୨୭ରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ

ଜିଲ୍ଲାପାଳ ସମ୍ମିଳନୀରେ ସାମିଲ ହେବା ପାଇଁ ସମସ୍ତ ବିଭାଗର  ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଅବଗତ କରାଇବାକୁ ମଧ୍ୟ ସଚିବମାନଙ୍କୁ କୁହାଯାଇଛି।

ଲୋକସଭା ଭବନ

  • Published: Saturday, 21 September 2024
  • , Updated: 21 September 2024, 10:01 PM IST

ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ । ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଡାକିଛନ୍ତି । ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପ୍ରଥମଥର ପାଇଁ ଜିଲ୍ଲାପାଳମାନେ ଭେଟିବେ।

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସମସ୍ତ ଜିଳ୍ଲାପାଳ ଓ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ଆସନ୍ତା ୨୭ ତାରିଖରେ ଲୋକସେବା ଭବନର କନେଭନସନ୍ ସେଂଟରଠାରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇବ ଓ ଏଜେଣ୍ଡା କ’ଣ ରହିବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ସମ୍ମିଳନୀ ୨୭ତାରିଖରେ ଅନୁଷ୍ଠିତ ହେବ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଜିଲ୍ଲାପାଳ ସମ୍ମିଳନୀରେ ସାମିଲ ହେବା ପାଇଁ ସମସ୍ତ ବିଭାଗର  ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଅବଗତ କରାଇବାକୁ ମଧ୍ୟ ସଚିବମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଜିଲ୍ଲାପାଳ ସମ୍ମିଳନୀର ଆୟୋଜନ କରାଯାଇଛି ।

Related story