Advertisment

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଦିଲ୍ଲୀ ମେଟ୍ରୋକୁ ଦିଆଗଲା ଭୁବନେଶ୍ୱର ମେଟ୍ରୋ ନିର୍ମାଣ ଦାୟିତ୍ୱ

ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

author-image
Ordigital Desk
Bhubaneswara

Bhubaneswara

ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ ନିର୍ମାଣ ଦାୟିତ୍ୱ ନ୍ୟସ୍ତ ହୋଇଛି । ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ତତ୍ତ୍ୱାବଧାନରେ ଏହି ନିର୍ମାଣ କାର୍ଯ୍ୟ ହେବ । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ୩୨୬.୫୬ କୋଟି ଟଙ୍କାର ଫି’ ଦିଆଯିବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବ ସମେତ ୧୧ଟି ବିଭାଗର ମୋଟ ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ । ଅତ୍ୟାଧୁନିକ ରେଳ କୋଚ୍ ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲ ବ୍ୟବହାର ହେବ । ଇଲିଭେଟେଡ୍ ଭାୟଡକ୍ଟ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ ।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅନ୍ତର୍ଗତ ରାଜଧାନୀ ଅଂଚଳରେ ଶକ୍ତି ବ୍ୟବସ୍ଥାରେ ଉନ୍ନତିକରଣ ଯୋଜନା(ଏସସିଆରଆଇପିଏସ)ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୬୯.୬୯କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ଅନୁଦାନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓପିଟିସିଏଲ୍ ଦ୍ୱାରା ରାଜଧାନୀର ବିଭିନ୍ନ ଅଂଚଳର ବିଦ୍ୟୁତ ବିତରଣ ଓ ପରିବହନ ଭିତ୍ତିଭୂମି ସମ୍ପ୍ରସାରଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ କ୍ୟାବିନେଟ୍ ଏସସିଆରଆଇପିଏସ୍ ଯୋଜନାରେ ରାଜଧାନୀରେ ବିଦ୍ୟୁତ ଭିତ୍ତିଭୂମି ଓ ପରିବହନ ନିମନ୍ତେ ୧୪୯୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ମାତ୍ର ଏବେ ଏହି ପ୍ରକଳ୍ପରେ ଅତିରିକ୍ତ ପ୍ରକଳ୍ପକୁ ସାମିଲ ଓ ଅନ୍ୟାନ୍ୟ କାରଣରୁ ପ୍ରକଳ୍ପ ମୂଲ୍ୟ ୧୯୬୧.୪୬ କୋଟି ଟଙ୍କାରେ ପହଂଚିଛି । ଏହି ବର୍ଦ୍ଧିତ ୪୬୯.୬୯କୋଟି ଟଙ୍କାର ଅତିରିକ୍ତ ଅନୁଦାନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Advertisment

ଏସବୁ ବ୍ୟତୀତ ଅନ୍ୟ ୧୦ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Metro Rail