ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ହସ୍ପିଟାଲରେ ଭର୍ତ୍ତି

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନିର୍ବାଚନୀ ଇସ୍ତାହାର କମିଟିର ୩୮ଜଣିଆ କମିଟି ଘୋଷଣା କରିଥିଲେ ଓ ଏହି କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ ରହିଛନ୍ତି ।

ଚନ୍ଦ୍ର ଶେଖର ସାହୁ

  • Published: Thursday, 11 April 2024
  • , Updated: 11 April 2024, 08:28 PM IST

ବିଜେଡି ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଛନ୍ତି । ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ସମେତ ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ଶ୍ରୀ ସାହୁଙ୍କୁ ହସ୍ପିଟାଲରେ ଭେଟିଥିଲେ ।

ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଂସଦ ଶ୍ରୀ ପାତ୍ର କହିଛନ୍ତି ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡାକ୍ତରମାନେ ତାଙ୍କର କେତେକ ପରୀକ୍ଷାନିରୀକ୍ଷା କରିଛନ୍ତି । ସେ ଏବେ ଡାକ୍ତରଙ୍କ ତଦାରଖରେ ଅଛନ୍ତି ।

ସେହିପରି ହସ୍ପିଟାଲ ସୂତ୍ର ଅନୁସାରେ, ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ୨-୩ଦିନ ମଧ୍ୟରେ ସୁଧାର ଆସିଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ଉଲ୍ଲେଖଯୋଗ୍ୟ, ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନିର୍ବାଚନୀ ଇସ୍ତାହାର କମିଟିର ୩୮ଜଣିଆ କମିଟି ଘୋଷଣା କରିଥିଲେ ଓ ଏହି କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଶ୍ରୀ ସାହୁ ରହିଛନ୍ତି । ବ୍ରହ୍ମପୁରର ସାଂସଦ ଶ୍ରୀ ସାହୁଙ୍କୁ ଦଳ ଏଥର କୌଣସି ସ୍ଥାନରେ ଟିକେଟ୍ ଦେଇନାହିଁ ।

Related story