lok seva bhawan
ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ମନମାନି ଓ ଆଇନବିରୋଧୀ କାର୍ଯ୍ୟ ଯୋଗୁ ସରକାର ବଦନାମ ହେବାରେ ଲାଗିଛନ୍ତି । ସରକାରୀ ନୀତିନିୟମକୁ ଫୁ’ କରି ଅଦୃଶ୍ୟ କାରଣରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ‘ଲୋକସେବା ଭବନ ବା ରାଜ୍ୟ ସଚିବାଳୟ’ର ସୁରକ୍ଷାକୁ ବିପଦରେ ପକାଇବାକୁ ମଧ୍ୟ ପଛାଉନାହାନ୍ତି । ବହୁ କସରତ ପରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ସଚିବାଳୟ ପ୍ରବେଶ ପାସ୍’ ପ୍ରଦାନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ୨୦୨୪ ଡିସେମ୍ବର ୨୬ର ଯେଉଁ ଗାଇଡଲାଇନ ଜାରି କଲା ଏବେ ତାକୁ ଖୋଦ୍ ଦାୟିତ୍ୱରେ ଥିବା ବିଭାଗୀୟ ଅଫିସର ଖୋଲାଖୋଲି ଉଲ୍ଲଘଂନ କରିବାରେ ଲାଗିଥିବାର ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି।
କାହାକୁ ଖୁସି କରିବାକୁ କେଉଁ ଉଦ୍ଦେଶ୍ୟରେ ଲୋକସମ୍ପର୍କ ବିଭାଗ ସବୁ ନୀତିନିୟମକୁ ଦଳିଚକଟି ‘ସଚିବାଳୟ ପ୍ରବେଶ ପତ୍ର’ ପାଇଁ ମନଇଚ୍ଛା ସୁପାରିଶ କରୁଛି ଓ ଏହାକୁ ଗୃହ ବିଭାଗ କାହିଁକି କଡ଼ାକଡ଼ି ଯାଂଚ ନକରି ସେଥିରେ ଆଖିବୁଜି ମୋହର ମାରୁଛି ତାହା ଏବେ ରାଜ୍ୟର ସର୍ବାଧିକ ସମ୍ବେଦନଶୀଳ ଲୋକସେବା ଭବନର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ସୂଚନା ଅଧିକାର ଆଇନ ବଳରେ ଉଭୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଗୃହ ବିଭାଗ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସଚିବାଳୟର ସୁରକ୍ଷାକୁ କିଭଳି ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଇଛି ତାହା ମଧ୍ୟ ଜଳଜଳ ଦିଶିବାରେ ଲାଗିଛି ।
ଲୋକସମ୍ପର୍କ ବିଭାଗର ବେପରୁୱା ନୀତି, ସବୁ ନିୟମକୁ ଫୁ’
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଲୋକସେବା ଭବନ ବା ସଚିବାଳୟକୁ ସାମ୍ବାଦିକମାନଙ୍କ ପ୍ରବେଶ ନିମନ୍ତେ ‘ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ’ ସୁପାରିଶ କରିବାର ପ୍ରାବଧାନ ରହିଛି । ପୁଲିସ ଭେରିଫିକେସନ ପରେ ଏହି ସୁପାରିଶ ଆଧାରରେ ଗୃହ ବିଭାଗ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ସଚିବାଳୟ ପ୍ରବେଶ ପାସ୍ ପ୍ରଦାନ କରିଥାନ୍ତି । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଲୋକସମ୍ପର୍କ ବିଭାଗ ଓ ଗୃହ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଯଦି ସତ ହୋଇଥାଏ ତା’ହେଲେ ‘ସଚିବାଳୟ ସୁରକ୍ଷା’କୁ ଏହି ଦୁଇ ବିଭାଗର ଅଫିସରମାନେ କିଭଳି ବାଜି ଲଗାଇ ଦେଇଛନ୍ତି ତା’ର ତଥ୍ୟ ‘ଓଡ଼ିଶା ରିପୋର୍ଟର’ ହାତରେ ଲାଗିଛି ।
ଏହି ତଥ୍ୟ ଅନୁସାରେ, ସାମ୍ବାଦିକ ଭାବେ ‘ସଚିବାଳୟ ପାସ୍ ’ପାଇଥିବା ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାଁ ଲୋକସମ୍ପର୍କ ବିଭାଗ ସୁପାରିଶ କରିନାହିଁ ଅଥଚ ଗୃହ ବିଭାଗରୁ ସେମାନେ ସଚିବାଳୟ ପାସ୍ ନେବାରେ ସକ୍ଷମ ହୋଇଛନ୍ତି । ଏହା କିଭଳି ସମ୍ଭବପର ହୋଇପାରିଛି ଓ ସଚିବାଳୟ ପାସ୍ ନେଇଥିବା ବ୍ୟକ୍ତିମାନେ ପ୍ରକୃତରେ ସାମ୍ବାଦିକ ନା ନାହିଁ, ତାକୁ କିଏ କେଉଁସ୍ତରରେ ଯାଂଚ କରିଛି ତଥା ସେମାନଙ୍କର ସଚିବାଳୟ ଭିତରେ ଗତିବିଧି କ’ଣ ରହିଛି ତା’ଉପରେ ନଜର କିଏ ରଖୁଛି ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଏହା ମଧ୍ୟ ସିଧାସଳଖ ସଚିବାଳୟର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୦୨୪ ଅଗଷ୍ଟ ୧ରୁ ୨୦୨୫ ଜୁନ୍ ୨୫ତାରିଖ ମଧ୍ୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କେତେଜଣ ଗଣମାଧ୍ୟମ ପ୍ରତିନିଧି ବା ସମସ୍ତ ପ୍ରକାରର ସାମ୍ବାଦିକଙ୍କୁ ସଚିବାଳୟ ପାସ୍ ପ୍ରଦାନ ନିମନ୍ତେ ଗୃହ ବିଭାଗକୁ ସୁପାରିଶ କରିଛି ବୋଲି ‘ସୂଚନା ଅଧିକାର ଆଇନ’ ଅନ୍ତର୍ଗତ ପ୍ରଶ୍ନ କରାଯାଇଥିଲା । ବିଭାଗ ଦେଇଥିବା ଉତ୍ତରରେ ଦର୍ଶାଇଛି ଯେ, ଏହି ଅବଧି ମଧ୍ୟରେ ସଚିବାଳୟ ପାସ୍ ନିମନ୍ତେ ମୋଟ ୧୫୮ଟି ଆବେଦନ ବିଭାଗକୁ ମିଳିଛି ।
ଯାହାର ଯାଂଚ ସେକ୍ସନ ଅଧିକାରୀ ପ୍ରିୟଙ୍କା ମହାପାତ୍ର ଓ ରାମଚନ୍ଦ୍ର ମୁର୍ମୁ କରିଛନ୍ତି । ଏବଂ ଏସବୁ ଆବେଦନର ଅନୁମୋଦନ ଅଧିକାରୀ(ଗୃହ ବିଭାଗକୁ ସୁପାରିଶ କରୁଥିବା ଅଧିକାରୀ) ଭାବେ ବିଭାଗର ଟେକନିକାଲ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ରହିଛନ୍ତି । ଏହି ୧୫୮ଟି ଆବେଦନ ମଧ୍ୟରେ ମୋଟ ୧୧୯ଜଣ ଆବେଦନକାରୀ ରହିଛନ୍ତି ଓ ବାକି ୩୯ଟି ଆବେଦନ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ଥର ଭାବେ ଉଲ୍ଲେଖ ରହିଥିବା ଜଣାପଡ଼ିଛି । ଏହି ୧୧୯ଜଣଙ୍କ ମଧ୍ୟରେ ବିଭାଗ କେତେଜଣଙ୍କ ନାଁ ସଚିବାଳୟ ପାସ୍ ପାଇଁ ସୁପାରିଶ କରିଛି ତାହା ଦେଇନାହିଁ । ଏପରିକି ବିଭାଗ ପ୍ରତିବର୍ଷ ଡିସେମ୍ବର ମାସରେ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକମାନଙ୍କ ନବୀକରଣ କରୁଥିଲେ ମଧ୍ୟ ସେମାନେ ସଚିବାଳୟ ପ୍ରବେଶ ନିମନ୍ତେ ସୁବିଧା ସମ୍ପର୍କରେ ତଥ୍ୟ ଦେବାକୁ ଉଚିତ୍ ମଣିନାହିଁ ।
ଲୋକସମ୍ପର୍କ ବିଭାଗର ଗୁମର ଖୋଲିଲା ଗୃହ ବିଭାଗର ଉତ୍ତର
୨୦୨୪ ଅଗଷ୍ଟ ୧ରୁ ୨୦୨୫ ଜୁଲାଇ ୫ତାରିଖ ମଧ୍ୟରେ ୧୧୩ଟି ଗଣମାଧ୍ୟମ ସଂସ୍ଥାର ମୋଟ ୧୫୩ଜଣଙ୍କୁ ଗୃହ ବିଭାଗ ଦ୍ୱାରା ‘ସଚିବାଳୟ ପାସ୍’ ମଞ୍ଜୁର କରାଯାଇଥିବା ସୂଚନା ଦିଆଯାଇଛି । ଏଥିରେ ଗୋଟିଏ ଲେଖାଁଏ ପାକ୍ଷିକ ସମ୍ବାଦପତ୍ରକୁ ୩ଟି ପାସ୍ ଦିଆଯାଇଛି ତ ସରକାରଙ୍କ ଅନୁମୋଦିତ ନଥିବା ଗଣମାଧ୍ୟମ ସଂସ୍ଥା ମଧ୍ୟ ଏହି ସଚିବାଳୟ ପାସ୍ ହାତେଇବାରେ ସକ୍ଷମ ହୋଇଛନ୍ତି ।
ଏପରିକି ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁମୋଦନ କରିଥିବା ସଂଖ୍ୟା ତୁଳନାରେ ଗୃହ ବିଭାଗ ଦ୍ୱାରା ମଞ୍ଜୁର ପାସ୍ ସଂଖ୍ୟା ବି ବେଶୀ ଥିବା ଜଣାପଡ଼ିଛି । ଗୃହ ବିଭାଗ କେଉଁ ଆଧାରରେ ଏତେ ପାସ୍ ମଞ୍ଜୁର କରିଛି ତାହା ମଧ୍ୟ ଅସ୍ପଷ୍ଟ । ଲୋକସମ୍ପର୍କ ବିଭାଗ ଦ୍ୱାରା ଜାରି ୨୦୨୪ ଡିସେମ୍ବର ୨୬ତାରିଖର ଗାଇଡଲାଇନରେ କେବଳ ରାଜ୍ୟ ସରକାରଙ୍କ ଅନୁମୋଦିତ ମିଡିଆ ହାଉସର ପ୍ରତିନିଧିଙ୍କୁ ସଚିବାଳୟ ପାସ୍ ଦିଆଯିବ ବୋଲି ଉଦ୍ଦିଷ୍ଟ ଥିବାବେଳେ ଅନେକ ଅଣଅନୁମୋଦିତ ମିଡିଆ ହାଉସ୍ କିଭଳି ପାସ୍ ପାଇଲେ ଓ କାହା ଅନୁମୋଦନରେ ପାଇଲେ ତାହା ମଧ୍ୟ ସନ୍ଦେହଘେରରେ ।
ଲୋକସମ୍ପର୍କ ବିଭାଗର ଏଭଳି ମନଇଚ୍ଛା କାରବାର ଯୋଗୁ ସଚିବାଳୟରେ ‘ସାମ୍ବାଦିକ ପାସ୍’ହାତେଇଥିବା କିଛି ଅଣପେଷାଦାର ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ହଟହଟା ହେବାକୁ ପଡ଼ିଛି । ଏହି ଅଣପେଷାଦାର ବ୍ୟକ୍ତିମାନେ ସାମ୍ବାଦିକ ପାସ୍ ହାତେଇ ବିଭିନ୍ନ ପ୍ରକାରର ସଚିବାଳୟ ପରିସରରେ ଅସାଧୁ ଗତିବିଧିରେ ଲିପ୍ତ ରହିଥିବାର ଅଭିଯୋଗ ହେଉଛି । ଯେଉଁଥିପାଇଁ ସଚିବାଳୟ ପାସ ଥାଇ ମଧ୍ୟ ମିଡିଆ ସଂସ୍ଥା ପ୍ରତିନିଧିମାନଙ୍କୁ ବିନାନୁମତିରେ ମନ୍ତ୍ରୀ କରିଡ଼ରରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଯାହାକି ସଚିବାଳୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଫୋନ୍ କିମ୍ବା ମେସେଜର ଉତ୍ତର ଦେଲେନି ଅଧିକାରୀ
ଲୋକସମ୍ପର୍କ ବିଭାଗର ତତ୍କାଳୀନ ଟେକନିକାଲ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଓ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଏସମ୍ପର୍କରେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇନଥିଲେ । ଏପରିକି ସେମାନଙ୍କର ଅଫିସିଆଲ ହ୍ୱାଟସଅପ୍ ମାଧ୍ୟମରେ ସବୁ ତଥ୍ୟ ପଠାଇ ପ୍ରତିକ୍ରିୟା ଜାଣିବାକୁ ପ୍ରୟାସ କରିଥିଲେ ମଧ୍ୟ ଉତ୍ତର ମିଳିପାରିନାହିଁ।
କୌଣସି ନ୍ୟୁଜ୍ ୱେବପୋର୍ଟାଲ (ରାଜ୍ୟ ସରକାରଙ୍କ ଅନୁମୋଦିତ) କିମ୍ବା ରାଜ୍ୟ ସରକାରଙ୍କ ଅଣସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ସଚିବାଳୟ ପାସ୍ ଦିଆଯିବ ନାହିଁ ବୋଲି ବିଭାଗ ନିଜେ ଗାଇଡଲାଇନ୍ ଜାରି କରିଥିଲେ ମଧ୍ୟ ଯେଉଁମାନଙ୍କୁ ପାସ୍ ଜାରି ହୋଇଛି ସେଥିରେ ୩୦ ପ୍ରତିଶତରୁ ଅଧିକ ଏଭଳି ବର୍ଗର ଥିବା ଜଣାପଡ଼ିଛି । ଏମାନଙ୍କୁ ପାସ୍ ଦେବା ପାଇଁ ଲୋକସମ୍ପର୍କ ବିଭାଗ କେଉଁ ନୀତି ଅନୁସରଣ କରିଛି ଓ ଦାୟିତ୍ୱରେ ଥିବା ଅଫିସରମାନଙ୍କ ବେପରୁୱା ମନୋଭାବ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଏହି ବିଭାଗକୁ ବଦନାମ ହେଉଥିବା ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689396646.jpg)