Advertisment

ASIକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି- ଉନ୍ନତମାନର ଯାଞ୍ଚ ସହ ମରାମତି ଶେଷ କର

ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ASI ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅତି ଶ୍ରୀଘ ASI ତରଫରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

author-image
Niharika Rout
Arabind Padhi

Arabind Padhi

ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ASI ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅତି ଶ୍ରୀଘ ASI ତରଫରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଉନ୍ନତ ଅନୁଷ୍ଠାନ ଯଥା IIT ବିଶେଷଜ୍ଞ ଓ CBRI ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି। ଏଥିନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତିରେ ଲେଜର ସ୍କାନିଂ ଓ GPRS ଭଳି ଅତ୍ୟାଧୁନିକ ଭାବରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଞ୍ଚ ସମୟରେ ନୀତିକାନ୍ତି ବ୍ୟାଘାତ ନହେବା ପାଇଁ ଛତିଶା ନିଯୋଗ ଓ ପରିଚାଳନା କମିଟି ତରଫରୁ ନୀତିର ସାରଣୀ କରାଯିବ। ଯାଞ୍ଚ ଓ ମରାମତି ପାଇଁ ପୂର୍ବରୁ ଯେଉଁ SOP ପ୍ରସ୍ତୁତ କରାଯାଇଛି ସେହି କ୍ରମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment

ଗତକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା କାର୍ଯ୍ୟ ସମାପନ ହୋଇଛି। ରତ୍ନଭଣ୍ଡାର ଭିତରେ ଥିବା ଏକ ଲୁହା ସିନ୍ଦୁକ ବାହାର କରିବା ସମ୍ଭବ ନହେବାରୁ କବାଟ କଟାଯାଇଥିଲା। ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଉକ୍ତ ସିନ୍ଦୁକ ବାହାର କରାଗଲା। ସିନ୍ଦୁକ ବାହାର କରାଗଲା ପରେ ପୁଣି କବାଟ ମରାମତି ହୋଇଥିଲା। ସମସ୍ତ ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ କୋଠରୀରେ ରଖାଯାଇଛି। ଏବେ ଭିତର ଏବଂ ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହୋଇଯାଇଛି। ତେଣୁ ଏହାର ମରାମତି ନିମନ୍ତେ ASI ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Puri Shreemandir Puri