Advertisment

ଖଣି ରୟାଲିଟି ସଂଶୋଧନ ପାଇଁ ମନା କଲା କେନ୍ଦ୍ର: ୫ବର୍ଷରେ ୫ଗୁଣ ଅଧିକ ରୟାଲିଟି ପାଇଛି ଓଡ଼ିଶା

ଖଣି ରୟାଲିଟି ସଂଶୋଧନ ଦାବି ଏବେ ଓଡ଼ିଶା ସରକାର ଓ ଶାସକ ବିଜେଡି ପାଇଁ ଅତୀତ ପାଲଟିଛି। ଦୀର୍ଘ ଦେଢ଼ ଦଶନ୍ଧି ଧରି ଖଣି ରୟାଲିଟି ସଂଶୋଧନ ଦାବି ଆଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଜୋରଦାର ଉଠାଉଥିବା ଶାସକ ବିଜେଡି ଏବେ ଅତ୍ୟନ୍ତ ଚତୁରତାର ସହ ଏହି ପ୍ରସଙ୍ଗରୁ ଓହରି ଯାଇଛି।

author-image
Ordigital Desk
Mining royalty

Mining royalty

ଖଣି ରୟାଲିଟି ସଂଶୋଧନ ଦାବି ଏବେ ଓଡ଼ିଶା ସରକାର ଓ ଶାସକ ବିଜେଡି ପାଇଁ ଅତୀତ ପାଲଟିଛି। ଦୀର୍ଘ ଦେଢ଼ ଦଶନ୍ଧି ଧରି ଖଣି ରୟାଲିଟି ସଂଶୋଧନ ଦାବି ଆଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଜୋରଦାର ଉଠାଉଥିବା ଶାସକ ବିଜେଡି ଏବେ ଅତ୍ୟନ୍ତ ଚତୁରତାର ସହ ଏହି ପ୍ରସଙ୍ଗରୁ ଓହରି ଯାଇଛି। ତେବେ ଏହି ପ୍ରସଙ୍ଗ ଉପରେ ବିଜେଡି ପାଇଁ ପୂର୍ଣ୍ଣଚ୍ଛେଦ ପକାଇଲା ତାହା ଏବେ ପଦାକୁ ଆସିଛି । ଖୋଦ୍ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଯେଉଁ ତଥ୍ୟ ରଖିଛନ୍ତି ତାହା ପରୋକ୍ଷରେ ବିଜେଡିକୁ ନିଜ ଦାବିରୁ ଓହରିବାକୁ ବାଧ୍ୟ କରିଛି ।
କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ଯୋଶୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଗତ ୫ବର୍ଷ ମଧ୍ୟରେ ଓଡ଼ିଶାକୁ ୫ଗୁଣ ଅଧିକ ଖଣି ରୟାଲିଟି ମିଳିଛି । ୨୦୧୭-୧୮ ମସିହାରେ ଖଣି ରୟାଲିଟି ବାବଦରେ ମାତ୍ର ୩୪୭୦.୪୧କୋଟି ଟଙ୍କା ପାଇଥିବା ଓଡ଼ିଶା ୨୦୨୧-୨୨ରେ ୧୭୯୮୩. ୬୯କୋଟି ଟଙ୍କା ପାଇଛି । ୨୦୧୮-୧୯ରେ ୭୫୮୧.୪୮କୋଟି ଟଙ୍କା, ୨୦୧୯-୨୦ରେ ୭୬୭୨.୧୯କୋଟି ଟଙ୍କା, ୨୦୨୦-୨୧ରେ ୭୦୩୪.୬୧କୋଟି ଟଙ୍କା ଖଣି ରୟାଲିଟି ବାବଦରେ ମିଳିଛି । କରୋନା କାଳରେ ସବୁପ୍ରକାରର କଟକଣା ସତ୍ତ୍ୱେ ଖଣି ରୟାଲିଟି ବିଶେଷ ପ୍ରଭାବିତ ହୋଇନାହିଁ ।
ସେହିପରି ମନ୍ତ୍ରୀ ଶ୍ରୀ ଯୋଶୀ ସ୍ପଷ୍ଟ କରିଛନ୍ତି ଯେ, ଖଣି ରୟାଲିଟିର ସଂଶୋଧନ ଉପରେ ନିଷପତ୍ତି ନେବା ପାଇଁ ୨୦୧୮ ଫେବୃୟାରୀ ମାସରେ ଖଣିସମୃଦ୍ଧ ରାଜ୍ୟ, ଖଣି କମ୍ପାନୀ ଓ ସଂଘ ଆଦିକୁ ନେଇ ଏକ ଷ୍ଟଡି ଗ୍ରୁପ୍ ଗଠନ କରାଗଲା । ଏହି ଷ୍ଟଡି ଗ୍ରୁପ୍ ୨୦୧୯ ଜୁଲାଇ ୨୫ତରିଖରେ ତାଙ୍କର ଚୂଡ଼ାନ୍ତ ସୁପାରିଶ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ । ଏହାପରେ ବିଭିନ୍ନ ଅଂଶୀଦାରଙ୍କ ଦାବି ଆଧାରରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୨୧ ଅକ୍ଟୋବର ୨୭ତାରିଖରେ ଏକ କମିଟି ଗଠନ କଲେ।

Advertisment

ଏହି କମିଟି ପ୍ରତି ଟନ୍ ଆଧାରରେ ରୟାଲିଟି ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା । କମିଟି ତାଙ୍କ ରିପୋର୍ଟ ୨୦୨୨ ମାର୍ଚ୍ଚ ୭ତାରିଖରେ ଦାଖଲ କଲେ । ମନ୍ତ୍ରଣାଳୟ ଏହି ସୁପାରିଶକୁ ଅନୁଧ୍ୟାନ କରିଥିଲା । ତେବେ ୨୦୧୫ ମସିହାରେ ଏମଏମଡିଆର ଆକ୍ଟର ସଂଶୋଧନ କରି ମୋଦି ସରକାର ଖଣିର ନିଲାମ କରିବା ଯୋଗୁ ରାଜ୍ୟଗୁଡ଼ିକ ଅଧିକ ପରିମାଣରେ ରୟାଲିଟି ପାଇଥିବା ଜଣାପଡ଼ିଥିଲା । ମୋଦି ସରକାର ମୋଟ ୩୩୦ଟି ଖଣିକୁ ନିଲାମ ଆଧାରରେ ଲିଜ୍ ଦେଇଥିବାବେଳେ ସେଥିରୁ ଅଧିକାଂଶ ଏପର୍ଯ୍ୟନ୍ତ ଉତ୍ପାଦନକ୍ଷମ ହୋଇନାହାନ୍ତି।

ତେବେ ବିଗତ ୪ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକ ଖଣି ରୟାଲିଟି ବାବଦରେ ୩ଗୁଣ ଅଧିକ ରାଜସ୍ୱ ପାଇଛନ୍ତି । ଆଗାମୀ ଦିନରେ ଅଧିକ ଖଣି ଉତ୍ପାଦନକ୍ଷମ ହେଲେ ଏହି ରୟାଲିଟି ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି । ତେଣୁ ଏସବୁ କାରଣରୁ ଖଣି ରୟାଲିଟି ସଂଶୋଧନ କରିବା ପ୍ରସ୍ତାବ ଏବେ ମନ୍ତ୍ରଣାଳୟର ବିଚାରାଧୀନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷଥର ପାଇଁ ୨୦୨୦ ଡିସେମ୍ବର ମାସରେ ଖଣିମନ୍ତ୍ରୀଙ୍କ ନିକଟରେ ଖଣି ରୟାଲିଟି ସଂଶୋଧନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ମାତ୍ର ଯେଉଁ ହାରରେ ଖଣି ରୟାଲିଟି ମିଳୁଛି ତାକୁ ଦୃଷ୍ଟିରେ ରଖି ବିଜେଡି ଏହି ପ୍ରସଙ୍ଗକୁ ନିଜର ରାଜନୀତିକ ଏଜେଣ୍ଡାରୁ ବାଦ୍ ଦେଇଥିବା ଜଣାପଡ଼ିଛି ।

BjD Bjp