ପୂର୍ବ ସରକାରରେ ଚାଲୁଥିବା ଢିଲା ଶାସନ ବ୍ୟବସ୍ଥାକୁ ଦେଖି ତାଜୁବ୍ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି ଏକାଧିକ ଆଉଟସୋର୍ସ ଏଜେନ୍ସି। ଆଉ ଖୋଦ ଲୋକ ସଂପର୍କ ବିଭାଗ ଜାଣିନି ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ। ଅବସର ପରେ ପ୍ରାୟ ସବୁ ବିଭାଗରେ ଥଇଥାନ ହୋଇଛନ୍ତି ସରକାରୀ ବାବୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Friday, 14 June 2024
  • , Updated: 14 June 2024, 08:02 PM IST

୨୪ ବର୍ଷ ହେଲା ରାଜ୍ୟରେ କେମିତି ଚାଲିଥିଲା ପ୍ରଶାସନ ଓ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ? ସମୀକ୍ଷା ବେଳେ ପୂର୍ବ ସରକାର ଅମଳରୁ ଚାଲି ଆସିଥିବା ଢିଲା ଶାସନ ବ୍ୟବସ୍ଥାକୁ ଦେଖି ତାଜୁବ୍ ହୋଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସବୁଠୁ ବଡ଼ କଥା ହେଲା, ପ୍ରାଶାସନିକ ପରିଚାଳନା ଦାୟିତ୍ୱରେ ଗଣ୍ଡା ଗଣ୍ଡା ଘରୋଇ ଏଜେନ୍ସିଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ତା’ର ଉତ୍ତର ଦାୟିତ୍ୱ କେହିନଥିବା ଜାଣି ଚିନ୍ତା ପ୍ରଟକ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି ଏକାଧିକ ଆଉଟସୋର୍ସ ଏଜେନ୍ସି। ଆଉ ଖୋଦ ଲୋକ ସଂପର୍କ ବିଭାଗ ଜାଣିନି ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ। ଅବସର ପରେ ପ୍ରାୟ ସବୁ ବିଭାଗରେ ଥଇଥାନ ହୋଇଛନ୍ତି ସରକାରୀ ବାବୁ। ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା। ହେଲେ କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାହାର ଉତ୍ତର ବାବୁମାନଙ୍କ ପାଖରେ ନାହିଁ। ରାଜ୍ୟରେ ଏମିତି ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ।

ସମୀକ୍ଷା ବେଳେ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ିପଡିଥିବା ଜାଣି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଢିଲା ଓ ଅପରାଗ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏଥିପାଇଁ ଦାୟୀ କିଏ ସେନେଇ କୈଫିୟତ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ପ୍ରଶ୍ନ ଏଠି ଉଠୁଛି, ସରକାରୀ ବିଭାଗ ବିଶେଷକରି ପ୍ରଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ ସିଏମ୍ଓର ବିଭିନ୍ନ କାର୍ଯ୍ୟକୁ କେମିତି ଆଉଟସୋର୍ସିଂ ସଂସ୍ଥା ହାତକୁ ଟେକି ଦେଇଥିଲେ ସରକାର? ଯେଉଁଠି ସରକାର ନୀତି, ନିଷ୍ପତ୍ତିର ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଆଉଟସୋର୍ସରୁ ନିଯୁକ୍ତି ଦ୍ୱାରା ଗୁପ୍ତ ତଥ୍ୟ ଲିକ ହେବାର ସମସ୍ତ ସମ୍ଭାବନା ସତ୍ତ୍ୱେ କେମିତି ଏ ଦିଗକୁ ଅଣଦେଖା କରାଯାଇଥିଲା? ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ।

କୁହାଯାଉଛି, ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସ୍ଥିର ସରକାରରେ ପୂରା ବ୍ୟବସ୍ଥାକୁ କବ୍‌ଜା କରି ନେଇଥିଲା କୋଟେରୀ ଗ୍ରୁପ। କୋଭିଡ୍ ବେଳଠୁ ମୁଖ୍ୟମନ୍ତ୍ରୀ ପ୍ରାୟତଃ ନବୀନ ନିବାସରେ ରହୁଥିଲେ। ଆଉ ଅଚଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଥଇଥାନ କେନ୍ଦ୍ର ଭଳି ଗଣ୍ଡା ଗଣ୍ଡା ଆଇଏଏସ ଅଫିସରଙ୍କୁ ସିଏମଓରେ ଥଇଥାନ କରାଯାଇଥିଲା। ଏପଟେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୋଶାଲ ମିଡିଆ ହାଣ୍ଡେଲ ଆଉ ୱେବସାଇଟ୍ ପରିଚାଳନା ଭଳି ସବୁ କାମରେ ନିଯୁକ୍ତ ହୋଇଥିଲେ ଆଉଟସୋର୍ସ ସଂସ୍ଥା। ଆଉ ସବୁକୁ ଅଚଳ କରି ନିଜ ହାତରେ ସବୁ କ୍ଷମତା କବ୍‌ଜା କରି ରଖିଥିଲେ ଭି.କେ ପାଣ୍ଡିଆନ। କିନ୍ତୁ ସରକାର ପରିବର୍ତ୍ତନ ପରେ ଶପଥ ନେବାର ୨ ଘଣ୍ଟା ଭିତରେ କ୍ୟାବିନେଟ ବୈଠକ ଓ ୧୨ ଘଣ୍ଟାରେ ଗ୍ରାଉଣ୍ଡକୁ ଯାଇ ମୋହନଙ୍କ ମନ୍ତ୍ରିମଣ୍ଡଳ ଆକ୍ସନକୁ ଓହ୍ଲାଇଥିଲେ ମଧ୍ୟ ପ୍ରଶାସନିକ ଅବ୍ୟବସ୍ଥା ଆଉ ଅସହଯୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜନୈତିକ ସମୀକ୍ଷକ।

ଅପରପକ୍ଷେ ଖୁବଶୀଘ୍ର ବ୍ୟବସ୍ଥାକୁ ଷ୍ଟ୍ରିମଲାଇନ୍‌ କରି ପ୍ରାଶାସନିକ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି କହିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର।

ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଖୁବ୍‌ଶୀଘ୍ର ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Related story