ବାହାନଗା ବଜାର ଷ୍ଟେସନ୍ରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯାଇଥିଲା ୨୯୩ ଜଣ ଯାତ୍ରୀଙ୍କ ଜୀବନ। ଏହି ମାମଲାରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର। ଆଜି ସନ୍ଧ୍ୟା ବେଳେ ୩ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ମେଡ଼ିକାଲ୍ ଚେକ୍ଅପ୍ ପରେ ପୁଣି ଥରେ ଭୁବନେଶ୍ୱର ସିବିଆଇ ଅଫିସ୍କୁ ଅଣାଯାଇଥିଲା। ପରେ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ପେଶାଲ୍ ସିବିଆଇ କୋର୍ଟରେ ହାଜର କରାଯାଇଛି। ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ସିବିଆଇ।
ମିଳିଥିବା ସୂଚନା ଅନୁସାରେ ୩ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଡାକିଥିଲା ସିବିଆଇ। ସେମାନେ ଆସିବା ପରେ ସିବିଆଇ ୩ ଅଭିଯୁକ୍ତଙ୍କୁ ପର୍ଯ୍ୟାୟ କ୍ରମେ ପଚରାଉଚରା କରିଥିଲା। ତେବେ ସେମାନଙ୍କ ଉତ୍ତରରେ ତାଳମେଳ ରହିନଥିଲା। ପରେ ସେମାନଙ୍କୁ ସିବିଆଇ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪ ଓ ୨୦୧ ଲାଗାଇଥିଲା। ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଛି ସିବିଆଇ। ତେବେ ଏହି ମାମଲାରେ ଆଉ କାହାକୁ ସିବିଆଇ ଗିରଫ କରିବ, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।
ଗତ ଜୁନ୍ ୨ ତାରିଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘଟିଥିଲା ଦୁର୍ଘଟଣା। ଶାଳିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।