେଶ୍ୱର(ଟାଙ୍ଗୀ)ରୁ ରତନପୁର ଓ ରତନପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ବିଭାଗୀୟ ମଞ୍ଜୁରୀ ମିଳିନି । ତେଣୁ ଏହି ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆଗୁଆ ଆକଳନ କରିବା ଅପରିପକ୍ୱ ହେବ ।

Advertisment

ଉଳ୍ଲେଖଯୋଗ୍ୟ, ଏହି ଉପକୂଳ ରାଜପଥ ପ୍ରକଳ୍ପର ପ୍ରାୟ ୩ଥର ଡିଜାଇନ୍ ବଦଳିବା ପରେ ୨୦୨୧ ମସିହାରେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଥିଲା । ତେବେ ନକ୍ସା-୩ରେ ଉପକୂଳ ରାଜପଥ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ(ଜାତୀୟ ରାଜପଥ-୧୬)ରୁ ବାହାରି ଚିଲିକା କଡ଼େକଡ଼େ ବ୍ରହ୍ମଗିରି-ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ୱର-ଦୀଘ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡ଼ିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାମେଶ୍ୱର(ଟାଙ୍ଗୀ)ରୁ ରତନପୁର ପର୍ଯ୍ୟନ୍ତ ମୋଟ ୧୭୭କିମି ରାସ୍ତାକୁ ୪ଟି ଭାଗରେ ବିଭକ୍ତ କରି ଏନଏଚଏଆଇ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିଲେ । କେବଳ ଜଗତସିଂହପୁର ଜିଲ୍ଲାରେ ବିବାଦ ଲାଗି ରହିବାରୁ କାକଟପୁରରୁ ଏରସମା(୯୧.୬୦୦କିମିରୁ ୧୩୪.୪୦୦କିମି) ପର୍ଯ୍ୟନ୍ତ ରାସ୍ତାର ଟେଣ୍ଡର ନଡାକି ଅନ୍ୟ ୩ଟିର ଟେଣ୍ଡର ଡାକିଥିଲେ । ଏହି ଟେଣ୍ଡର ଡକାଯିବା ସହ ସ୍ଥାନ ଚିହ୍ନଟ କରାଯାଇ ହଳଦିଆ ଖୁଣ୍ଟ ମଧ୍ୟ ପୋତା ଯାଇଥିଲା । କିନ୍ତୁ ଅଚାନକ ଏହି ଟେଣ୍ଡରକୁ ଏନଏଚଏଆଇ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି । ରତନପୁରରୁ ଦୀଘା(୧୭୦କିମି) ପରବର୍ତ୍ତୀ ସମୟରେ କରିବାର କାର୍ଯ୍ୟକ୍ରମ ରହିଥିଲା ।

ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୧୫ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଓଡ଼ିଶାରେ ଭାରତମାଳା ପରିଯୋଜନା ଅନ୍ତର୍ଗତ ଉପକୂଳ ରାଜପଥ ନିର୍ମାଣର ଘୋଷଣା କରିଥିଲେ । ଏପରିକି ୨୦୧୪-୨୦୧୮ ମସିହା ମଧ୍ୟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଗଡ଼କରୀ ସୂଚନା ଦେବାବେଳେ ମଧ୍ୟ ଏହି ଉପକୂଳ ରାଜପଥ କଥା ଦୋହରାଇଥିଲେ । ଏହି ରାଜପଥ ୬ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଛୁଇଁଥାନ୍ତା । ଏହି ୪୧୫କିମି ଲମ୍ବ ଉପକୂଳ ରାଜପଥ ପ୍ରକଳ୍ପରେ ୩୭ଟି ବଡ଼ ବ୍ରିଜ୍ ଓ ୧୩୦ଟି କ୍ଷୁଦ୍ର ବ୍ରିଜ୍ ଓ ୫ଟି ଆରଓବି ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ସମୁଦ୍ର ଉପକୂଳ ଅଂଚଳରେ ଅର୍ଥନୀତି,ପର୍ଯ୍ୟଟନ ଅଧିକ ପ୍ରୋତ୍ସାହନ ମିଳିଥାନ୍ତା ଓ ଲୋକଙ୍କୁ ବିକଳ୍ପ ରୋଜଗାର ମଧ୍ୟ ମିଳିପାରିଥାନ୍ତା । ଏହି ପ୍ରକଳ୍ପ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ ଅପରେସନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା ।

ତେବେ, ଏହି ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ରଦ୍ଦ କରିଦିଆଯିବା ପରେ ଉକ୍ତ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ପ୍ରକଳ୍ପ ହେବ କି ନାହିଁ ତାହା ମଧ୍ୟ ସନ୍ଦେହଘେରରେ । ଏ ଦିଗରେ ରାଜ୍ୟର ସାଂସଦ ଓ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସ୍ୱର ଉତ୍ତୋଳନ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

NHAI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe