Advertisment

ସିଏମଓ ମାଗିଲା ତାଲିକା: ନୂଆ ସରକାରରେ କାହାକୁ କେଉଁଠି ଥଇଥାନ କରିଛ,ତୁରନ୍ତ ଜଣାଅ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃଥଇଥାନକୁ ନେଇ କଡ଼ା ଆଭିମୁଖ୍ୟକୁ ଦେଖି ଗତ ୧୬ତାରିଖରେ ଅବସରପ୍ରାପ୍ତ ଓଏଏସ୍ ଶାରଦା ପ୍ରସାଦ ପଣ୍ଡା ନିଜଆଡ଼ୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

author-image
Jitendra Garnayak
 Loka Seva Bhavan

Loka Seva Bhavan

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେଉଁ କର୍ମଚାରୀ ଓ ଅଫିସରଙ୍କୁ କେଉଁଠି ଥଇଥାନ କରାଯାଇଛି, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ରିପୋର୍ଟ ତଲବ କରିଛି । ସିଏମଓଙ୍କ ଏଭଳି ଆଭିମୁଖ୍ୟ ଦେଖିବା ପରେ ନଗର ଉନ୍ନୟନ ବିଭାଗରେ ଗତମାସରେ ଥଇଥାନ ହୋଇଥିବା ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଶାରଦା ପ୍ରସାଦ ପଣ୍ଡା ନିଜଆଡ଼ୁ ଇସ୍ତଫା ଦେଇ ପଳାଇଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଚଳିତମାସ ୧୪ତାରିଖରେ ସମସ୍ତ ସଚିବଙ୍କ ନିକଟକୁ ‘ୟୁଓଆଇ ନୋଟ୍ ନମ୍ବର-୭୩/ସିଏମ’ ପଠାଇଛନ୍ତି । ରାଜ୍ୟରେ ଜୁନ୍ ୧୨ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଆସିବା ପରେ କେଉଁ ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ତା’ର ତାଲିକା ୩ଦିନ ମଧ୍ୟରେ ପଠାଇବାକୁ କହିଥିଲେ । ସଚିବମାନେ ମଧ୍ୟ ନିଜନିଜ ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ଦ୍ଦେଶ।।ଳୟ, ନିଗମ ଓ ବୋର୍ଡକୁ ଏଭଳି ଅବସରପ୍ରାପ୍ତଙ୍କ ପୁନଃଥଇଥାନର ତାଲିକା ଦେବାକୁ କହିଛନ୍ତି । କେଉଁ କର୍ମଚାରୀଙ୍କୁ କେବେ ପୁନଃଥଇଥାନ କରାଯାଇଛି ଓ ସେମାନଙ୍କର କାର୍ଯ୍ୟକାଳ ଅବଧି କେବେ ପର୍ଯ୍ୟନ୍ତ ରହିଛି ତାହା ଜଣାଇବାକୁ କହିଛନ୍ତି । ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପୁନଃନିଯୁକ୍ତିକୁ ନେଇ ବଢ଼ୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏଭଳି ପଦକ୍ଷେପ ନେଇଥିବା ଆକଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃଥଇଥାନକୁ ନେଇ କଡ଼ା ଆଭିମୁଖ୍ୟକୁ ଦେଖି ଗତ ୧୬ତାରିଖରେ ଅବସରପ୍ରାପ୍ତ ଓଏଏସ୍ ଶାରଦା ପ୍ରସାଦ ପଣ୍ଡା ନିଜଆଡ଼ୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ଗତ ଜୁନ୍ ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେବାପରେ ତାଙ୍କୁ ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଭାବେ ଥଇଥାନ କରାଯାଇଥିଲା । ସେ ନଗର ଉନ୍ନୟନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନରେ ଶ୍ରୀ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଥିଲା । ମାତ୍ର ସିଏମଓ ଗତ ୧୪ତାରିଖରେ ୟୁଓଆଇ ନୋଟ୍ ପଠାଇ ଜୁନ୍ ୧୨(ମୋହନ ସରକାରଙ୍କ ଦାୟିତ୍ୱ ଗ୍ରହଣ)ପରଠୁ କେଉଁ ବିଭାଗରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃଥଇଥାନ କରାଯାଇଛି ବୋଲି ରିପୋର୍ଟ ମାଗିବା ଜାଣି ଶ୍ରୀ ପଣ୍ଡା ନିଜ ଆଡ଼ୁ ୧୬ତାରିଖରେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

Advertisment

ଅନ୍ୟପକ୍ଷରେ,  ମୋହନ ସରକାର ଦାୟିତ୍ୱ ନେବାର ୪ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୮ତାରିଖରେ ରାଜ୍ୟ ଗୃହ ବିଭାଗ ମଧ୍ୟ ଅନୁରୂପ ଭାବେ କେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେଉଁଠି ଥଇଥାନ କରାଯାଇଛି ତା’ର ବିସ୍ତୃତ ରିପୋର୍ଟ ମାଗିଥିଲା । ସମ୍ପୃକ୍ତ ଅବସରପ୍ରାପ୍ତ ଅଫିସରଙ୍କ ପାହ୍ୟା, କେଉଁ ପଦବୀରେ ନିଯୁକ୍ତି ହୋଇଛନ୍ତି, କେତେ ପାରିଶ୍ରମିକ ପାଉଛନ୍ତି ଓ କେବେ ପର୍ଯ୍ୟନ୍ତ ତାଙ୍କର ଏଗ୍ରିମେଂଟ ଅବଧି ରହିଛି ତା’ର ତଥ୍ୟ ଗୃହ ବିଭାଗ ମାଗିଥିଲା ।

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ସମୟରେ ଶହ ଶହ ଅଫିସର ଓ କର୍ମଚାରୀ ଚାକିରିରୁ ଅବସର ନେବାପରେ ଓଏସଡି ଭାବେ ସମ୍ପୃକ୍ତ ବିଭାଗରେ ଥଇଥାନ ହେଉଥିଲେ ।  ସମ୍ପୃକ୍ତ କର୍ମଚାରୀମାନଙ୍କୁ ୬ମାସ ଓ ବର୍ଷେ ପାଇଁ ପୁନଃ ଥଇଥାନ କରାଯାଉଥିଲା । ଏବେ କେବଳ ଗୃହ ବିଭାଗରେ ପ୍ରାୟ ୧୪ଜଣ ଓ ଅର୍ଥ ବିଭାଗରେ ୧୮ରୁ ଅଧିକ କର୍ମଚାରୀ ଓଏସଡି ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Cmo Of Odisha