ବାତ୍ୟା ‘ଦାନା’ ପାଇଁ ବୟସ୍କା ମହିଳାଙ୍କୁ ନିଜ ପିଠିରେ ବୁହାଇ ଆଶ୍ରୟସ୍ଥଳୀକୁ ନେଇଥିବା କେନ୍ଦ୍ରାପଡ଼ାର ରାଜନଗର ଅଂଚଳର ଆଶାଦିଦି ଶିବାନୀ ମଣ୍ଡଳଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା ବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ମାଧ୍ୟମରେ ଶିବାନୀ ଦିଦିଙ୍କ ସହ କଥା ହୋଇଥିଲେ । କଥାବାର୍ତ୍ତାବେଳେ ଜାଣିବାକୁ ପାଇଥିଲେ ଯେ, ଶିବାନୀ ଦିଦି ମୋଟ ୭ଜଣ ବୟସ୍କ ଓ ୨ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳୀକୁ ଆଣିଥିଲେ । ତାଙ୍କର ଏଭଳି ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରିବା ସହ ସରକାର ଓ ସେ ବ୍ୟକ୍ତିଗତ ଭାବେ ତାଙ୍କ କାମରେ ଖୁସିଥିବା ଶ୍ରୀ ମାଝୀ କହିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସବୁବେଳେ ଭଲରେ ରଖନ୍ତୁ ବୋଲି କହିବା ସହ ଲୋକମାନଙ୍କ ବିପଦବେଳେ ଏଭଳି ସମସ୍ତଙ୍କୁ ସାହାଯ୍ୟ କରୁଥାଅ ବୋଲି ପରାମର୍ଶ ଦେଇଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ କଥା ପଚାରି ବୁଝିଥିଲେ । ଆଉ ତାଙ୍କର ପକ୍କାଘର ନଥିବା ଜାଣିବାକୁ ପାଇବା ପରେ ତୁରନ୍ତ ତାଙ୍କୁ ଏକ ଘର ଦେବା ପାଇଁ ରାଜନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବାନୀଦିଦିଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡ ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର କରିବାର ଦାୟିତ୍ୱ ନେଇଥିଲେ । ଗାଁର ଜନୈକ ବୟସ୍କା ମହିଳା ପକ୍ଷାଘାତରେ ଆକ୍ରାନ୍ତ ଥିବାରୁ ପ୍ରବଳ ବର୍ଷାରେ ଆଶ୍ରୟସ୍ଥଳୀକୁ ଯାଇପାରୁନଥିଲେ । ଶିବାନୀ ଦିଦି ନିଜ ପିଠିରେ କାନ୍ଧେଇ ଦେଢ଼ କିମି ଦୂରରେ ଥିବା ଆଶ୍ରୟସ୍ଥଳୀକୁ ବୋହି ନେଇ କର୍ତ୍ତବ୍ୟ ସମ୍ପାଦନ କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସୋସିଆଲ ମିଡିଆରେ ଗତକାଲିଠୁ ତାଙ୍କର ପ୍ରଶଂସା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।