ଓଡ଼ିଶା ରିପୋର୍ଟରର ଖବର ସତ୍ୟ ପ୍ରମାଣିତ ହୋଇଛି। ଶେଷରେ ଦୁଇରୁ ଅଧିକ ପିଲା ଥିବା କାରଣରୁ ବାପୁଜୀ ନଗରରେ ଥିବା କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ହେଲେ ସେ ଏବେ ବି ଆଉ ଗୋଟିଏ ଶୀର୍ଷ ସମବାୟ ସଂସ୍ଥା ରାମ ମନ୍ଦିର ପାଖରେ ଥିବା ଓଡ଼ିଶା କୋଅପରେଟିଭ୍ ହାଉସିଂ କର୍ପୋରେସନ୍ ଲିମିଟେଡ୍ ବା ଓସିଏଚସିର ଅଧ୍ୟକ୍ଷ ଅଛନ୍ତି। ୨୦୨୪ ଜୁଲାଇ ୩୧ରେ ରାଜ୍ୟ ସରକାର ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନ୍ ଲିମିଟେଡ ବା ଓସିଏଚସିକୁ ଅନିୟମିତତା ପାଇଁ ଭାଙ୍ଗି ଦେଇଥିଲେ। ତେବେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ତାହା ଏବେ ଅଦାଲତର ବିଚାରାଧୀନ ଅଛି।
ବିଶ୍ୱରଂଜନ ମହାନ୍ତିଙ୍କର ଦୁଇରୁ ଅଧିକ ପିଲା ଥିବା ନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ସମବାୟ ନିବନ୍ଧକ ଏହି ଅଭିଯୋଗରେ ସତ୍ୟତା ଥିବା ନେଇ ଦୁଇଟି ତଦନ୍ତରୁ ପ୍ରମାଣ ପାଇଛନ୍ତି। ଖୋର୍ଦ୍ଧାର ଡେପୁଟି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭସ୍ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଲକ୍ଷ୍ମୀସାଗର ଥାନା ପୋଲିସର ଚାର୍ଜସିଟରୁ ବିଶ୍ୱରଂଜନଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ୨୦୨୨ ଅକ୍ଟୋବର ୧୦ ତାରିଖରେ ପୋଲିସ୍ କେସ୍ ହୋଇଥିଲା।
ଅନ୍ୟପଟରେ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି ବା ଆରସିଏସଙ୍କ ଅଫିସ ପକ୍ଷରୁ ଯୁଗ୍ମ ତଦନ୍ତରେ ବି ବିଶ୍ୱରଂଜନଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଛି। ଯୁଗ୍ମ ତଦନ୍ତରେ ଆରସିଏସ୍ ଦପ୍ତରରୁ ଦୁଇ ଜଣ ଜଏଣ୍ଟ ରେଜିଷ୍ଟ୍ରାରଙ୍କ ସହ ଅଡିଟ୍ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଦୁଇଟି ଯାକ ତଦନ୍ତରେ ବିଶ୍ୱରଂଜନ ମହାନ୍ତିଙ୍କର ଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହୋଇଥିଲା। ଏଥିପାଇଁ ଓଡ଼ିଶା କୋଅପରେଟିଭ୍ ସୋସଇଟି ଆଇନ-୧୯୬୨ର ଧାରା-୨୮ ଅନୁସାରେ ବିଶ୍ୱରଞ୍ଜନ ମହାନ୍ତିଙ୍କ ସଦସ୍ୟ ଓ ସଭାପତି ପଦ ଅଯୋଗ୍ୟ ଘୋଷିତ ହୋଇଛି।
ଭୁବନେଶ୍ୱର ରାମମନ୍ଦିର ନିକଟସ୍ଥ ଓଡ଼ିଶା କୋଅପରେଟିଭ୍ ହାଉସିଂ କର୍ପୋରେସନ୍ ଲିମିଟେଡ୍ ବା ଓସିଏଚସିର ନିର୍ବାଚନ ବେଳେ ପ୍ରତିପକ୍ଷମାନେ ନିର୍ବାଚନ ଅଧିକାରୀ ଥିବା ଜଣେ ତହସିଲଦାରଙ୍କ ପାଖରେ ବିଶ୍ୱରଂଜନ ମହାନ୍ତିଙ୍କର ତିନିରୁ ଅଧିକ ସନ୍ତାନ ରହିଥିବାର ପ୍ରମାଣ ଦାଖଲ କରିଥିଲେ। ଏଥିପାଇଁ ସେମାନେ ସତ୍ୟଭାମାପୁର ବିଜେଇଏମ୍ ସ୍କୁଲ ଓ ଦୟାସାଗର ବିଦ୍ୟାମନ୍ଦିରରୁ ନାମଲେଖା ପ୍ରମାଣପତ୍ରରେ ଥିବା ଛାତ୍ର ଓ ତାଙ୍କ ପିତା-ମାତାଙ୍କ ନାମ ଆଣି ଦେଖାଇଥିଲେ। ମାତ୍ର ବିଶ୍ୱରଂଜନ ମହାନ୍ତି ଗୋଟିଏ ପୁଅକୁ ତାଙ୍କ ଶଳାର ପୁଅ ବୋଲି ଦର୍ଶାଇଥିଲେ ଓ ତାହାକୁ ନିର୍ବାଚନ ଅଧିକାରୀ ଅଧିକ ତର୍ଜମା ନକରି ଗ୍ରହଣ କରିନେଇଥିଲେ।
ତଦନ୍ତକାରୀ ଅଧିକାରୀ ସ୍କୁଲ ଯାଇ ସାକ୍ଷୀଙ୍କ ଉପସ୍ଥିତିରେ ନାମଲେଖା ରେଜିଷ୍ଟର ଜବତ କରିଥିଲେ। ଏଥିରେ ସଂପୃକ୍ତ ପୁଅଟି ବିଶ୍ୱରଂଜନ ମହାନ୍ତିଙ୍କର ବୋଲି ପ୍ରମାଣ ପାଇଥିଲେ। ମାତ୍ର ବିଜେଡି ସରକାରଙ୍କ ବରିଷ୍ଠ ନେତାଙ୍କ ଚାପରେ ଏହି ତଦନ୍ତ ଆଗକୁ ଆଗଉନଥିଲା ବୋଲି ବାରମ୍ବାର ଅଭିଯୋଗ ହେଉଥିଲା।
ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।