Advertisment

କାଲିଠୁ ଐତିହାସିକ କଟକ ବାଲିଯାତ୍ରା, ଏଥର ଲାଗିବ ବିଦେଶୀ ଛୁଙ୍କ

ଆସନ୍ତାକାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହା ଆସନ୍ତା ୨୨ ତାରିଖ ଯାଏ ଚାଲିବ। ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ।

ଅଦ୍ୟତନ ହୋଇଛି
Cuttack Baliyatra

Cuttack Baliyatra

Advertisment

ଆସନ୍ତାକାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହା ଆସନ୍ତା ୨୨ ତାରିଖ ଯାଏ ଚାଲିବ। ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିସହ ବହୁ ଦେଶର କଳାକାର ଏଥର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ଏଥିସହ କାଲିଠୁ ଆୟୋଜିତ ହେବାକୁ ଥିବା ‘ପିଠା ମହୋତ୍ସବ’ରେ ବିଦେଶୀ ପିଠାର ସ୍ୱାଦ ଚାଖିବେ ଓଡ଼ିଶାବାସୀ।

Advertisment

ଏହା ପୂର୍ବରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ସମ୍ପର୍କୀତ ସବିଶେଷ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି। ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ।

Advertisment

ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ। ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’ ଆୟୋଜିତ ହେବ। ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍‌ ଶୋ’ ଆୟୋଜିତ ହେବ।

ଚଳିତ ବର୍ଷ, ୩୪ ଏକର ତଳ ପଡ଼ିଆ ଓ ସାଢେ ୮ ଏକର ଉପର ପଡ଼ିଆରେ ବାଲି ଯାତ୍ରା ଅନୁଷ୍ଠିତ ହେବ। ଏଥିନିମନ୍ତେ ପାଖାପାଖି ୨୫୦୦ ଷ୍ଟଲ ବୁକ୍‌ ହୋଇ ସାରିଲାଣି। ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ବୟସ୍କଙ୍କ ପାଇଁ ୮ ସିଟ୍‌ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି। ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ। ଗତ ବର୍ଷ ୨୦୦ ଶୌଚାଳୟ ହୋଇଥିବା ବେଳେ ଏଥର ସେହି ସଂଖ୍ୟାକୁ ୩୮୦କୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଚଳିତ ବର୍ଷ ‘କଟକ ଇନ୍ କଟକ’ରେ ପ୍ରଦର୍ଶୀତ ହେବ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମା। ଏଥିସହ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ। ସେଥିରେ ଲୋକପ୍ରିୟ ଓଡ଼ିଆ ଫିଲ୍ମ ପ୍ରଦର୍ଶୀତ ହେବ। ପ୍ରତିଦିନ ୩ ଶୋ’ରେ ଫିଲ୍ମ ଚାଲିବ। ଏଥିସହ ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟରେ ବି ଫିଲ୍ମର ସ୍କ୍ରିନିଂ ହେବ। ଏହାବାଦ ବଲିଉଡ ନାଇଟ୍ସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଚଳିତ ବର୍ଷ ବାଲିଯାତ୍ରା ସମୟରେ ରିଂ ରୋଡରେ କେହି ବି ଉଠା ଦୋକାନୀ ରହିବେନି। ଏଥିଯୋଗୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମାତ୍ର ସେମାନଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିନିମନ୍ତେ ସେମାନଙ୍କ ପାଇଁ ତଳ ପଡ଼ିଆରେ ୮୦ ହଜାର ବର୍ଗଫୁଟ ଓ ଉପର ପଡ଼ିଆରେ ୧୭ ହଜାର ବର୍ଗଫୁଟ ଅଞ୍ଚଳ ଚିହ୍ନଟ କରାଯାଇଛି। ବାଲିଯାତ୍ରା ପଡ଼ିଆରେ କେମିକାଲ ସ୍ପ୍ରେ, ସାନିଟାଇଜେସନ, ଷ୍ଟ୍ରିଟ ଲାଇଟ୍‌, ପିଇବା ପାଣି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ।

Cuttack Baliyatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe