Advertisment

ଏଆଇ ଆପ୍ ଲଢ଼େଇ: ଅଜବ ଉତ୍ତର ଦେଇ ବିବାଦରେ Grok!

ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି।

author-image
Hemant Lenka
Grok

Grok

`ଗ୍ରକ୍’କୁ ଆମେ ପ୍ରଶ୍ନ କଲୁ- ତମକୁ ବରା ନା ଇଡଲି ଭଲ ଲାଗେ? ଉତ୍ତର ଆସିଲା- ଇଡଲି। କାରଣ ଇଡିଲିରେ ଅଧିକ ପୁଷ୍ଠି ରହିଛି, କମ୍ ଚର୍ବି ଓ କ୍ୟାଲୋରୀ ରହିଛି। ତେବେ ମୁଁ ଗୋଟିଏ ଏଆଇ ହୋଇଥିବାରୁ ମୋର ନିଜସ୍ୱ ପସନ୍ଦ କିଛି ନାହିଁ।

Advertisment

ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି। ଯେତେବେଳେ ଜଣେ ୟୁଜର କିଛି ପ୍ରଶ୍ନ କଲେ, ସାଧାରଣ ମଣିଷ ଭଳି ଗ୍ରକ୍ ଉତ୍ତର ଦେଲା- `ମେ ତୋ ବସ୍ ଥୋଡି ସି ମସ୍ତି କି ଥି’।

ପୂର୍ବରୁ ଓପନ ଏଆଇ କମ୍ପାନୀର ଚାଟଜିପିଟି, ମେଟା କମ୍ପାନୀର ମେଟା ଆଇ, ଗୁଗୁଲର ଜେମିନି, ଆନ୍ଥ୍ରୋପିକ୍‌ର କ୍ଲଡି ଆସିଥିବାବେଳେ ଏବେ ଏଲନ୍ ମସ୍କଙ୍କ ଗ୍ରକ୍-3 ମାର୍କେଟରେ ବିଭିନ୍ନ ପ୍ରସଙ୍ଗରେ ରୋକ୍‌ଠୋକ୍‌ ମତ ପାଇଁ ଝଡ଼ ସୃଷ୍ଟି କରୁଛି। ପ୍ରାମାଣିକ ତଥ୍ୟ ବାହାରେ ବି X ବା ଟ୍ବିଟର ଆଲୋଚନାକୁ ବିଶ୍ଲେଷଣ କରି ନିଜର ମତକୁ ସାରାଂଶ ଆକାରରେ ଦେଇ ଦେଉଛି, ଯାହା ସମସ୍ୟା ସୃଷ୍ଟି କରୁଛି। ଏମିତି କି କୌଣସି ବ୍ୟକ୍ତିଙ୍କ ନାଁରେ ଗାଳି କରି ଲେଖିବାକୁ କହିଲେ, ତାହା ମଧ୍ୟ ଲେଖି ଦେଉଛି। 

Advertisment

ଭୁବନେଶ୍ୱର `ନାଇଜର’ କମ୍ପ୍ୟୁଟର ବିଭାଗ ରିଡର ଡ. ଶୁଭଙ୍କର ମିଶ୍ର କହିଛନ୍ତି- ସବୁ ଏଆଇ ବା ଲାର୍ଜ ଲାଙ୍ଗୁଏଜ୍ ମଡେଲର ମୂଳ ଢାଞ୍ଚା ପ୍ରାୟ ସମାନ। ମାତ୍ର ଗ୍ରକ୍ ଏଥିରେ ଏଭଳି ଏକ୍ସପର୍ଟ ପ୍ରମ୍ପ୍ଟ ଯୋଡ଼ିଛି ଯେଭଳି ବେବାକ୍‌ ଓ ମଜାଳିଆ ଉତ୍ତର ମିଳିବ। X ବା ଟ୍ବିଟରର ସବୁ ତଥ୍ୟ ପ୍ରମାଣିକ ନୁହେଁ। ହେଲେ ସେ ସେଥିରୁ ବି ମତ ନେଇ ନିଜସ୍ବ ସାରାଂଶ ମତ ଦେଉଛି। ଯାହା ମାର୍କେଟରେ ଝଡ଼ ସୃଷ୍ଟି ପାଇଁ ଏକ ପ୍ରକାର ଉଦ୍ୟମ।

ତେବେ ପ୍ରତି ଆର୍ଟିଫିସିଆଲ ଇଣ୍ଟେଲିଜେନସ ଆପ୍ଲିକେସନର ସ୍ବତନ୍ତ୍ରତା ରହିଛି। ସମସ୍ତଙ୍କର କିଛି ଶକ୍ତି ରହିଥିବାବେଳେ କିଛି ଦୁର୍ବଳତା ବି ରହିଛି। ଯେମିତି ଚାଟ୍‌ ଜିପିଟି ବା ମେଟା ଏଆଇ ବାଟେ ଆପଣ ଚିଠି ଲେଖାଠାରୁ ଆରମ୍ଭ କରି ଛୋଟ ଛୋଟ ପ୍ରଶ୍ନର ସମାଧାନ ପାଇଯିବେ। ତଥ୍ୟ ସହ ଛବି ଓ ସଂଗୀତ ସଂପାଦନା ସମସ୍ୟାର ସମାଧାନ ବି କରିପାରିବେ। କୋଡିଂ ପାଇଁ ଆପଣ କ୍ଲଡ୍ ବ୍ୟବହାର କରିପାରିବେ। ଆପଣ ଅତ୍ୟନ୍ତ ବୁଦ୍ଧିମାନ ମଜାକ୍ ଉତ୍ତର ପାଇଁ ଗ୍ରକ୍‌କୁ ବ୍ୟବହାର କରିପାରିବେ। ଗୁଗୁଲରେ ସର୍ଚ୍ଚ କରି ଆପଣ ବିଭିନ୍ନ ପ୍ରାମାଣିକ ତଥ୍ୟର ଲିଙ୍କ୍ ପାଉଥିବାବେଳେ ଏଠାରେ ଲିଙ୍କ ସହ ସାରାଂଶ ବି ମିଳିଯାଉଛି। ତେବେ ଏହା ଅନେକ ସମୟରେ ପ୍ରାମାଣିକ ହୋଇନପାରେ।

ଭୁବନେଶ୍ବର IIITର ଡିନ୍ ଡ. ରାକେଶ କୁମାର ବଳବନ୍ତରାୟ କହିଛନ୍ତି- ଯେକୌଣସି ଏଆଇରେ କିଛି ତଥ୍ୟ ଲିଙ୍କ କରାଯାଇଥାଏ। ଯେତେବେଳେ X ରେ ଥିବା ଅପ୍ରମାଣିତ ତଥ୍ୟ ନିଆଯିବ ଓ ତାକୁ କହିଲା ଭଳି ଢଙ୍ଗରେ ପ୍ରକାଶ କରାଯିବ, ସେତେବେଳେ ଏଭଳି ଉତ୍ତର ମିଳିବ। ମାତ୍ର ତାହା ପ୍ରକୃତ ତଥ୍ୟ ବା ସତ୍ୟ ହେବ ନାହିଁ।

ଗ୍ରକ୍ ଏବେ ପ୍ରାମାଣିକ ତଥ୍ୟ ସହ X ରେ ଥିବା ମଜାଳିଆ ତଥ୍ୟ ମିଶାଇ ମତ ଦେଇଦେଉଛି। ସମ୍ଭବତଃ ଏହା ପରେ ପ୍ରାମାଣିକ ଉତ୍ତର ପାଇଁ ଗୋଟିଏ ହାଣ୍ଡଲ୍ ରଖି ମଜାଳିଆ ଉତ୍ତର ପାଇଁ ଅନ୍ୟ ଏକ ହାଣ୍ଡଲ୍ ରଖିପାରେ। ଏଆଇ ଦିନକୁ ଦିନ ଅଧିକ ବିକଶିତ ହେଉଛି। ଅଧିକ ତଥ୍ୟଭିତ୍ତିକ ଉତ୍ତର ସହ ବିଭିନ୍ନ ସମସ୍ୟାର ସମାଧାନ କରିପାରିଲେ ଏଆଇ ଲୋକପ୍ରିୟ ହୋଇପାରିବ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha Artificial Intelligence Grok