/odisha-reporter/media/post_attachments/uploadimage/library/16_9/16_9_0/CM_1753712609.jpg)
CM
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ୧୩ମାସର କାର୍ଯ୍ୟକାଳରେ ୧୩ଥର ଜନଶୁଣାଣି କରି ପ୍ରାୟ ୯୧ ପ୍ରତିଶତ ଲୋକଙ୍କ ଅଭିଯୋଗର ସମାଧାନ କରିଛନ୍ତି । ଚଳିତବର୍ଷରେ ମୋଟ୍ ୫୧ଜଣଙ୍କୁ ତତ୍କାଳ ୫୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଞ୍ଜୁର କରିଛନ୍ତି ।
ଏବେ ମୋହନ ନିଜର ଜନତା ଦରବାରକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ନେବାକୁ ଯୋଜନା କରିଛନ୍ତି। ମୋହନଙ୍କ ଏହି ୧୩ଥର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗୋଟିଏ ଥର ସମ୍ବଲପୁର ଓ ଅନ୍ୟ ୧୨ଥର ରାଜଧାନୀ ଭୁବନେଶ୍ୱରରେ ହୋଇଛି । ନିଜର ୧୩ଥରର ପ୍ରତ୍ୟକ୍ଷ ଜନ ଅଭିଯୋଗ ଶୁଣାଣିରେ ମୋହନ ଓ ତାଙ୍କ ଟିମ୍ ମୋଟ ୧୧୫୧୬ଟି ଅଭିଯୋଗ ଶୁଣିଛନ୍ତି,ଯେଉଁଥିରୁ ୧୦୫୦୨ଟି ଅର୍ଥାତ୍ ୯୧ ପ୍ରତିଶତର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସିଙ୍ଗିଲୱିଣ୍ଡୋ ସିଷ୍ଟମ: ତୁରନ୍ତ ଆର୍ଥିକ ସହାୟତା ମଞ୍ଜୁର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଧାସଳଖ ଅଭିଯୋଗ ଶୁଣାଣିବେଳେ ଦୁରାରୋଗ୍ୟ ପୀଡ଼ିତ ବ୍ୟକ୍ତିମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଉଛନ୍ତି । ସରକାରଙ୍କ ସିଙ୍ଗଲୱିଣ୍ଡୋ ସିଷ୍ଟମରେ ଏହି ଆର୍ଥିକ ସହାୟତା ତତ୍କାଳ ମଞ୍ଜୁର କରାଯାଇ ତାଙ୍କୁ ପ୍ରଦାନ କରାଯାଉଛି । ୨୦୨୫ ମସିହା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ମୋଟ ୫୧ଜଣଙ୍କୁ ୫୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେବାପରେ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଆଜି ୧୩ତମ ପାଳିରେ ୩ଜଣ ଅଭିଯୋଗକାରୀଙ୍କୁ ଦେଢ଼ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ଯୋଗାଇବା ପାଇଁ ବରିଷ୍ଠ ଡାକ୍ତରୀ ଟିମ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ରହିଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ସହ ୯ ମନ୍ତ୍ରୀ ଶୁଣିଲେ ଅଭିଯୋଗ
ଆଜି ୧୩ତମ ଅଭିଯୋଗ ଶୁଣାଣିବେଳେ ମୁଖ୍ୟମନ୍ତୀ ମୋହନ ମାଝୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ୯ଜଣ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ । ଆଜିର ଶୁଣାଣିବେଳେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଭୁଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ରବି ନାରାୟଣ ନାୟକ, ସୂର୍ଯ୍ୟବଂଶୀ ସୂରଜ, ସଂପଦ ଚନ୍ଦ୍ର ସ୍ୱାଇଁ ଓ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଦିବ୍ୟାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା
ଆଜି ଜନଅଭିଯୋଗ ଶୁଣାଣିବେଳେ ଅପେକ୍ଷାରତ ଅଭିଯୋଗକାରୀଙ୍କ ମଧ୍ୟରୁ ପ୍ରଥମେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଷ୍ପତ୍ତି ନେଇଥିଲେ । ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଜର ଅଭିଯୋଗ ଆଣି ଆସିଥିଲେ ସେମାନଙ୍କର ଅଭିଯୋଗ ଶୁଣିବା ସହ ବିଭାଗଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଦିବ୍ୟାଙ୍ଗମାନଙ୍କ ପ୍ରତି ଏହା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ସମ୍ବେଦନଶୀଳ ମନୋଭାବକୁ ଦର୍ଶାଇଛି ।
ରାଜ୍ୟର ଅନ୍ୟ ଅଂଚଳରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୋଟିଏଥର ସମ୍ବଲପୁରରେ ନିଜର ଟିମ୍ ସହ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିବାବେଳେ ଖୁବଶୀଘ୍ର ଅନ୍ୟ ଅଂଚଳରେ ତାଙ୍କର ଅଭିଯୋଗ ସମାଧାନ ଦରବାର ଲାଗିବ ବୋଲି ଜଣାପଡ଼ିଛି । ଆଜିସୁଦ୍ଧା ୧୩ଥର ଜନ ଅଭିଯୋଗ ଶୁଣାଣି କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତ୍ୟେକ ଥରରେ ପ୍ରାୟ ଏକ ହଜାର ଅଭିଯୋଗକୁ ଗ୍ରହଣ କରି ତା’ର ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନିଜର ଟିମ୍ ସହ ନିଜେ ଉପସ୍ଥିତ ରହି ସିଧାସଳଖ ଅଭିଯୋଗ ଶୁଣୁଥିବା ଓ ଲୋକମାନେ ନିଜର ସମସ୍ୟା ତାଙ୍କୁ ପ୍ରତ୍ୟକ୍ଷ ଭାବେ କହି ସମାଧାନର ପ୍ରତିଶ୍ରୁତି ପାଉଥିବାରୁ ସାଧାରଣରେ ସରକାରଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
