Advertisment

ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ସଜେଇ ହେଉଛି ଗାଁ

ମାଆଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କେନ୍ଦୁଝର ଅଭିମୁଖେ ଯିବେ। ତାଙ୍କ ହେଲିକପ୍ଟର କେନ୍ଦୁଝର ରିଜର୍ଭ ପୁଲିସ୍‌ ପଡ଼ିଆରେ ଅବତରଣ କରିବ। ସେଠାରୁ ସେ କେନ୍ଦୁଝର ସର୍କିଟ୍‌ ହାଉସ୍‌କୁ ଯିବେ।

author-image
Manoranjan Sial
Village

Village

ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିପାଇଁ ସଜେଇ ହେଉଛି ଗାଁ। ନିର୍ବାଚନ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେଥିପାଇଁ ଗାଁର ରାସ୍ତାଘାଟ ମରାମତି ଓ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି। ଗାଁର ମହିଳା ଓ ପୁରୁଷମାନେ ଏହି କାମରେ ଲାଗି ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମଭୁମି କେନ୍ଦୁଝର ସଦର ବ୍ଲକ ରାଇକଳାକୁ ଯିବେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ଓ ପରିବାର ଏବଂ ସାଥୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Advertisment

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ୨୩ ତାରିଖ ଅର୍ଥାତ ରବିବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। ତାଙ୍କ ହେଲିକପ୍ଟର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୂର୍ବାହ୍ନରେ ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଅବତରଣ କରିବ। ସେଠାରୁ ସେ ରୋଡ୍‌ ଶୋ’ରେ ମାଆ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯିବେ। ଘଟଗାଁ ବାସିନୀ ମାଆ ତାରିଣୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ନେବେ।

ମାଆଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କେନ୍ଦୁଝର ଅଭିମୁଖେ ଯିବେ। ତାଙ୍କ ହେଲିକପ୍ଟର କେନ୍ଦୁଝର ରିଜର୍ଭ ପୁଲିସ୍‌ ପଡ଼ିଆରେ ଅବତରଣ କରିବ। ସେଠାରୁ ସେ କେନ୍ଦୁଝର ସର୍କିଟ୍‌ ହାଉସ୍‌କୁ ଯିବେ। ସର୍କିଟ୍‌ ହାଉସ୍‌ରେ କିଛି ସମୟ ପାଇଁ ବିଶ୍ରାମ ନେବେ। ତା’ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଦର୍ଶନ କରିବାକୁ ଯିବେ। ବଳଦେବ ଜୀଉଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀ ବିଶାଳ ରୋଡ୍‌ ଶୋ’ରେ ଯାଇ କେନ୍ଦୁଝର ଷ୍ଟାଡିୟମ୍‌କୁ ଯିବେ। ସେଠାରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ସେ ଯୋଗଦେବେ ଓ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରବିବାର ରାତିରେ କେନ୍ଦୁଝର ସର୍କିଟ୍‌ ହାଉସ୍‌ରେ ରହିବେ।

Advertisment

ତା’ପର ଦିନ ଅର୍ଥାତ ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମସ୍ଥାନ ରାଇକଳା ଗାଁକୁ ଯିବେ। ସେଥିପାଇଁ ଜନ୍ମମାଟି ସଜେଇ ହେଉଛି। ମାଟିର ପୁଅକୁ ସ୍ୱାଗତ କରିବା ପାଇଁ ଗାଁ ଲୋକେ ରାସ୍ତାଘାଟ ସଜାଡୁଛନ୍ତି। ଗାଁର ଆବୁଡ଼ା ଖାବୁଡା ରାସ୍ତାରେ ମାଟି ପକାଇ ସମତୁଲ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଗାଁରେ ପହଞ୍ଚିବା ପରେ ଏକ ରୋଡ୍‌ ଶୋ’ରେ ସାମିଲ୍‌ ହେବେ। ରୋଡ୍‌ ଶୋ’ ରାଇକଳାରୁ ବାହାରି ଦୁର୍ଗାପୁର ପର୍ଯ୍ୟନ୍ତ ଯିବେ। ତା’ପରେ ସେଠାରେ ଆୟୋଜିତ ହେବାକୁ ଥିବା ସମ୍ୱର୍ଦ୍ଧନା ସଭାରେ ଯୋଗଦେବେ। ସମ୍ୱର୍ଦ୍ଧନା ସଭାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନିଜ ଘରକୁ ଯିବେ। ପରିବାର ଲୋକଙ୍କୁ ଭେଟିବେ ଓ ଭୋଜନ କରିବେ। ତା’ପରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Cmo Of Odisha Kendujhar Mohan Charan Majhi