Advertisment

ଚାଉଳ ସବସିଡି ବାବଦ ୨୫୦୦ କୋଟି ଟଙ୍କାର ବକେୟା ଦେଲା କେନ୍ଦ୍ର

ବିଧାନସଭାରେ ମନ୍ତ୍ରୀ ଶ୍ରୀ ପାତ୍ର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଫୁଡ୍ ସବସିଡି ବାଦରେ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟର ୯୫୬୪କୋଟି ଟଙ୍କା ବକେୟା ରହିଛି ।

author-image
Ordigital Desk
Rice

Rice

ଫୁଡ୍ ସବସିଡି ବାବଦରେ ରାଜ୍ୟର ବକେୟା ଅର୍ଥରୁ କେନ୍ଦ୍ର ସରକାର ୨୫୦୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତ କିଛିଦିନ ତଳେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବା ପରେ ବକେୟା ଅର୍ଥରୁ ୨୫୦୦କୋଟି ଟଙ୍କା ମିଳିଛି । ଆଜି ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Advertisment

ବିଧାନସଭାରେ ମନ୍ତ୍ରୀ ଶ୍ରୀ ପାତ୍ର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଫୁଡ୍ ସବସିଡି ବାଦରେ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟର ୯୫୬୪କୋଟି ଟଙ୍କା ବକେୟା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ବିନିଯୋଗ ହୋଇଥିବା ଚାଉଳ ବାବଦରେ ଭାରତ ସରକାର ସବସିଡି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଭାରତ ସରକାରଙ୍କ ସହ ବୁଝାମଣା ଅନୁସାରେ ଅଗ୍ରୀମ ସବସିଡି ରାଶି ତ୍ରେମାସିକ ଭିତ୍ତିରେ ରାଜ୍ୟ ସରକାର ପାଇବାର ପ୍ରାବଧାନ ଅଛି । ଧାନ ସଂଗ୍ରହଣ ପ୍ରକ୍ରିୟା ପ୍ରଭାବିତ ନହେବା ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଋଣ ଆକାରରେ ଅର୍ଥ ରାଶି ସଂଗ୍ରହ କରି ଧାନକ୍ରୟ ବାବଦ ଖର୍ଚ୍ଚ ଆଗୁଆ ବହନ କରିଥାନ୍ତି ।

ରାଜ୍ୟରେ ଗତ ୨୦୨୩-୨୪ ଖରିଫ ଋତୁରେ ୧୩.୩୬ଲକ୍ଷ ଚାଷୀଙ୍କଠୁ ୫୮.୦୩ଲକ୍ଷ ମେଟ୍ରିକ ଟନ୍ ଧାନ ରବି ଋତୁରେ ୧.୯୬ଲକ୍ଷ ଚାଷୀଙ୍କଠୁ ୧୨.୮୫ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥିଲା । ଗତ ଖରିଫ ଓ ରବି ଋତୁରେ ସଂଗୃହୀତ ଧାନର ମୂଲ୍ୟ ବାବଦରେ ମୋଟ ୧୫,୪୭୫କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି । ଧାନକିଣା ବାବଦରେ କେନ୍ଦ୍ର ସରକାର କୌଣସି ଅର୍ଥ ପ୍ରତ୍ୟକ୍ଷ ଭାବେ ଦେଇନଥାନ୍ତି । ସଂଗୃହୀତ ଧାନକୁ ଚାଉଳ କରି ସାଧାରଣ ବଂଟନରେ ହିତାଧିକାରୀଙ୍କୁ ବାଂଟି ସାରିବା ପରେ ରାଜ୍ୟ ସରକାର ତ୍ରୈମାସିକ ସବସିଡି ବିଲକୁ କେନ୍ଦ୍ର ସରକାରଙ୍କ ପାଖରେ ଜମା କରିଥାନ୍ତି । ଗତ ଧାନ ସଂଗ୍ରହ ବର୍ଷ ୨୦୨୩-୨୪ରେ ଚାଉଳ ବାବଦକୁ କେନ୍ଦ୍ର ସରକାର ବର୍ତ୍ତମାନସୁଦ୍ଧା ୫୮୭୧କୋଟି ଟଙ୍କା ପୈଠ କରିଛନ୍ତି । ଏଫସିଆଇ ଏବେସୁଦ୍ଧା ୧୪,୬୦,୫୮୯ମେଟ୍ରିକ ଟନ୍ ଚାଉଳ ନେଇସାରିଛି ଓ ୧୦,୬୯,୯୮୬ ମେଟ୍ରିକ ଟନ୍ ଚାଉଳ ନେବାକୁ ବାକି ଅଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ବିଧାନସଭାରେ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ଗୌତମବୁଦ୍ଧ ଦାସଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

Advertisment
Bjp Orissa Food