Advertisment

ଫସଲ କ୍ଷୟକ୍ଷତିର ହେବ ଜିଓଟ୍ୟାଗିଂ, ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

KV Singhdeo

KV Singhdeo

Advertisment

ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ଗାଇଡଲାଇନ୍ ଆଧାରରେ କ୍ଷତିପୂରଣ ଦିଆଯିବ । ଫସଲ କ୍ଷୟକ୍ଷତିର ଜିଓଟ୍ୟାଗିଂ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରୁ ଏହି କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।

Advertisment

ଆଜି କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ଜିଲ୍ଲାର କୃଷି ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଜିଲ୍ଲାସ୍ତରରୁ ଏବେ ଚାଷଜମି ପ୍ରଭାବିତ ହେବାର ପ୍ରାକ୍ ଆକଳନ ଆଇଏଷ୍ଟିମେଟ୍ ରିପୋର୍ଟ ଆସିଛି । ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଏସଆରସି ଓ କୃଷି ବିଭାଗ ଆବଶ୍ୟକ ନିଷ୍ପତ୍ତି ନେବେ । ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ଓ ସେମାନଙ୍କୁ ତାହା ଯୋଗାଇଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ଜିଲ୍ଲାସ୍ତରରରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବେ ଲୋକଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ଯୋଗାଇ ଦିଆଯିବ । ଭୁଲ୍ ରିପୋର୍ଟ ନଦେବା ପାଇଁ ମଧ୍ୟ ଅଫିସରମାନଙ୍କୁ ସତର୍କ କରାଇ ଦିଆଯାଇଛି । ଯଦି କେହି ଏଭଳି ଭୁଲ୍ ରିପୋର୍ଟ ଦେବା ଜଣାପଡ଼େ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସେହିପରି ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ରାଜସ୍ୱ ଓ କୃଷି ବଭାଗର ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ କରାଯିବ । ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ହେକ୍ଟର ପିଛା ୧୭ହଜାର ଟଙ୍କା, ଆଗ୍ରୋ ଫରେଷ୍ଟ/ ପ୍ଲାଂଟେସନ୍ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨୫୦୦ଟଙ୍କା କ୍ଷତିପୂରଣ ଦିଆଯିବ । ସେହିପରି ଯଦି କୌଣସି ଚାଷୀଙ୍କ ଅଧା ହେକ୍ଟର ଚାଷଜମି ନଷ୍ଟ ହୋଇଥିବ ତାଙ୍କୁ ୪୨୦୦ଟଙ୍କା ସହାୟତା ମିଳିବ । ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ୧ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ।

Advertisment

ଅନ୍ୟପକ୍ଷରେ କୃଷି ବିଭାଗର ତଥ୍ୟ ଅନୁସାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ୨ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବ ତା’ହେଲେ ସରକାରଙ୍କ ଧାର୍ଯ୍ୟ ସହାୟତା ମୂଲ ରେନଫେଡ୍ ଏରିଆର ହେକ୍ଟର ପିଛା ୮୫୦୦ଟଙ୍କା, ନିଶ୍ଚିତ ଜଳସେଚନ ଏରିଆରେ ହେକ୍ଟର ପିଛା ୧୭ହଜାର ଟଙ୍କା ଓ ପାରମ୍ପରିକ ଚାଷ ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ସହାୟତା ଦିଆଯିବ ।

ବାତ୍ୟା ଦାନା ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ୫ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଚାଷଜମି ଜଳମଗ୍ନ ହେବା ସହ ଫସଲ ମଧ୍ୟ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି ।

କେବଳ ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୮୮୫୯୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ସେଥିରୁ ୨୪୮୨୭ ହେକ୍ଟର ଚାଷଜମିରେ ଫସଲକ୍ଷତିର ଆକଳନ ହୋଇଛି । ସେହିପରି କେନ୍ଦ୍ରାପଡ଼ାର ୮ଟି ବ୍ଲକରେ ପ୍ରାୟ ୨୮୪୨୬ ହେକ୍ଟର, ବାଲେଶ୍ୱରର ୧୨ଟି ବ୍ଲକର ୪୩୯୬ହେକ୍ଟରରୁ ୩୧୪୦ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ହୋଇଛି । ଯାଜପୁର ଜିଲ୍ଲାର ୭ଟି ବ୍ଲକର ୨୧୭୦୯ ହେକ୍ଟର ଜମି ଓ ମୟୂରଭଞ୍ଜର ୧୬ଟି ବ୍ଲକର ୨୩୮୧ ହେକ୍ଟର ଜମି ପ୍ରଭାବିତ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe