Advertisment

କାଳିଆକୁ ଦେଖିବାକୁ ମନ ଉଛନ, ଷ୍ଟ୍ରେଚରରେ ପୁରୀରେ ପହଞ୍ଚିଲେ କ୍ୟାନସର ଆକ୍ରାନ୍ତ

ଜୀବନର ଶେଷ ମୁହୂର୍ତ୍ତରେ କାଳିଆକୁ ଟିକେ ଦେଖିବାକୁ ଯାଜପୁରରୁ ପୁରୀକୁ ଧାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଯାଇଛି।

author-image
Niharika Rout
Cancer patient in puri

Cancer patient in puri

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ଭକ୍ତ ଓ ଭଗବାନ ଯେତେବେଳେ ଏକାକାର ହୋଇଯାଆନ୍ତି ସେତେବେଳେ ସେମାନଙ୍କ ମଧ୍ୟରେ ବନ୍ଧବାଡ଼ ନ ଥାଏ। ଜୀବନର ଶେଷ ମୁହୂର୍ତ୍ତରେ କାଳିଆକୁ ଟିକେ ଦେଖିବାକୁ ଯାଜପୁରରୁ ପୁରୀକୁ ଧାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଯାଇଛି। ବୃଦ୍ଧଜଣକ କ୍ୟାନସରରେ ପୀଡ଼ିତ ଥିବା ବେଳେ ଜୀବନରେ ଶେଷ ଥର କାଳିଆ ଦର୍ଶନ ପାଇଁ ପୁରୀକୁ ଧାଇଁ ଆସିଛନ୍ତି। ମାତ୍ର ମନ୍ଦିର ଭିତରକୁ ଯିବା ସମ୍ଭବ ନ ହେବାରୁ ଷ୍ଟ୍ରେଚରରେ ସେ ବାହାରୁ ହିଁ ଜଗା ଦର୍ଶନ କରିଛନ୍ତି।

Advertisment

ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଏବେ ଜୀବନର ଶେଷ ସୋପାନରେ ପହଞ୍ଚିଛନ୍ତି। ବିଜୟ ଏବେ ମରଣ ସହ ଲଢେଇ କରୁଥିବା ବେଳେ ଡାକ୍ତରମାନେ ବି ଆଶା ଛାଡ଼ି ଦେଇଛନ୍ତି।

ତେଣୁ ଜୀବନର ଶେଷ ସମୟରେ କାଳିଆ ଦର୍ଶନ କରିବାକୁ ମନ ବଳାଇଲେ ବିଜୟ। ସ୍ୱାସ୍ଥ୍ୟ ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ଜଗା ଦର୍ଶନ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସମ୍ମୁଖରେ ଇଚ୍ଛା ବ୍ୟକ୍ତ କରିଥିଲେ। ପରିବାର ଲୋକେ ବି ବିଜୟଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଧରି ପୁରୀ ଆସିଥିଲେ।

Advertisment

ମାତ୍ର ସେ ମନ୍ଦିର ଭିତରକୁ ଯିବା ସମ୍ଭବ ନ ହେବାରୁ ତାଙ୍କୁ ଏକ ଷ୍ଟ୍ରେଚରରେ ଶୁଆଇ ସିଂହଦ୍ୱାର ସମ୍ମୁଖରେ ରଖିଥିଲେ ପରିବାର ଲୋକେ। ତାଙ୍କ ସହ ତାଙ୍କ ପୁଅ ଏବଂ ସାନ ଭାଇ ଥିଲେ। ସେହିଠାରୁ ହିଁ କାଳିଆ ସାଆନ୍ତଙ୍କୁ ମୁଣ୍ଡିଆ ମାରି ନିଜ ମନକଥା ଜଣାଇଛନ୍ତି ବିଜୟ ।

ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ଅନ୍ୟ ଭକ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ବିଜୟଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସେମାନେ କାଳିଆ ସାଆନ୍ତଙ୍କୁ ଗୁହାରି କରିଥିଲେ।

Puri