Advertisment

ପୋଷ୍ଟାଲ ଚାକିରି ପାଇଁ ଜାଲ ପ୍ରମାଣପତ୍ର: ଓଡ଼ିଶାରେ ଘାଣ୍ଟିଲା ସିବିଆଇ

ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି। ସେହିପରି ରେଡରେ ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Postal

Postal

ଓଡ଼ିଶାରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ରେଡ୍‌ କରାଯାଉଛି। ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି। ସେହିପରି ରେଡରେ ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି।

Advertisment

ଭୁବନେଶ୍ୱରରେ ଥିବା ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାଲ ପ୍ରମାଣପତ୍ର ସମ୍ପର୍କରେ ପ୍ରଥମେ ସିବିଆଇରେ ଅଭିଯୋଗ ହୋଇଥିଲା। ଜାଲ ପ୍ରମାଣପତ୍ର ଯୋଗାଇ ଦେଉଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାକୁ ସିବିଆଇ ଉଦ୍ୟମ କରୁଛି।

ଗ୍ରାମୀଣ ଡାକ ସେବା ପରୀକ୍ଷାରେ ୬୩ ଜଣ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସିବିଆଇ ୨୦୨୩ ମସିହା ମେ’ ୯ ତାରିଖରେ ଆଇପିସିର ୧୨୦-ବି, ୪୨୦, ୪୬୮, ୪୭୧ ଓ ୫୧୧ ଦଫା ସହ ଦୁର୍ନୀତି ନିରୋଧ ଆଇନ ୧୯୮୮ର ଧାରା ୭(ଏ) ଅନୁସାରେ ନିୟମିତ ମାମଲା ରୁଜୁ କରିଥିଲା। ଜାଲ ପ୍ରମାଣପତ୍ର ଦେଇଥିବା ୬୩ ଜଣ ପ୍ରାର୍ଥୀ, ପୋଷ୍ଟାଲ ବିଭାଗର ଅଜଣା ଅଧିକାରୀ ଓ କିଛି ମଧ୍ୟସ୍ଥିଙ୍କ ନାଁରେ ଏପରି ମାମଲା ହୋଇଥିଲା।

Advertisment

୨୦୨୩ ମସିହା ଜାନୁଆରୀ ୨୭ରେ ଗ୍ରାମୀଣ ଡାକ ସେବା(ଜିଡିଏସ୍‌)ର ୧୩୮୨ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେକୌଣସି ଅଧିକୃତ ବୋର୍ଡରୁ ୧୦ ପାସ ସହ ସ୍ଥାନୀୟ ଭାଷା ଉପରେ ଦଖଲ ରହିବା ଜରୁରୀ ବୋଲି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ରଖା ଯାଇଥିଲା। 

ନିୟମ ଅନୁସାରେ ଆଶାୟୀଙ୍କୁ ସର୍ଭରରେ ନିଜର ୧୦ମ ପାସ ପ୍ରମାଣପତ୍ର ଓ ମାର୍କଶିଟ ଦାଖଲ କରିବାକୁ ପଡ଼ିବ। ୧୦ମ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଚୟନପ୍ରକ୍ରିୟା ହେବାର ଥିଲା। ଚୟନ ହୋଇଥିବା ଆଶାୟୀଙ୍କୁ ଏସଏମଏସ ଓ ଇ-ମେଲ ଜରିଆରେ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଯୋଗ୍ୟ ଆଶାୟୀଙ୍କୁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇ କାଗଜପତ୍ର କାମ କରିବାକୁ କୁହାଯାଇଥିଲା।

ତେବେ ଯାଞ୍ଚ ସମୟରେ ଓଡ଼ିଶା ପୋଷ୍ଟାଲ ସର୍କଲ ଜାଣିବାକୁ ପାଇଥିଲା ଯେ ବିଭିନ୍ନ ଡିଭିଜନର ୬୩ ଜଣ ଆଶାୟୀ ନକଲି ପ୍ରମାଣପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି ଓ ବ୍ରହ୍ମପୁରର ଏହି ୬୩ ଜଣ ଆଶାୟୀ ଜାଲ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଥିଲା।

ଏହି ଜାଲ ପ୍ରମାଣପତ୍ରଗୁଡ଼ିକ ଆହ୍ଲାବାଦ, ପଶ୍ଚିମବଙ୍ଗ ବୋର୍ଡ, କୋଲକାତା, ଝାରଖଣ୍ଡ ଏକାଡେମୀ କାଉନସିଏ, ରାଞ୍ଚି ଭଳି ବୋର୍ଡ ଅଫ ହାଇସ୍କୁଲ ଓ ଇଣ୍ଟରମିଡିଏଟ ଏଡୁକେସନ ପକ୍ଷରୁ ଜାରି କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଜାଲ ପ୍ରମାଣପତ୍ର ପଛରେ ଅନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ରହିଛନ୍ତି। ତେଣୁ ସିବିଆଇ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ କରାଯାଇଛି।

Odisha CBI Cbi Raid CBI Investigation Postal Scam