Advertisment

‘ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ’

‘ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ।’

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Advertisment

ମନ୍ତ୍ରୀ କହିଛନ୍ତି, ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ଏନେଇ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବ। ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ। ପରେ ଏନେଇ ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ରାଜ୍ୟ ସରକାର। ସେଥିପାଇଁ ଗୋମାତା ସୁରକ୍ଷା ଓ ଗୋଶାଳା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ‘କାମଧେନୁ’ ଯୋଜନା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ସ୍ୱର୍ଗଦ୍ୱାରକୁ ପ୍ରତିଦିନ ଶହଶହ ମୃତଦେହ ଆସୁଛି। ଶବ ଦାହ ପାଇଁ ଶହଶହ କ୍ୱିଣ୍ଟାଲ୍‌ କାଠ ଆବଶ୍ୟକ ପଡ଼ୁଛି। ଶବ ଦାହ ପାଇଁ ଗଛ କଟା ଯାଉଥିବା ବେଳେ ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି। ଅନେକ ସମୟରେ କାଠର ଘୋର ଅଭାବ ଦେଖାଦେଉଛି। ଯେଉଁଥିପାଇଁ ଶବ ଦାହ କରିବାକୁ ପରିବାର ପରିଜନ ଆସି ନାନା ଅସୁବିଧାରେ ପଡ଼ୁଛନ୍ତି। ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଗୋବର ଘସିର ସାହାରା ନେବାକୁ ଯୋଜନା କରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଆଜି ଦୁନିଆରେ ସଭ୍ୟ ସମାଜ ଗୋ ମାତାଙ୍କଠାରୁ ଦୂରେଇ ଗଲେଣି। ଘରେ ଗୋରୁ ପାଳିବାକୁ ପସନ୍ଦ କରୁନାହାନ୍ତି। ତାହାହେଲେ ଏତେ ପରିମାଣର ଗୋବର ଘସି ଆସିବ କେଉଁଠୁ? ରାଜ୍ୟ ସରକାର କହୁଛନ୍ତି ଗୋ’ ଚାଷ ପାଇଁ ‘କାମଧେନୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରକୃତରେ ଏହି ଯୋଜନା କେତେ ଫଳପ୍ରଦ ହେଉଛି ଓ କେବେଠାରୁ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ଶବ ଦାହ ହେଉଛି, ତାହା ସମୟ କହିବ।

Bhubaneswar Bjp Puri Cow Farming