Advertisment

ଆକ୍ସନମୋଡରେ ମୋହନ: ମନ୍ତ୍ରୀମାନଙ୍କୁ ମାଗିଲେ ପରଫର୍ମାନ୍ସ ରିପୋର୍ଟ, ଉତ୍ତରଦାୟୀ ବି ରହିବେ

ମନ୍ତ୍ରୀମାନେ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି, ଲୋକଙ୍କର ଅଭିଯୋଗକୁ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି(ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଦ)କେତେ ସମାଧାନ କରିଛନ୍ତି, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେତେଥର ଶେୟାର କରିଛନ୍ତି ସବୁର ରିପୋର୍ଟ ସେମାନଙ୍କୁ ଦେବାକୁ ପଡ଼ିବ ।

ଅଦ୍ୟତନ ହୋଇଛି
undefined

CM Mohan Charan Majhi

Advertisment

ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଓ ମହିଳା ବିରୁଦ୍ଧ ହିଂସା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ କରିବା ସହ ସବୁ ମନ୍ତ୍ରୀ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପରଫର୍ମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତମାସରେ  ୩ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଜୁଲାଇ ୧୫ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜା ଏକ ନୋଟ୍ ସିଟ୍ ଜାରି କରି ବିଭାଗଗୁଡ଼ିକୁ ଅବଗତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପଦାକୁ ଆସିଛି, ଯାହାକି ଏବେ ପାୱାର କରିଡ଼ରରେ କମ୍ପନ ସୃଷ୍ଟି କରିଛି ।

Advertisment

ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ସହ ବିଭାଗଗୁଡ଼ିକ କିଭଳି କାର୍ଯ୍ୟ କରୁଛି ତା’ର ତଥ୍ୟ ମଧ୍ୟ ମାଗିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନାକେବଳ ସରକାରଙ୍କ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବରଂ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର ପ୍ରାଥମିକତାକୁ ମଧ୍ୟ ସୁନିଶ୍ଚିତ କରାଇଥିବା ଜଣାପଡ଼ିଛି। 

ସମସ୍ତ ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’)ରେ ନିଜର ସଫଳତା, ଚ୍ୟାଲେଞ୍ଜ, ଭବିଷ୍ୟତ ଯୋଜନାର ବ୍ୟାପକ ବିବରଣୀକୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ(ବଜେଟ୍ ଖର୍ଚ୍ଚ ଓ ସାମଗ୍ରିକ ଖର୍ଚ୍ଚ)ରେ ପ୍ରସ୍ତୁତ କରିବେ । କେବଳ ସେତିକି ନୁହେଁ ମନ୍ତ୍ରୀମାନେ ମଧ୍ୟ ୨୦୨୫ ମେ’ ମାସ ପର୍ଯ୍ୟନ୍ତ ନିଜର ସଫଳତା ଓ କାର୍ଯ୍ୟଦକ୍ଷତା(ଫରଫର୍ମାନ୍ସ)ର ବିସ୍ତୃତ ରିପୋର୍ଟ ଦେବେ ।

Advertisment

ଏପରିକି ମନ୍ତ୍ରୀମାନେ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି, ଲୋକଙ୍କର ଅଭିଯୋଗକୁ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି(ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଦ)କେତେ ସମାଧାନ କରିଛନ୍ତି, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେତେଥର ଶେୟାର କରିଛନ୍ତି ସବୁର ରିପୋର୍ଟ ସେମାନଙ୍କୁ ଦେବାକୁ ପଡ଼ିବ ।

ସବୁଠୁ ବଡ଼କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ଫର୍ମାଟ ଏଭଳି ହୋଇଛି ଯେଉଁଥିରେ ବିଭାଗ ଓ ମନ୍ତ୍ରୀମାନେ ଏସବୁ ତଥ୍ୟ ଦେବାକୁ ଏକପ୍ରକାର ବାଧ୍ୟ ହେବେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସବୁ ରିପୋର୍ଟ କେବେସୁଦ୍ଧା ମନ୍ତ୍ରୀମାନେ ଦେବେ ତାହା ଜଣାପଡ଼ି ନାହିଁ । ଏହି ସମସ୍ତ ପ୍ରସଙ୍ଗରେ କୌଣସି ପ୍ରକାରର ଅଜଣା ବାହାନା ଗ୍ରହଣୀୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କ’ଣ ମାଗିଛନ୍ତି, ମନ୍ତ୍ରୀଙ୍କ ନିଦ ହଜିଲା

ମୁଖ୍ୟସଚିବ ମନୋଜ ଆହୁଜା ବିଭାଗଗୁଡ଼ିକୁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ଦର୍ଶାଯାଇଛି ଯେ, ବିଭାଗର ପରଫର୍ମାନ୍ସ ରିପୋର୍ଟକୁ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।

୧- ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’) ପାଇଁ ସଂଖ୍ୟାତ୍ମକ ଓ ବଜେଟ୍ ଭିତ୍ତିକ ଲକ୍ଷ୍ୟ ନିର୍ଦ୍ଧାରଣ ଓ ପ୍ରସ୍ତୁତ କରିବା ସହ ଚଳିତବର୍ଷ ମେ’ ମାସ ପର୍ଯ୍ୟନ୍ତ ମିଳିଥିବା ସଫଳତା । ବିଭାଗୀୟ ପ୍ରାଥମିକତାଗୁଡ଼ିକୁ ସରକାରଙ୍କ ପ୍ରଥମବର୍ଷର ରୋଡମ୍ୟାପ୍ ସହ ସମନ୍ୱିତ କରିବା ।

୨- ପ୍ରଶାସନିକ ନିଷ୍ପତ୍ତି ଓ କାର୍ଯ୍ୟକାରିତାରେ ଆସୁଥିବା ସମସ୍ୟା ଓ ଚ୍ୟାଲେଞ୍ଜ ଏବଂ ଏହାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବେ । ଏଥିରେ ଫାଇଲ୍ ମଞ୍ଜୁରୀ ପାଇଁ ଆଭ୍ୟନ୍ତରୀଣ ବ୍ୟବସ୍ଥା, ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତିକୁ ସାମିଲ କରାଯିବ । ସେହିପରି ମନ୍ତ୍ରୀମାନେ ନିଜ ବିଭାଗର ଯେଉଁସବୁ ବୈଠକରେ ବିଭାଗୀୟ କାର୍ଯ୍ୟ-ଯୋଜନା ଓ ନିଷ୍ପତ୍ତିର ତଦାରଖ ଓ ମୂଲ୍ୟାଙ୍କନ କରିଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ(କେବେ ବସିଥିଲା,ଏଜେଣ୍ଡା ଓ ନିର୍ଯ୍ୟାସ କ’ଣ ହେଲା) ଦେବେ । ତେବେ ଏଥିରେ ରୁଟିନ୍ ବା ନିୟମିତ ବୈଠକଗୁଡ଼ିକ ଏହି ଶ୍ରେଣୀରେ ଗଣାଯିବ ନାହିଁ, ଯାହା ମନ୍ତ୍ରୀମାନଙ୍କ ସକ୍ରିୟତା ଉପରେ ସିଧାସଳଖ ନିୟନ୍ତ୍ରଣକୁ ପ୍ରତିଫଳିତ କରୁଛି ।

୩-ମନ୍ତ୍ରୀମାନଙ୍କୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଓ ନିରୀକ୍ଷଣ ସହ ଜଡ଼ିତ କ୍ଷେତ୍ର ପରିଦର୍ଶନର ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିରେ ସରକାରୀ ଓ ରାଜନୀତିକ କାର୍ଯ୍ୟକ୍ରମକୁ ଗ୍ରହଣ କରାଯିବ ନାହିଁ । ୨୦୨୫ ମେ’ ମାସ ପର୍ଯ୍ୟନ୍ତ ମନ୍ତ୍ରୀମାନେ କେଉଁ କେଉଁ ସ୍ଥାନକୁ ଯାଇ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତଦାରଖ କରିଛନ୍ତି ତା’ର ସ୍ଥାନ, ତାରିଖ, ଏଜେଣ୍ଡା ଓ ନିର୍ଯ୍ୟାସର ହିସାବ ଦେବେ । କେବଳ ସେତିକି ନୁହେଁ  ଶାସନ ବ୍ୟବସ୍ଥାରେ ନୀତିଗତ ସଂସ୍କାର, ସୁଶାସନ, ଡିଜିଟାଲ ଉପକରଣର ଉପଯୋଗ, ଆଇଏ ଭଳି ନୂଆ ପ୍ରଯୁକ୍ତି ପାଇଁ ପଦକ୍ଷେପ ଭଳି ନୂଆ ପ୍ରସ୍ତାବ ଯଦି ମନ୍ତ୍ରୀମାନେ ଦେଇଛନ୍ତି ତା’ର ବିସ୍ତୃତ ବିବରଣୀ ଦେବେ ।

୪- ଲୋକଙ୍କ ଅଭିଯୋଗ ଶୁଣାଣିର ସମାଧାନ ଦିଗରେ ୨୦୨୪ ଜୁନ ୧୨ରୁ ୨୦୨୫ ମେ’ ୩୧ତାରିଖ ମଧ୍ୟରେ କେତେ ଅଭିଯୋଗ ଆସିଛି,ତା’ର ସମାଧାନ କେତେ ଅବଧି ମଧ୍ୟରେ (୧ରୁ ୪୫ଦିନ ମଧ୍ୟରେ) ଓ ବକେୟା(କେତେଦିନ ପଡ଼ିଛି) ସଂଖ୍ୟା କେତେ ଅଛି ସେନେଇ ମନ୍ତ୍ରୀମାନେ ବିସ୍ତୃତ ତଥ୍ୟ ଦେବେ । ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବାକୁ ବିଚାରକୁ ନିଆଯିବ ନାହିଁ ।

୫- ସୋସିଆଲ ମିଡିଆ-ଫେସବୁକ,ଏକ୍ସ, ଇନଷ୍ଟାଗ୍ରାମରେ ମନ୍ତ୍ରୀମାନେ କେତେ ସକ୍ରିୟ ରହିଛନ୍ତି ତାହା ଜାଣିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ମାସକୁ ଏହି ତିନିଟି ପ୍ଲାଟଫର୍ମରେ ହାରାହାରି କେତେ ପୋଷ୍ଟ କରାଯାଉଛି ସେଥିରୁ ବିଭାଗ, ସରକାରୀ, ରାଜ୍ୟ ଓ ଜାତୀୟ ସ୍ୱାର୍ଥ ସମ୍ପର୍କିତ କେତେ ପୋଷ୍ଟ ରହୁଛି । ଆଉ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କେତେ ପୋଷ୍ଟକୁ ଶେୟାର କରାଯାଉଛି ତା’ର ତଥ୍ୟ ଦେବେ । ତେବେ ବ୍ୟକ୍ତିଗତ କାର୍ଯ୍ୟକ୍ରମ ବା ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ଆଦି କାର୍ଯ୍ୟକ୍ରମରେ ସାମିଲ ସୋସିଆଲ ମିଡିଆ ପୋଷ୍ଟକୁ ଗୁରୁତ୍ୱକୁ ନିଆଯିବ ନାହିଁ ।

୬- ପ୍ରତ୍ୟେକ ମନ୍ତ୍ରୀ ଚଳିତ ଆର୍ଥିକବର୍ଷ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଦାଖଲ କରିବେ । ଯେଉଁଥିରେ ପ୍ରଭାବୀ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ତଦାରଖ, ଅଭିଯୋଗ ନିରାକରଣ, ଜନସାଧାରଣଙ୍କ ସହ ଯୋଗାଯୋଗ ଏବଂ ବଜେଟ ମାନଦଣ୍ଡ ଅନୁଯାୟୀ ଖର୍ଚ୍ଚକୁ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ରହିବ । ଏହି ସମସ୍ତ ପ୍ରସଙ୍ଗରେ କୌଣସି ପ୍ରକାରର ଅଜଣା ବାହାନା ଗ୍ରହଣୀୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀରୁ ବଳ ଗୋଟାଇ ଫେରିଛନ୍ତି ମୋହନ

ମୋହନଙ୍କ ଏଭଳି ଅପ୍ରତ୍ୟାଶିତ କଠୋର ଆଭିମୁଖ୍ୟ ଓ ମନ୍ତ୍ରୀମାନଙ୍କୁ ପରଫର୍ମାନ୍ସ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେବା ପାୱାର କରିଡ଼ରରେ କମ୍ପନ ସୃଷ୍ଟି ହୋଇଛି । ସରଳ,ଅମାୟିକ ଓ ଆଦିବାସୀ ନେତା ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ରିମୋର୍ଟ କଂଟ୍ରୋଲରେ ରାଜ୍ୟକୁ ଶାସନ କରିବାକୁ କିଛି ନେତା ବିଗତ କିଛିମାସ ଧରି ଉଦ୍ୟମ କରିବାରେ ଲାଗିଥିବା ଚର୍ଚ୍ଚା ମଧ୍ୟରେ ମୋହନଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟ   କିଛି ନିର୍ଦ୍ଦିଷ୍ଟ ମନ୍ତ୍ରୀମାନଙ୍କ ନିଦ ହଜାଇ ଦେଇଛି । ଜୁଲାଇ ୧୧ତାରିଖରେ ୩ଦିନିଆ ଦିଲ୍ଲୀ ଗସ୍ତରେ ଯିବା ମୋହନଙ୍କ ପାଇଁ ଏବେ ଟର୍ଣ୍ଣିଂପଏଂଟ ହୋଇଛି ।

ଦିଲ୍ଲୀ ରହଣୀବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କୁ ଭେଟି ରାଜ୍ୟର ଶାସନ ଓ ସଂଗଠନ ପ୍ରସଙ୍ଗରେ ଆଲୋଚନା କରି ଫେରିବା ପରେ ଜୁଲାଇ ୧୫ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜା ଏକ ନୋଟ୍ ସିଟ୍ ଜାରି କରି ବିଭାଗଗୁଡ଼ିକୁ ନିଜର ପରଫର୍ମାନ୍ସ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେବାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରୀୟ ନେତୃତ୍ୱଙ୍କଠୁ ବଳ ଆଣି ମୋହନ ଏବେ ଫୁଲ୍ ଫର୍ମରେ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ଏପରିକି ଯେଉଁ ଫର୍ମାଟ (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ପ୍ରଶ୍ନର ଉତ୍ତରକୁ ପାୱାରପଏଂଟ ପ୍ରେଜେଣ୍ଟେସନରେ ୧ରୁ ୧୦ଟି ସ୍ଲାଇଡ୍ ପ୍ରସ୍ତୁତ କରିବେ)ରେ ବିଭାଗ ଓ ମନ୍ତ୍ରୀମାନଙ୍କୁ ନିଜର ପରର୍ଫମାନ୍ସ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି ତାହା ମଧ୍ୟ ଦିଲ୍ଲୀରୁ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟଶୈଳୀରେ ବେଶ୍ ପରିପକ୍ୱତା ଓ କଠୋରତା ଦେଖିବାକୁ ମିଳିଥିବା ପାୱାର କରିଡ଼ରରେ ଚର୍ଚ୍ଚା ।

ବିଶେଷଜ୍ଞଙ୍କ ମତ

ନବୀନ ପଟ୍ଟନାୟକ ସରକାରରେ ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ସାହୁ ଏ ସମ୍ପର୍କରେ କହିଛନ୍ତି ଯେ, “ମନ୍ତ୍ରୀମାନଙ୍କୁ ଓ ବିଭାଗଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଓ ରିପୋର୍ଟ ତଲବ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ସରକାରର ସୁଶାସନ ଓ ଦାୟିତ୍ୱବୋଧ ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି । ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତା ଉପରେ କଡ଼ା ନଜର ରଖିବା ସହ ସେମାନେ କିଭଳି ବିଭାଗର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଓ ଅନ୍ୟ ଗତିବିଧି କ’ଣ ରହିଛି ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର ରହିବା ସ୍ୱାଭାବିକ କଥା ।

ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ଓ ଆଭିମୁଖ୍ୟ ସ୍ୱାଗତଯୋଗ୍ୟ । ଦଳମତନିର୍ବିଶେଷରେ ମୁଖ୍ୟମନ୍ତ୍ରୀ ପଦବୀର ଗୁରୁତ୍ୱ ମଧ୍ୟ ସମସ୍ତେ ଅନୁଭବ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ଅଭିଯୋଗର ନିରାକରଣ, ଟେକ୍ନୋଲୋଜିର ବ୍ୟାପକ ଉପଯୋଗ, ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ସମଗ୍ର ପ୍ରଶାସନିକ କଳ ଓ ମନ୍ତ୍ରୀମାନଙ୍କ ଉପରେ ନିଜର ଦୃଢ଼ ନିୟନ୍ତ୍ରଣକୁ ମଧ୍ୟ ଦର୍ଶାଇବାକୁ ଚାହୁଁଥିବା ଶ୍ରୀ ସାହୁ କହିଛନ୍ତି ।”

Odisha Bjp Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe