ନିକଟରେ ଅଦିନିଆ ବର୍ଷାରେ ରାଜ୍ୟର ୧୬ଟି ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ମହାରାଷ୍ଟ୍ର, ପଂଜାବ ଓ ଆନ୍ଧ୍ରପ୍ରଦେଶ ଭଳି ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ତାଲିକାରେ ସାମିଲ କରିଛନ୍ତି। ରାଜ୍ୟ ସରକାର ରିଲିଫ୍ କୋଡ ଅନୁସାରେ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତଥାପି ଚାଷୀ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛି, ତାହା ବିଶେଷଜ୍ଞ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି।
ବିପର୍ଯ୍ୟୟ ପରେ କିଛି ଚାଷୀ ଫସଲ ବୀମାର ସୁବିଧା ପାଇଲେ ବି ବିପର୍ଯ୍ୟୟ ସହାୟତାର ପରିମାଣ ବହୁତ କମ ରହିଛି। ଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଅର୍ଥାତ୍ ଏକର ପିଛା ମାତ୍ର ୬ ହଜାର ୮୦୦ ଟଙ୍କା ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ଅଣଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ଅର୍ଥାତ୍ ଏକର ପିଛା ସହାୟତା ରାଶି ମାତ୍ର ୩ ହଜାର ୪୦୦ ଟଙ୍କାର ବ୍ୟବସ୍ଥା ରହିଛି। ଜଳସେଚିତ ଅଂଚଳରେ ଚାଷୀ ଧାନ ଫସଲରେ ଏକର ପିଛା ୧୫ରୁ ୨୦ରୁ ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ କ୍ଷତିପୂରଣ ସହାୟତା ଚାଷ ଖର୍ଚ୍ଚର ଅଧା ହେଉନାହିଁ ବୋଲି କହିଛନ୍ତି ଚାଷୀ ନେତା ଶେଷଦେବ ନନ୍ଦ।
ଜଳସେଚିତ ଅଂଚଳରେ ଗୋଟିଏ ଏକର ଚାଷ ଜମିରେ ପ୍ରାୟ ୨୦ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେଉଛି। ଏଫଏକ୍ୟୁ ମାନର ଧାନ ପାଇଁ କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଦେଉଥିବାବେଳେ ଚାଷୀଟିଏ ଅତି କମରେ ୫୦ ହଜାର ଟଙ୍କା ଭଳି ଆୟର ଆଶା ରଖୁଛି। ରାଜ୍ୟ ସରକାର ଅତିରିକ୍ତ ସବସିଡି ବାବଦରେ ୮୦୦ ଟଙ୍କା ଦେବା ଆରମ୍ଭ କରିଥିବାବେଳେ ଏହା ଅତି କମରେ ୬୦ ହଜାର ପାଖାପାଖି ଛୁଇଁବ ବୋଲି ଆଶା ରଖୁଛି। ମାତ୍ର ଯେତେବେଳେ ସହାୟତା ରାଶି କମ ହେଉଛି, ସେତେବେଳେ ସେ ଆତ୍ମହତ୍ୟା ଭଳି ପଥ ବାଛି ନେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଗତ ୧୨ ଦିନରେ ଓଡ଼ିଶାରେ ଅନ୍ତତଃ ୧୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଲାଣି। ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବାରୁ ଜଗତସିଂହପୁରରେ ଚାଷୀ ଦଉଡ଼ି ଦେଇ ଝୁଲିପଡ଼ିବା ଖବର ଆସୁଛି ତ ସମ୍ବଲପୁରରେ ଚାଷୀ ବିଷ ପିଇବାର ଅଭିଯୋଗ ଆସୁଛି। ୨୦୧୭ ପରେ ଓଡ଼ିଶାରେ କୌଣସି ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସ୍ୱୀକାର କରୁନଥିବାବେଳେ ୨୦୨୧ରୁ ୨୦୨୩ ଭିତରେ ୪ ଚାଷୀ ଆତ୍ମହତ୍ୟା କରିଥିବା ନେଇ ମାମଲା ରୁଜୁ ହୋଇଥିବା ଦର୍ଶାଉଛନ୍ତି। ସରକାର ଏହି କ୍ଷତିପୂରଣ ସହାୟତା ରାଶି ବଢ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ହରାଇବା ବାବଦରେ ଅଧିକ ଇନପୁଟ ସବସିଡି ଦିଅନ୍ତୁ ବୋଲି କହିଛନ୍ତି କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ