ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଲୋକସଭା ନିର୍ବାଚନମଣ୍ଡଳୀ ଗଞ୍ଜାମର ‘ଆସିକା’ରେ ନୂଆ ରାଜସ୍ୱ ଜିଲ୍ଲା ଗଠନ ଦାବି ଜୋର ଧରିଛି । ସ୍ୱତନ୍ତ୍ର ଋଷିକୁଲ୍ୟା ଜିଲ୍ଲା ଗଠନ ଦାବିରେ ଆଜି ଆସିକାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ସ୍କୁଲ-କଲେଜ ଓ କୋର୍ଟ ଆଦି ବନ୍ଦ ରହିବା ସହ ରାସ୍ତାରେ ବସ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ବିଭିନ୍ନ ଭାଗରେ ଏହି ନୂଆ ରାଜସ୍ୱ ଜିଲ୍ଲା ଗଠନ ଦାବି ଜୋର ଧରିବା ବିଜେଡି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ସୂଚନା ଅନୁସାରେ, ଆସିକାକୁ ସ୍ୱତନ୍ତ୍ର ଋଷିକୁଲ୍ୟା ଜିଲ୍ଲା ଭାବେ ମାନ୍ୟତା ଦେବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସିକା ବନ୍ଦ ପାଳନ ହୋଇଥିଲା । ଏଥିରେ ସାଧାରଣ ଲୋକ ଓ ଆସିକା ବାର ଆସୋସିଏସନ୍ ମଧ୍ୟ ସାମିଲ ହୋଇଥିଲା । ୧୯୯୨ ମସିହାରୁ ଏହି ଜିଲ୍ଲା ପାଇଁ ଦାବି ହୋଇ ଆସୁଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ରବିନ୍ଦ୍ରନାଥ ଶର୍ମା କହିଛନ୍ତି ଯେ, ଯଦି ଦେବଗଡ଼ ଜିଲ୍ଲାରେ ମାତ୍ର ୩ଟି ପଂଚାୟତ ସମିତିର ୨.୩୨ଲକ୍ଷ ଲୋକଙ୍କୁ ନେଇ ଗୋଟିଏ ଜିଲ୍ଲା ହୋଇପାରୁଛି ତା’ହେଲେ ଋଷିକୁଲ୍ୟା ଜିଲ୍ଲା କାହିଁକି ହୋଇପାରିବ ନାହିଁ । ଏଠାରେ ୮ଟି ବ୍ଲକ ଯଥା- ଆସିକା, ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ପୋଲସରା ଓ ହିଞ୍ଜିଳିକାଟୁ ବ୍ଲକ ରହିଛି ଓ ପ୍ରାୟ ୧୫ଲକ୍ଷ ଲୋକ ଅଛନ୍ତି । ଆସିକା ଚିନିକଳ, ସୂତା କଳ, ୧୦ଟି ଶିକ୍ଷାନୁଷ୍ଠାନ ସମେତ ସରକାରୀ ମହିଳା କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଦୁଇଟି ବୈଷୟିକ ସ୍କୁଲ ମଧ୍ୟ ଅଛି । ଏଠାରେ ଜିଲ୍ଲା ପାଇଁ ସବୁ ଭିତ୍ତିଭୂମି ଅଛି । ତେଣୁ ରାଜ୍ୟ ସରକାର ଋଷିକୁଲ୍ୟା ଜିଲ୍ଲା ଘୋଷଣା ସହ ଏହାର ମୁଖ୍ୟାଳୟ ଆସିକାରେ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଦାବି କରୁଛି । ଯଦି ସରକାର ଏହି ଦାବିକୁ ଅଣଦେଖା କରିବେ ତା’ହେଲେ ଆସିକାବାସୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ପଦ୍ମପୁରକୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାବେଳେ ଟିଟିଲାଗଡ଼ ଓ ବାରିପଦାରେ ମଧ୍ୟ ସ୍ୱତନ୍ତ୍ର ଜିଲ୍ଲା ଦାବି ଜୋର ଧରିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।