Advertisment

ଆଦିବାସୀଙ୍କ ଜମି ଲୁଟ୍ ପାଇଁ ଷଡ଼ଯନ୍ତ୍ର: କ୍ୟାବିନେଟ୍ ନିଷ୍ପତ୍ତିକୁ କଂଗ୍ରେସ-ବିଜେପିର ବିରୋଧ

ରାଜ୍ୟ କ୍ୟାବିନେଟରେ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ଯେଉଁ ପ୍ରସ୍ତାବ ପାରିତ ହୋଇଛି ତାହା ଆଦିବାସୀଙ୍କ ଜମିକୁ ଲୁଟ ପାଇଁ ଷଡ଼ଯନ୍ତ୍ର ଭଳି ଲାଗୁଛି ବୋଲି ଶ୍ରୀବାହିନୀପତି କହିଛନ୍ତି

Lokseva Bhawan

lokseva bhawan

Advertisment

ଆଦିବାସୀଙ୍କ ଜମି ଶିଳ୍ପପତିଙ୍କ ହାତରେ ଟେକି ଦେବାକୁ ସରକାରୀ ଷଡ଼ଯନ୍ତ୍ର ଚାଲିଛି । ନିରିହ ଆଦିବାସୀଙ୍କୁ ଲୁଟିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କ୍ୟାବିନେଟ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛି ।

Advertisment

କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ସିଡ୍ୟୁଲ ଏରିଆରେ ଆଦିବାସୀଙ୍କ ଜମିକୁ ବନ୍ଧକ ଓ ହସ୍ତାନ୍ତର ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ନିରିହ ଆଦିବାସୀଙ୍କ ଜମିକୁ ଲୁଟ୍ ପାଇଁ ଷଡ଼ଯନ୍ତ୍ର । ସରକାର ଷଡ଼ଯନ୍ତ୍ର କରି ଶିଳ୍ପପତିଙ୍କ ହାତରେ ଆଦିବାସୀଙ୍କ ଜମିକୁ ଟେକିଦେବାର ବ୍ୟବସ୍ଥା କରିଛନ୍ତି । ବିଜେଡି ସରକାର ପୂର୍ବରୁ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ଉପରେ କଟକଣା ଜାରି କରିଥିଲେ । କଂଗ୍ରେସ ମଧ୍ୟ ଆଦିବାସୀମାନେ ଯେଭଳି ନିଜର ଜମିକୁ ଋଣ ପାଇଁ ବ୍ୟାଙ୍କରେ ବନ୍ଧକ ରଖିପାରିବେ ସେଥିପାଇଁ ପୂର୍ବରୁ ବାରମ୍ବାର ଦାବି କରିଆସୁଛି । ମାତ୍ର ଏବେ ରାଜ୍ୟ କ୍ୟାବିନେଟରେ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ଯେଉଁ ପ୍ରସ୍ତାବ ପାରିତ ହୋଇଛି ତାହା ଆଦିବାସୀଙ୍କ ଜମିକୁ ଲୁଟ ପାଇଁ ଷଡ଼ଯନ୍ତ୍ର ଭଳି ଲାଗୁଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି ।

ସେହିପରି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ରାଜ୍ୟ ବିଜେପି ଅନୁସୂଚିତ ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ କରିଛନ୍ତି ଯେ, ଆଦିବାସୀଙ୍କ ଭୋଟ୍ ହାତେଇବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କଲେ । କିନ୍ତୁ ଏପର୍ଯ୍ୟନ୍ତ ଆଦିବାସୀଙ୍କ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରିପାରିଲେ ନାହିଁ । ପ୍ରକୃତ ବିକାଶ ଚାହୁଁଥିଲେ ଆଦିବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆଦିବାସୀବହୁଳ ଜିଲ୍ଲାଗୁଡ଼ିକର ହସ୍ପିଟାଲରେ ଡାକ୍ତର କି ଶିକ୍ଷକ ନାହାନ୍ତି । ସରକାର ଏହି ମୌଳିକ ଦିଗ ପ୍ରତି ନଜର ଦେଉନାହାନ୍ତି । ଆଉ ଆଦିବାସୀଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ।

Advertisment

ସୂଚନାଯୋଗ୍ୟ, ସିଡ୍ୟୁଲ ଏରିଆରେ ରେଗୁଲେସନ-୨,୧୯୫୬ ଆଇନରେ ପ୍ରଚଳିତ ପ୍ରାବଧାନରେ କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଗତକାଲି ଅନୁମୋଦନ କରିଛନ୍ତି । ଫଳରେ ସିଡ୍ୟୁଲ ଏରିଆରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ଜମି ଏଣିକି ଅଣଆଦିବାସୀଙ୍କୁ ହସ୍ତାନ୍ତର ହୋଇପାରିବ । ଏପରିକି ଆବାସିକ ଗୃହନିର୍ମାଣ, ଉଚ୍ଚଶିକ୍ଷା,ଆତ୍ମନିଯୁକ୍ତି, ବ୍ୟବସାୟ ଓ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ମଧ୍ୟ ଏହି ଜମିକୁ ବନ୍ଧକ ରଖିହେବ । ପୂର୍ବରୁ କେବଳ କୃଷି କାର୍ଯ୍ୟ ପାଇଁ ନିଜ ଜମିକୁ ବନ୍ଧକ ରଖିବାର ଅନୁମତି ଆଦିବାସୀଙ୍କୁ ଥିଲା । ଏବେ ଆଦିବାସୀବର୍ଗର ଲୋକେ ନିଜ ଜମିକୁ ସବୁ କାର୍ଯ୍ୟ ପାଇଁ ବ୍ୟାଙ୍କରେ ବନ୍ଧକ ରଖିପାରିବେ । ଆଉ ଉପଜିଲ୍ଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଅନୁମତି ନେଇ ନିଜ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିପାରିବେ ବୋଲି ଗତକାଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

Tribal Issues Lokseva Bhavan Press
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe