Advertisment

ସବୁ ସୋମବାର କାହିଁକି ଖୋଲୁନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ?

ଡିସେମ୍ବର ୩୦ ତାରିଖରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଆମେ ଏହା ଭିତରେ ପ୍ରାୟ ୩୦ ହଜାରରୁ ଅଧିକ ଅଭିଯୋଗ ପାଇଛୁ।

author-image
Hemant Lenka
ଅଦ୍ୟତନ ହୋଇଛି
Chief Minister

Chief Minister

ଗତ ବିଜେଡି ସରକାରରେ ଶେଷ ୧୬ ବର୍ଷ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସି ନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଅଫିସର ପ୍ରତି ସୋମବାର ଉପସ୍ଥିତ ରହି ଏହି ଅଭିଯୋଗ ପ୍ରକୋଷ୍ଠ ଚଳାଉଥିଲେ। ହେଲେ ପ୍ରାୟ ୮ ମାସ ତଳେ ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ମାତ୍ର ୭ ଥର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଡିସେମ୍ବର ୩୦ ତାରିଖରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଆମେ ଏହା ଭିତରେ ପ୍ରାୟ ୩୦ ହଜାରରୁ ଅଧିକ ଅଭିଯୋଗ ପାଇଛୁ। ଆଉ ଏଥିରୁ ୭୮% ଅଭିଯୋଗର ସମାଧାନ ହୋଇଛି। ଏବେ ପ୍ରଶ୍ନ ହେଉଛି ପ୍ରାୟ ୮ମାସରେ ୩୦ରୁ ଅଧିକ ସୋମବାର ଆସିଥିବାବେଳେ ଅଧିକାଂଶ ସମୟ କାହିଁକି ବନ୍ଦ ରହୁଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ?

ଏକଥା ସତ ଯେ ଏହି ଆଠ ମାସ ଭିତରେ ଭୁବନେଶ୍ୱରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଉତ୍ସବ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ସବୁ ସମୟରେ ଉପସ୍ଥିତ ରହିବା ସମ୍ଭବ ହୋଇ ନପାରେ। ମାତ୍ର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରହି ଲୋକଙ୍କ ଅଭିଯୋଗ ଶୁଣୁନାହାନ୍ତି କାହିଁକି? ସୂଚନା ଅଧିକାର ଆଇନରେ ନିକଟରେ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଗୋଟିଏ ଉତ୍ତର।

Advertisment

ଏଥିରେ ଦର୍ଶାଯାଇଛି, ୨୦୨୧, ୨୦୨୨ଓ ୨୦୨୩ ବର୍ଷରେ ଜନଶୁଣାଣି ଜରିଆରେ ବିଭାଗ ପ୍ରାୟ ୮୦% ପ୍ରତିଶତ ସମସ୍ୟାର ସମାଧାନ କରିଛି। ହେଲେ ୨୦୨୪ ନିର୍ବାଚନ ବର୍ଷରେ ମାତ୍ର ୪୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଅନ୍ୟପଟରେ ପୂର୍ବରୁ ଜିଲ୍ଲାସ୍ତରରେ ପ୍ରତି ସୋମବାର ଜିଲ୍ଲାପାଳ ଓ ଏସପିମାନେ ମିଳିତ ଜନଶୁଣାଣି କରୁଛନ୍ତି, ଯାହାକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୋର୍ଟାଲ ସହ ସଂଯୁକ୍ତ ହୋଇ ରହିଛି।

ଲୋକେ ଜନଶୁଣାଣି ପୋର୍ଟାଲ ଜରିଆରେ ପଂଜୀକରଣ କରି କିମ୍ବା ହ୍ୱାଟସଆପ୍ ନମ୍ବର-6370951930 ଜରିଆରେ ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ଏବେ ପ୍ରତି ସୋମବାର ପୂର୍ବରୁ ପଞ୍ଜୀକରଣ କରିଥିବା କେବଳ ୧ ହଜାର ଲୋକଙ୍କ ଅଭିଯୋଗ ଶୁଣୁଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।

ଏ ନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ହୁଏତ ସବୁ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ସମ୍ଭବ ହେଉନଥିବ। ଆବଶ୍ୟକସ୍ଥଳେ ଉପମୁଖ୍ୟମନ୍ତ୍ରୀ ଓ  ଅନ୍ୟ ମନ୍ତ୍ରୀମାନେ ଏହା ଶୁଣିପାରିବେ। ଏହା ସାଧାରଣ ଲୋକଙ୍କ ଭିତରେ ଭରସା ସୃଷ୍ଟି କରିବ। ଏଥିସହ କେବଳ ୭୮% ଶୁଣାଣିର ସମାଧାନ ହୋଇଛି କହିଲେ ହେବ ନାହିଁ, ଶୁଣାଣିରୁ ଲୋକେ ପ୍ରକୃତ ସୁଫଳ ପାଇଛନ୍ତି କି ନାହିଁ ତାହା ଯାଂଚ୍ କରିବାକୁ ପଡ଼ିବ।

ସେହିପରି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର କହିଛନ୍ତି, ପୂର୍ବରୁ ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଥିଲେ। ସବୁ ସମସ୍ୟାର ସମାଧାନ ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନୁହେଁ। ଶେଷରେ ଅଫିସରମାନେ ଏହାର ସମାଧାନ କରିବେ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଅଭିଯୋଗ ଶୁଣିବା ଦ୍ୱାରା ଅନେକ ଅଭିଯୋଗ କମିଯିବ।

ରିପୋର୍ଟ: ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Odisha Bjp RTI Odisha Chief Minister