କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ଅମାନବୀୟ ଢଙ୍ଗରେ ବିଦା କରିବା ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆଜି ବିଧାନସଭାରେ ବିଜେଡି ବିଧାୟକମାନେ କିଟ୍ ଘଟଣାରେ ଉଦବେଗ ବ୍ୟକ୍ତ କରିବା ସହ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାଣିବାକୁ ଚାହିଁଥିବାବେଳେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି ।
ଏପଟେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଜମି ହଡ଼ପ ମାମଲା ରୁଜୁ ହୋଇଛି । ଆଉ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କୋହଳ ଆଭିମୁଖ୍ୟ ଯୋଗୁ ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବ ଜାମିନ ପାଇବାର ସମ୍ଭାବନା ଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟି ମାସେ ପରେ ମଧ୍ୟ ନିଜର ତଦନ୍ତ ସାରିନଥିବାବେଳେ ଜାତୀୟ ମାନବାଧିକାର ଆୟୋଗଙ୍କ ସରଜମିନ୍ ଯାଂଚ ଓ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।
ବିଧାନସଭାରେ ପୁଣି ଉଠିଲା କିଟ୍ ପ୍ରସଙ୍ଗ
ବିଧାନସଭାରେ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନାବେଳେ ବିଜେଡିର ଦୁଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଶାରଦା ପ୍ରସାଦ ଜେନା କିଟ୍ ପ୍ରସଙ୍ଗ ଉଠାଇ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡ଼ିଥିବା କହି ଉଦବେଗ ବ୍ୟକ୍ତ କରିଥିଲେ । ରଣେନ୍ଦ୍ର କହିଥିଲେ ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ଯାହା ଘଟିଲା ସେଥିପାଇଁ ଆମେ ଦୁଃଖିତ । ନେପାଳ ପାଖରେ ଆମକୁ କ୍ଷମା ମାଗିବାକୁ ପଡ଼ିଲା । ସରକାର ବି ହାତ ଟେକିଦେଲେ । ଉଚ୍ଚସ୍ତରୀୟ କମିଟି ଗଠନ ହେଲା, କିନ୍ତୁ ତାଙ୍କ ଯାଂଚ ରିପୋର୍ଟର ଭାଗ୍ୟ କ’ଣ । କେବେ ସେହି ତଥ୍ୟକୁ ସରକାର ଗୃହରେ ଉପସ୍ଥାପନ କରିବେ । କିଟ୍ ଘଟଣାର ତଦନ୍ତ ରିପୋର୍ଟ କେବେସୁଦ୍ଧା ଆସିବ ତା’ର ଉତ୍ତର ଉଚ୍ଚଶିକ୍ଷା ମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଥିଲେ ।
ସେହିପରି ବିଜେଡି ବିଧାୟକ ଶାରଦା ପ୍ରସାଦ ଜେନା ମଧ୍ୟ କିଟ୍ ପ୍ରସଙ୍ଗ ଉଠାଇ ସରକାରଙ୍କଠୁ ଉତ୍ତର ଚାହିଁଥିଲେ । କିଟ୍ ପାଇଁ ଆମକୁ ବନ୍ଧୁ ରାଷ୍ଟ୍ର ନେପାଳ ପାଖରେ କ୍ଷମା ମାଗିବାକୁ ପଡ଼ିଲା । କିଟ୍ ଆମ ମୁଣ୍ଡକୁ ତଳକୁ କରିଦେଇଛି । ଯାହା ତ ଘଟିଲା ତାହା ସମସ୍ତେ ଜାଣନ୍ତି କିନ୍ତୁ ଯେଉଁ ଢଙ୍ଗରେ ଏହାକୁ ପରିଚାଳନା କରାଗଲା ତାହା ଚିନ୍ତାର ବିଷୟ । ସରକାର କେବେସୁଦ୍ଧା ତଦନ୍ତ ରିପୋର୍ଟ ପ୍ରକାଶ କରିବେ ତାହା ଜଣାଇବାକୁ ସେ ଦାବି କରିଥିଲେ ।
ମାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିବାବେଳେ କିଟ୍ ପ୍ରସଙ୍ଗରେ ନିରବ ରହିଥିଲେ । ବିଧାୟକମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ସେଥିରୁ ଅଧିକାଂଶର ଉତ୍ତର ମନ୍ତ୍ରୀ ରଖିଥିଲେ ମଧ୍ୟ କିଟ୍ ପ୍ରସଙ୍ଗରେ ନିରବ ରହିଥିଲେ । ଯାହାକି ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହଘେରକୁ ଠେଲି ଦେଇଛି ।
ତେବେ କିଟ୍ ପ୍ରସଙ୍ଗରେ ସରକାର କାହିଁକି ନିରବ ବୋଲି ପ୍ରଶ୍ନ ଉତ୍ତରରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗୃହ ବାହାରେ କହିଛନ୍ତି ଯେ, ତଦନ୍ତ ଚାଲିଛି । କିଛି ଲୋକଙ୍କୁ ଗିରଫ କରାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ବ୍ୟସ୍ତ କାହିଁକି ହେଉଛନ୍ତି । ସରକାର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।
ଅଚ୍ୟୁତଙ୍କ ନାଁରେ ଥାନାରେ ମାମଲା
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା ୩୨୯(୩), ୩୨୪(୪), ୩୦୩(୨), ୩୫୧(୨) ଓ ୩(୫)ରେ ତାଙ୍କ ନାଁରେ ଜମି ହଡ଼ପ ସଂକ୍ରାନ୍ତ ମାମଲା ମାର୍ଚ୍ଚ ୧୨ତାରିଖରେ ଇନଫୋସିଟି ଥାନାରେ ରୁଜୁ ହୋଇଛି । ଏଫଆଇଆରରେ ଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରର ବ୍ରହ୍ମେଶ୍ୱରବାଗ ଅଂଚଳର ବଂଶୀଧର ବେହେରା ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଥାନାରେ କରିଛନ୍ତି । ତାଙ୍କ ପତ୍ନୀ ବୀଣାପାଣି ବେହେରାଙ୍କ ନାମରେ ସେ କିଣିଥିବା ଖାତା ନମ୍ବର-୨୨୪୨/୪୯ର ପ୍ଲଟ ନମ୍ବର-୧୭୦୮( ୧୦୦୦ଡିସିମିଲ) ଜମିକୁ ଅଚ୍ୟୁତ୍ ଜବରଦଖଲରେ ରଖିଛନ୍ତି ବୋଲି ଦର୍ଶାଇଛନ୍ତି । ଅଚ୍ୟୁତ ସେହି ଜମିରୁ ବହୁ ଗଛକୁ ବଳପୂର୍ବକ କାଟି ଦେବା ସହ ସେଠାରେ ୫୦୦ଟ୍ରିପରୁ ଅଧିକ ବାଲି,ଗୋଡ଼ି, ବାଉଁଶ ଆଦି ଜମା କରିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସେମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ଶ୍ରୀ ବେହେରାଙ୍କ ପକ୍ଷରୁ ରୁଜୁ ଏତଲାରେ ଉଲ୍ଲେଖ ରହିଛି ।
ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବଙ୍କ ଜାମିନ ଶୁଣାଣି
ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କିଟ୍ ଛାତ୍ର ଅଦ୍ୱିକ୍ ଶ୍ରୀବାସ୍ତବ ଭୁବନେଶ୍ୱର ଜିଲ୍ଲା ସେସନ୍ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଇନଫୋସିଟି ଥାନାରେ ନେପାଳୀ ଛାତ୍ରୀଙ୍କ ସମ୍ପର୍କୀୟ ସିଦ୍ଧାନ୍ତ ସିଗଦେଲଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲାରେ ଅଦ୍ୱିକ୍ ଜାମିନ ଆବେଦନ କରିଛନ୍ତି । କୋର୍ଟରେ ତାଙ୍କର ଶୁଣାଣି ଜାରି ରହିଛି । ତାଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା ୧୦୮ରେ ଇନଫୋସିଟ୍ ଥାନାରେ ମାମଲା ରୁଜୁ ହୋଇଛି ।
ସନ୍ଦେହରେ ରାଜ୍ୟ ସରକାରଙ୍କ ତଦନ୍ତ କମିଟି
କିଟ୍ ବିବାଦରେ ଓଡ଼ିଶାକୁ ସମଗ୍ର ବିଶ୍ୱରେ ନିନ୍ଦିତ ହେବାକୁ ପଡ଼ିଲା । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟକୁ କ୍ଷମା ମାଗିବାକୁ ପଡ଼ିଲା । ଓଡ଼ିଶା ନିନ୍ଦିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କେବଳ ଧର୍ମକୁ ଆଖିଠାର ମାରିବା ଭଳି ଗୃହସଚିବ ସତ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଢ଼ି ବସିଯାଇଛନ୍ତି । ଏହି କମିଟି ଗଠନକୁ ମାସେ ପୁରିଲାଣି । କିନ୍ତୁ ତଦନ୍ତ ସରୁନି କିମ୍ବା ସେମାନେ ସରକାରଙ୍କୁ ରିପୋର୍ଟ ଦେଲେ କି ନାହିଁ ତାହାବି ଲୋକଲୋଚନକୁ ଆସୁନି । ଓଡ଼ିଶାକୁ ନିନ୍ଦିତ କରିଥିବା ଓ ବିଶ୍ୱଦରବାରରେ ଲଜ୍ଜିତ କରିଥିବା କିଟ୍ ଘଟଣାକୁ ଚପାଇ ଦେବାକୁ ପ୍ରୟାସ ଚାଲିଥିବା ଚର୍ଚ୍ଚା ହେଉଛି । ନେପାଳୀ ଛାତ୍ରଛାତ୍ରୀମାନଙ୍କ ସହ ଅମାନବୀୟ ଆଚରଣ ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲାନି ତାହା ଏବେବି ସାଧାରଣରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।