Advertisment

ଜଳ ସମ୍ପଦ ବିଭାଗରେ କୋଟି କୋଟି ଟଙ୍କାର ହେରଫେର: ଚିଠାରେ ଶହ ଶହ ଠିକା କାମ ଆବଣ୍ଟନ, କିଏ ଦେଲା ଅନୁମତି

ଜଳସମ୍ପଦ ଏବେ ବିଭିନ୍ନ ଜଳସେଚନ ଡିଭିଜନକୁ ଚିଠି ଲେଖି ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ(ବିନା ଟେଣ୍ଡରରେ) ପାଇଁ ବିଭାଗ ଉପରେ ଏବେ ବହୁ ପରିମାଣର ଆର୍ଥିକ ବୋଝ ପଡ଼ିଛି ।

Water reservoir

Water reservoir

Advertisment

ରାଜ୍ୟ ଜଳସମ୍ପଦ ବିଭାଗରେ କୋଟି କୋଟି ଟଙ୍କା ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ବିନା ଟେଣ୍ଡରରେ ଶହ ଶହ ସଂଖ୍ୟାରେ ଠିକା କାମ ଆବଂଟନ କରାଯାଇଛି । ବିଭାଗୀୟ ଅଧିକାରୀମାନେ ନିଜ ପକେଟ ଗରମ କରିବା ସହ ଶାସକ ବିଜେଡିର କର୍ମୀମାନଙ୍କୁ ଏସବୁ କାର୍ଯ୍ୟ ଆବଂଟନ କରିଥିବା ସନ୍ଦେହ କରାଯାଉଛି । ଆଉ ଏହି କୋଟିକୋଟି ଟଙ୍କା ହେରଫେରରେ ତଳଠୁ ଉପର ପର୍ଯ୍ୟନ୍ତ ଅଧିକାରୀମାନେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନର ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ ଜେନା ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବାବେଳେ ବିନା ଟେଣ୍ଡରରେ ଠିକା କାମ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ମାତ୍ର ୨୦୨୦ ଜୁଲାଇ ମାସରେ ଆଇଏଏସ୍ ଅନୁ ଗର୍ଗ ଏହି ବିଭାଗ ଦାୟିତ୍ୱ ନେବା ପରଠୁ ବିଭାଗରେ ବିଜେଡି ବିଧାୟକମାନଙ୍କ ହାତଲେଖା(ଚିଠାରେ) କର୍ମୀମାନଙ୍କୁ ଠିକା କାମ ଦେବାର ପୁନରାବୃତ୍ତି ହୋଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ବିନା ଟେଣ୍ଡରରେ ହୋଇଥିବା ଏହି ଶହ ଶହ ସଂଖ୍ୟାରେ ଚିଠା କାମ(୫ଲକ୍ଷ ଟଙ୍କାରୁ କମ୍ ପ୍ରକଳ୍ପ) ଗୁଡ଼ିକ ଜଳସମ୍ପଦ ବିଭାଗ ଉପରେ ବୋଝ ଓ ମୁଣ୍ଡବ୍ୟଥା ପାଲଟିଛି ।

Advertisment

ସୂଚନା ଅନୁସାରେ, ଜଳସମ୍ପଦ ଏବେ ବିଭିନ୍ନ ଜଳସେଚନ ଡିଭିଜନକୁ ଚିଠି ଲେଖି ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ(ବିନା ଟେଣ୍ଡରରେ) ପାଇଁ ବିଭାଗ ଉପରେ ଏବେ ବହୁ ପରିମାଣର ଆର୍ଥିକ ବୋଝ ପଡ଼ିଛି । ବିଶେଷକରି ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଶହ ଶହ ସଂଖ୍ୟାରେ ଠିକା କାମ(ବିଜେଡି ବିଧାୟକମାନଙ୍କ ହାତଲେଖା ଚିଠାରେ) ଜଳସମ୍ପଦ ବିଭାଗର ଡିଭିଜନସ୍ତରର ଅଧିକାରୀମାନେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି । ଆଇନର ଗଳାବାଟ ବାହାର କରି ପ୍ରକଳ୍ପ କାର୍ଯ୍ୟର ମୂଲ୍ୟକୁ ୫ଲକ୍ଷ ଟଙ୍କାରୁ କମ୍ ଦର୍ଶାଇ ଏସବୁ କାର୍ଯ୍ୟାଦେଶ ଦିଆଯାଇ ବିଜେଡି କର୍ମୀମାନଙ୍କୁ ତୁଷ୍ଟୀକରଣ ନିମନ୍ତେ ପ୍ରୟାସ କରାଯାଇଛି । ରାଜ୍ୟର ପ୍ରାୟତଃ ସମସ୍ତ ଜଳସମ୍ପଦ ଡିଭିଜନରେ ଏଭଳି ଚିଠା କାମ(ବିନା ଟେଣ୍ଡରରେ ୫ଲକ୍ଷ ଟଙ୍କାରୁ କମ୍ ପ୍ରକଳ୍ପ କାର୍ଯ୍ୟ) ଦିଆଯାଇଛି । ବିଜେଡି କର୍ମୀଙ୍କ ନିମନ୍ତେ କେତେକ ସ୍ଥାନରେ ବଡ଼ବଡ଼ ପ୍ରକଳ୍ପର କାର୍ଯ୍ୟକୁ ଜାଣିଶୁଣି ଛୋଟ ଛୋଟ ଭାଗ କରି(ଟେଣ୍ଡର ବାଧ୍ୟବାଧକତାକୁ ଏଡ଼ାଇବା ପାଇଁ) ପ୍ରକଳ୍ପ ମୂଲ୍ୟକୁ ୫ଲକ୍ଷ ଟଙ୍କାରୁ କମ କରାଯାଇଛି ।

ଏବେ ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ଏକ ସରକାରୀ ଚିଠି ହିଁ ଜଳସମ୍ପଦ ବିଭାଗରେ ଏଭଳି କୋଟି କୋଟି ଟଙ୍କାର ହେରଫେରର ପ୍ରମାଣ ଦେଇଛି । ପୁରୀ ଜଳସେଚନ ଡିଭିଜନର ଅଧୀକ୍ଷକ ଯନ୍ତ୍ରୀଙ୍କୁ ୫ଲକ୍ଷ ଟଙ୍କାରୁ ୧୫.୩୩କୋଟି ଟଙ୍କାର ହିସାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଓ ଅନୁମୋଦନ ବାହାରେ ଗୋଟିଏ ବି କାର୍ଯ୍ୟ ନକରିବାକୁ କୁହାଯିବା ସହ କେଉଁ କ୍ଷମତା ବଳରେ ଏତେ ପରିମାଣର ଆର୍ଥିକ ବୋଝ ଓ କାର୍ଯ୍ୟ କଲ ତା’ର କୈଫୟତ ମଗାଯାଇଛି ।

Advertisment

ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ ଗତକାଲି ପୁରୀ ଜଳସମ୍ପଦ ଡିଭିଜନ ଅଧୀକ୍ଷକ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଡିଭିଜନରୁ କେବଳ ୫୩୦ଟି ଚିଠା କାମ(୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ)ର କାର୍ଯ୍ୟାଦେଶ ଜାରି ହୋଇଥିବାବେଳେ ସେଥିରେ  ପୁରୀ ମୁଖ୍ୟାଳୟରେ ୧୬୩ଟି, ପିପିଲି ସବଡିଭିଜନରେ ୧୨୧ଟି, ସାକ୍ଷୀଗୋପାଳରେ ୧୨୧ଟି, ଡେଲାଙ୍ଗରେ ୧୨୫ଟି ପ୍ରକଳ୍ପ ରହିଛି । ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଏସବୁ ପ୍ରକଳ୍ପ କାର୍ଯ୍ୟାଦେଶ ଜାରି ହୋଇଥିଲେ ମଧ୍ୟ ସେଥିରୁୁ ପ୍ରାୟ ୮କୋଟି ଟଙ୍କାର ବିଲ୍ ପୈଠ କରାଯାଇ ନାହିଁ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୮କୋଟି ଟଙ୍କାର ବୋଝ ବିଭାଗ ଉପରେ ପଡ଼ିଛି ।

ସେହିପରି ୨୦୨୩ ଫେବୃୟାରୀ ମାସରେ ୩.୩୩କୋଟି ଟଙ୍କାର ୮୩ଟି ପ୍ରକଳ୍ପ କାର୍ଯ୍ୟାଦେଶ ଦିଆଯାଇଛି । ଏହି କାର୍ଯ୍ୟାଦେଶର ବିବରଣୀ ମଧ୍ୟ ଏଗ୍ରିମେଂଟ ରେଜିଷ୍ଟାରରେ ଉଲ୍ଲେଖ ନାହିଁ । ତା’ଛଡ଼ା ପିପି ଓ ପିଓ ମୋଡରେ କିଛି କାର୍ଯ୍ୟ କରାଯାଇଛି ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗୁ ପ୍ରାୟ ୪କୋଟି ଟଙ୍କାର ବୋଝ ଜଳସମ୍ପଦ ବିଭାଗ ଉପରେ ପଡ଼ିଛି । ଏଭଳି ଭାବେ ପୁରୀ ଜଳସେଚନ ଡିଭିଜନର ତ୍ରୁଟିପୂର୍ଣ୍ଣ ଓ ବେଆଇନ କାର୍ଯ୍ୟ ଯୋଗୁ ପ୍ରାୟ ୧୫.୩୩କୋଟି ଟଙ୍କାର ବୋଝ ପଡ଼ିଛି । ତେବେ ଏତେ ଟଙ୍କାର କାର୍ଯ୍ୟ ସବୁ ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଦେଇନଥିବା ଶ୍ରୀ ପୁରୋହିତ ସ୍ପଷ୍ଟ କରିଥିବାବେଳେ କେଉଁ ପରିସ୍ଥିତିରେ ଏତେ ଟଙ୍କାର ବୋଝ ପୁରୀ ଜଳସେଚନ ଡିଭିଜନ ଉପରେ ପଡ଼ିଲା ତା’ର ଜବାବ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବାବେଳେ ବିନା ଟେଣ୍ଡରରେ ବିଭାଗରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଆଉ ଏହି ନିର୍ଦ୍ଦେଶ ଯୋଗୁ ଜଳସମ୍ପଦ ବିଭାଗରେ ଚିଠା କାମ(୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ) ସମ୍ଭବପର ହେଉନଥିଲା । ଛୋଟ-ବଡ଼ ସମସ୍ତ କାର୍ଯ୍ୟର ଟେଣ୍ଡର କରାଯାଉଥିଲା । ମାତ୍ର ୨୦୨୦ ଜୁଲାଇ ମାସରେ ଅନୁ ଗର୍ଗ ବିଭାଗର ଦାୟିତ୍ୱ ନେବା ପରଠୁ ପୁଣିଥରେ ‘ଚିଠା କାମ’ର ଆରମ୍ଭ ହୋଇଥିଲା ।

ଆଉ ରାଜ୍ୟବ୍ୟାପୀ ଜଳସେଚନ ଡିଭିଜନ ଓ ଡ୍ରେନେଜ୍ ଡିଭିଜନରେ ଟେଣ୍ଡର ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ପ୍ରକଳ୍ପର ମୂଲ୍ୟକୁ ଜାଣିଶୁଣି ଭାଗ ଭାଗ କରି ୫ଲକ୍ଷ ଟଙ୍କାରୁ କମ୍ କରାଯିବା ସହ ଦଳୀୟ କର୍ମୀ ଓ ଠିକାଦାରଙ୍କୁ ପେଷା ଯାଉଛି । କେବଳ ପୁରୀ ଜିଲ୍ଲା ନୁହେଁ ଜଳସମ୍ପଦ ବିଭାଗର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜିଲ୍ଲା(ବର୍ତ୍ତମାନର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ନିଜସ୍ୱ ଜିଲ୍ଲା) ଜଗତସିଂହପୁର ଜଳସେଚନ ଓ ଡ୍ରେନେଜ୍ ଡିଭିଜନରେ ମଧ୍ୟ ପ୍ରାୟ ୧୭କୋଟି ଟଙ୍କାର ‘ଚିଠା କାମ’ର କାର୍ଯ୍ୟାଦେଶ ହୋଇଛି ।

ବିନା ଟେଣ୍ଡରରେ ଏସବୁ ଚିଠା କାମର କାର୍ଯ୍ୟାଦେଶ ଦେଇ ଡିଭିଜନ ଦାୟିତ୍ୱରେ ଥିବା ଅଧିକାରୀମାନେ ମାଲେମାଲ୍ ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଡିଭିଜନ ନୁହେଁ ରାଜ୍ୟର ପ୍ରାୟତଃ ସମସ୍ତ ଜଳସେଚନ ଓ ଡ୍ରେନେଜ୍ ଡିଭିଜନ ଅଧୀନରେ ଏଭଳି ସ୍ଥିତି ରହିଛି । ଜଳସମ୍ପଦ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ଅନୁ ଗର୍ଗ ଗତ ୩ବର୍ଷ ଧରି ବିଭାଗ ଦାୟିତ୍ୱରେ ଥିବାବେଳେ ଏଭଳି ଅନିୟମିତତା ଓ  ଆର୍ଥିକ ହେରଫେର କିଭଳି ସମ୍ଭବପର ହେଉଛି ତାକୁ ନେଇ ସନ୍ଦେହ ବଢ଼ିଥିବାବେଳେ ତାଙ୍କ ବିନା ଅନୁମତିରେ ଏଭଳି (ଶହ ଶହ ଚିଠା କାମ) ସମ୍ଭବପର ନୁହେଁ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Odisha Government Govt. Failures
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe