୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ତେଲେଙ୍ଗାନାରେ ୨ ଦୁଇ ଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ।

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

  • Published: Friday, 01 March 2024
  • , Updated: 01 March 2024, 06:49 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ମାସକ ବ୍ୟବଧାନରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ । ଆସନ୍ତା ମାର୍ଚ୍ଚ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ସହ ବିଜେପିର ଏକ ଦଳୀୟ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପାଇଁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ତେଲେଙ୍ଗାନାରେ ୨ ଦୁଇ ଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ।

ମୁଖ୍ୟସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୫ତାରିଖ ଅପରାହ୍ନରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁରର ଚଣ୍ଡିଖୋଲକୁ ଯାଇ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାପରେ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଓ ଭୁବନେଶ୍ୱର ଫେରି କୋଲକାତା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ସଚିବ ଶ୍ରୀ ଜେନା ଆଜି ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ ଓ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବାବେଳେ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣୀ ବ୍ୟବସ୍ଥା, ମଂଚର ସୁରକ୍ଷା ଯାଂଚ, କାରକେଡ୍ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ଜେନେରେଟର ସୁବିଧା ସହ ୨ଟି ଅତିରିକ୍ତ ଜେନେରେଟେର ରଖିବା ଆଦି ହୋଇଛି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୨ଟାରେ ଭୁବନେଶ୍ୱରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଚଣ୍ଡିଖୋଲ ଯିବେ । ଉକ୍ତ ସନ୍ଧ୍ୟା ପ୍ରାୟ ୫ଟାବେଳେ ଭୁବନେଶ୍ୱର ଫେରି ବାୟୁସେନା ବିମାନରେ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଓ ମେଲାଣି ଦେବା ପାଇଁ ଉଭୟ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଫେବୃୟାରୀ ୩ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ମାସକ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି ।

Related story