/odisha-reporter/media/post_attachments/uploadimage/library/16_9/16_9_0/High_Court_1693649436.jpg)
High Court
'ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଜଗନ୍ନାଥ ମନ୍ଦିର, ମଠ, ଧର୍ମଶାଳା, କଲ୍ୟାଣ ମଣ୍ଡପ ଆଦି ତିଆରି ଓ ମରାମତି କରାଯାଉଛି। ହେଲେ ପଞ୍ଚାୟତକୁ ଅଣଦେଖା କରାଯାଉଛି। ବିନା ପଲ୍ଲୀସଭା ଓ ଗ୍ରାମସଭାରେ ପଞ୍ଚାୟତରେ ବିଭିନ୍ନ ବିଭାଗ କାମ କରୁଛି। ଏଥିରେ ବ୍ୟାପକ ଅନିୟମିତତା କରାଯାଉଛି। ଏଭଳି ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ର ୯ ଜଣ ସରପଞ୍ଚ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହାଇକୋର୍ଟ ମାମଲାକୁ ଗୁରୁତର ଭାବେ ଗ୍ରହଣ କରି ରାଜ୍ୟ ସରକାର, ବାଲେଶ୍ଵର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକରୀ ଓ ବାଲିଆପାଳ ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ବେଳେ ପଞ୍ଚାୟତର ସ୍ୱାର୍ଥ ଓ ଗ୍ରାମସଭାର ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ସରକାରୀ କର୍ତ୍ତୃପକ୍ଷ ନିଜ ପ୍ରତିଶ୍ରୁତି ମାନିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତ।
ଆବେଦନକାରୀରେ ଦର୍ଶାଇଥିଲେ, ପଲ୍ଲୀସଭା ଓ ଗ୍ରାମସଭା ନଡାକି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ଦ୍ଵାରା ସଂପାଦନ କରାଯିବା ଆଇନ୍ ଅନୁସାରେ ଗ୍ରହଣୀୟ ନୁହେଁ। ସରକାର ଏକ ପ୍ରଶାସନିକ ଆଦେଶ ବଳରେ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରିପାରିବେ ନାହିଁ। ଯଦି ପଞ୍ଚାୟତକୁ ଅଣଦେଖା କରି ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଏ, ତେବେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଭୁଶୁଡି ପଡ଼ିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ବିଭିନ୍ନ ସରକାରୀ ବିଭାଗ ବା ଜିଲ୍ଲାପାଳଙ୍କ ଦ୍ଵାରା ଚୟନ କରାଯାଇଥିବା ଏଜେନ୍ସି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ସଂପାଦନ ପାଇଁ ରହିଥିବା ନିୟମ ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ। ଗ୍ରାମ ପଞ୍ଚାୟତ ଆଇନ୍ ଓ ନିୟମାବଳୀ ଅନୁସାରେ ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉ ବୋଲି ସରପଞ୍ଚମାନେ ଆବେଦନରେ ଉଲ୍ଲେଖ କରିଛନ୍ତି।
ହାଇକୋର୍ଟଙ୍କ ଏପରି ନୋଟିସ୍ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଜିଲ୍ଲା କଂଗ୍ରେସ। ବାଲିଆପାଳରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ମୁଖ୍ୟପାତ୍ର ସୁଦର୍ଶନ ଦାସ କହିଛନ୍ତି, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ହେଉଛି ସମ୍ୱିଧାନ ବିରୋଧୀ। ଏହି ଯୋଜନା ହେଉଛି ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି ଉପହାସ। ଏହି ଯୋଜନା ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି କୁଠାରାଘାତ। ଏହା ବିରୋଧରେ କଂଗ୍ରେସ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ବାଲିଆପାଳ ପରେ ରାଜ୍ୟର ଅନ୍ୟ ସ୍ଥାନରୁ ମଧ୍ୟ ସରପଞ୍ଚମାନେ ହାଇକୋର୍ଟଙ୍କ ପାଖକୁ ଯିବେ। ଆମର ହୃଦବୋଧ ହେଉଛି ଏହି ଯୋଜନା ପଞ୍ଚାୟତ ବା ଲୋକଙ୍କ ବିକାଶ ପାଇଁ ନୁହେଁ, କେବଳ ବିଜେଡିର ପାଣ୍ଠି ଭରିବା ପାଇଁ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
