Advertisment

ଅସହାୟ ଏ ପରିବାର; ଅର୍ଥ ଅଭାବରୁ ମୃତଦେହ ନେଇପାରିଲେନି

ପରିଚୟ ମିଳିବା ପରେ ମୃତଦେହ ନେଇଯିବା ପାଇଁ ଅନୁରୋଧ କରିଥିଲା ପୁଲିସ୍‌। ହେଲେ ଅସହାୟତା ପ୍ରକାଶ କରିଥିଲେ ମୃତ ଶିରାମଙ୍କ ପରିବାର ଲୋକେ। ଶିରାମଙ୍କ ପରିବାର ଅତି ଗରିବ ଶ୍ରେଣୀରେ ହୋଇଥିବାରୁ ବାମରା ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Kuchinda

Kuchinda

ଅସହାୟ ଏ ପରିବାର! ଯେଉଁ ପରିବାର ପାଇଁ ଘର ଦ୍ୱାର ଛାଡ଼ି ଦାଦନ ଖଟିବାକୁ ଯାଇଥିଲେ। ଭାବିଥିଲେ ରୋଜଗାର କରି ଟଙ୍କା ଆଣିଲେ ପରିବାର ଲୋକଙ୍କ ପେଟରେ ଦାନା ଦେବେ। ହେଲେ ଦୁର୍ଭାଗ୍ୟ ଦେଖନ୍ତୁ ଦାଦନ ଖଟିବାକୁ ଯାଇ ଶବ ପାଲଟିଗଲେ। ଘରକୁ ଫେରିପାରିଲେ ନାହିଁ। ଆର୍ଥିକ ଅନଟନରେ ଘାଣ୍ଟି ହେଉଥିବା ପରିବାର ଲୋକେ ମଧ୍ୟ ମୃତଦେହ ନେବା ପାଇଁ ଅସହାୟତା ପ୍ରକାଶ କରିଥିଲେ। ତେଣୁ ମୃତଦେହ ସତ୍କାର କଲା ପୁଲିସ ଓ ସ୍ୱେଚ୍ଛାସେବୀ।

Advertisment

ପୂରା ଘଟଣା ଏମିତି। ଗତ ୨୬ ତାରିଖରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ(ଯୌତୁକବାହାଲ) ଗାଁ ନିକଟ ରେଳ ଧାରଣା ପାର୍ଶ୍ୱରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା। ବାମରା ଜିଆର୍‌ପି ଫାଣ୍ଡି ପୁଲିସ୍‌ ମୃତଦେହ ଜବତ କରିଥିଲା। ଏଥିସହ ମୃତଦେହ ପାଖରେ ଗୋଟିଏ ଫୋନ୍‌ ନମ୍ୱର ପାଇଥିଲା। ସେହି ନମ୍ୱରରେ ଯୋଗାଯୋଗ କରିଥିଲା ଜିଆର୍‌ପି। ତା’ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିଲା। ସେ ଆସାମ ରାଜ୍ୟର ସୋନିତପୁର ଜିଲ୍ଲା ଚାରିଦ୍ୱାର ବ୍ଲକ୍‌ ଘାଗରା ବାହାବାରି ଗାଁର ଶିରାମ ସାନଡିଗୁରିଆ(୨୮) ବୋଲି ସ୍ପଷ୍ଟ ହୋଇଥିଲା।

ପରିଚୟ ମିଳିବା ପରେ ମୃତଦେହ ନେଇଯିବା ପାଇଁ ଅନୁରୋଧ କରିଥିଲା ପୁଲିସ୍‌। ହେଲେ ଅସହାୟତା ପ୍ରକାଶ କରିଥିଲେ ମୃତ ଶିରାମଙ୍କ ପରିବାର ଲୋକେ। ଶିରାମଙ୍କ ପରିବାର ଅତି ଗରିବ ଶ୍ରେଣୀରେ ହୋଇଥିବାରୁ ବାମରା ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହା ପରେ ମୃତଦେହକୁ ସରକାରୀ ନିୟମ ଅନୁସାରେ ୭୨ ଘଣ୍ଟା ଧରି ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଫ୍ରିଜରରେ ସୁରକ୍ଷିତ ରଖାଯାଇଥିଲା।

Advertisment

ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ଅପରାହ୍ନ ପ୍ରାୟ ୪ଟା ବେଳେ ମୁଣ୍ଡାଢିପା ସ୍ଥିତ ଶ୍ମଶାନରେ ଗାତ ଖୋଳି ପୋତି ଦିଆଯାଇଥିଲା। ବାମରା ଜିଆର୍‌ପି ଫାଣ୍ଡି ଅଧିକାରୀ ଅରୁଣ ଭଇଁସାଲଙ୍କ ସହ ଅନ୍ୟାନ୍ୟ କର୍ମଚାରୀ, ସ୍ୱେଚ୍ଛାସେବୀ ଆକାଶ ଦୀକ୍ଷିତ, ଗୋବିନ୍ଦପୁର ସରପଞ୍ଚ ବିମଲ ଲାକ୍ରା, ଶିବ ଶଙ୍କର ପାଲ, ପୀର ଅନସାରି, ୱାର୍ଡ ସଭ୍ୟ ରାଜା ନାଏକ ଓ ରାଜା ଖାନ ପ୍ରମୁଖଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା। ସ୍ୱେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur Train Accident